ଦେଖାଯାଉନି ବୋଲି ବାରମ୍ବାର ଅଫିସ୍ ଦୌଡ଼ାଉଛନ୍ତି କର୍ତ୍ତୃପକ୍ଷ । ସର୍ତ୍ତ ମାନିଥିଲେ ବି ମିଳୁନି ଘର ।

86

କନକ ବ୍ୟୁରୋ: ମଣିଷକୁ ବଞ୍ଚିବା ପାଇଁ ଯେମିତି ଖାଦ୍ୟ ଜରୁରୀ ଠିକ୍ ସେମିତି ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡେ ଛାତର ଛାଇ ଆବଶ୍ୟକ ଥାଏ । ଆଉ ଗରିବ ଅସହାୟ ଓ ଦିବ୍ୟାଙ୍ଗ ମାନଙ୍କ ପାଇଁ ସରକାର ଅନେକ ଯୋଜନା କରିଛନ୍ତି । କିନ୍ତୁ ସେ ସୁବିଧା ସୁାଯୋଗଠୁ ତାଙ୍କୁ ପର କରିଦେଇଛି ପ୍ରଶାସନ । ଏମାନଙ୍କୁ ଦେଖାଯାଉନି ବୋଲି ବର୍ଷ ବର୍ଷ ଧରି ଫାଙ୍ଖି ଚାଲିଛନ୍ତି ବିଏମସି ଓ ବିଡ଼ିଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ଦୃଷ୍ଟିହୀନଙ୍କ ଦୁର୍ଦ୍ଦଶା ଭରା କାହାଣୀ ଦେଖେଇବୁ ଯାହା ସରକାରୀ ବ୍ୟବସ୍ଥା ଉପରେ ପ୍ରଶ୍ନର ପାହାଡ଼ ଛିଡ଼ା କରିବ ।

ରାଜଧାନୀ ଭୁବନେଶ୍ୱର ସତ୍ୟନଗର ସ୍ଥିତ ନବୀନ ବସ୍ତି । ‘ବିଏମସି-ବିଡ଼ିଏ’ କୋଳରେ ବଢୁଥିବା ଏହି ୩୪ ନମ୍ବର ୱାର୍ଡରେ ପାଖାପାଖି ୩୭ ପରିବାର ରୁହନ୍ତି । ଏହି ବସ୍ତିବାସିନ୍ଦାଙ୍କୁ ଘର ଖଣ୍ଡେ ଦେବା ପାଇଁ ୨୦୧୭ରେ ‘ରାଜୀବ ଆବାସ’ ଯୋଜନା ନେଇ ସର୍ଭେ କରିଥିଲେ ବିଏମସି ଓ ବିଡ଼ିଏ  । ଆଉ ପ୍ରତିଶ୍ରୁତି ଦେଇଥିଲେ କି, ୩ ମାସରେ ଘର ଯୋଗାଇ ଦେବେ । ସର୍ତ୍ତ ଥିଲା ବ୍ୟାଙ୍କରେ ୨୧ ହଜାର ଟଙ୍କା ଜମା କଲେ ତାଙ୍କୁ ୧ ଲକ୍ଷ ଟଙ୍କାର ଲୋନ୍ କରାଇଦେବେ, ଯାହାର କିସ୍ତି ହିତାଧିକାରୀ ପ୍ରତି ମାସରେ ଭରିବେ  । ମୁନିସପାଲଟିର କଥା ମାନି ଘର ପାଇଁ ହିତାଧିକାରୀମାନେ ଟଙ୍କା ମଧ୍ୟ ପୈଠ କଲେ, ହେଲେ ଆଜି ବି କିଛି ପରିବାର ଏହି ସୁବିଧାଠୁ ବହୁ ଦୂରରେ ବଞ୍ଚୁଛି ।

ବିଏମସି-ବିଡ଼ିଏ ଅଫିସକୁ ଆଶାବାଡ଼ି ଟିଏ ଧରି ଦୌଡ଼ି ଦୌଡ଼ି ଏହା ମଧ୍ୟରେ ୪ ବର୍ଷ ବିତିଯାଇଥିଲେ ବି ନବୀନ ବସ୍ତିର ୫ ପରିବାରଙ୍କୁ ଏଯାଏଁ ପଚାରୁନି ପ୍ରଶାସନ । ଏବେ ବିମଏସି ଏହି ଦୃଷ୍ଟିବାଧିକଙ୍କୁ ୨୧ ହଜାର ବଦଳରେ ଏକାଥରେ ୯୯ ହଜାର ଟଙ୍କା ନଗଦ ପୈଠ କରିବାକୁ କହୁଛି । ଟଙ୍କା ଜମାକଲେ ଘର ଯୋଗାଇଦେବୁ ବୋଲି କର୍ତ୍ତୁପକ୍ଷ କହୁଥିବାବେଳେ ଏକାଥରେ କେମିତି ଏତେ ଟଙ୍କା ଆଣିବେ ବୋଲି ପ୍ରଶ୍ନ କରିଛନ୍ତି ଦିବ୍ୟାଙ୍ଗ ହିତାଧିକାରୀ ।

ଏହି ନବୀନ ବସ୍ତିର ୩୭ ପରିବାର ମଧ୍ୟରୁ ୩୨ ପରିବାର ଟଙ୍କା ଜମା କରି ଏବେ ଅନ୍ୟ ସ୍ଥାନକୁ ସ୍ଥାନ୍ତରିତ ହୋଇସାରିଥିବା ବେଳେ ଏହି ୫ ପରିବାରଙ୍କ ଭାଗ୍ୟ ଏବେ ଟଙ୍କାରେ ତଉଲା ଯାଉଛି । ଏମାନଙ୍କ କହିବା ମୁତାବକ, ଦିନ କି ରାତି ଆମେ ଦେଖିପାରୁନୁ କି ବଞ୍ଚିବା ପାଇଁ ସ୍ମାର୍ଟସିଟିର ଜନଗହଳିପୂର୍ଣ୍ଣ ସ୍ଥାନରେ ବସି ଓଜନ ଯନ୍ତ୍ର, ଖେଳନା ଓ ବହି ବିକି ପେଟ ପୋଷୁଛୁ । ତା’ଉପରେ କରୋନା କଟକଣା ଦୁଇ ବର୍ଷ ହେବ ଦାରୁଣ ଦୁଃଖ ଦେଇଛି, ନା ରୋଜଗାର ଅଛି ନା ଖାଇବାକୁ ଦି”ମୁଠେ ଦାନା ମିଳୁଛି । ବ୍ୟାଙ୍କ୍ ଲୋନ୍ ଦେବାକୁ ମନା କରିଦେଉଛି, ଏତେ କଷ୍ଟ ଭିତରେ ଆମେ ଲକ୍ଷେ ଟଙ୍କା କେଉଁଠୁ ଆଣିବୁ? ଘର ମିଳିବା ଆଶାରେ ଘର ଭାଙ୍ଗି ଦେଲେ ଏବେ ବର୍ଷା ଦିନେ ସାପ, ବେଙ୍ଗଙ୍କ ଭୟରେ ଜୀବନ ଜିଉଁଛନ୍ତି ନବୀନ ବସ୍ଥିର ଏହି ୫ ପରିବାର ।

ତେବେ ପ୍ରଶ୍ନ ଉଠୁଛି; ସରକାରୀ ଯୋଜନା କାହା ପାଇଁ? ଘର ଖଣ୍ଡେ ପାଇଁ ଏହି ଦିବ୍ୟାଙ୍ଗ ପରିବାର ମାନେ ବିଏମସି-ବିଡ଼ିଏର ସର୍ତ୍ତ  ମାନି ଟଙ୍କା ପୈଠ କରିଥିଲେ ବି କାହିଁକି ଲୋନ୍ କରାଇ ଦେଉନି କର୍ତ୍ତୁପକ୍ଷ? କରୋନା କାଳରେ ଲୋନ୍ ଦେବାକୁ ବ୍ୟାଙ୍କ୍ ମୁହଁ ମୋଡ଼ି ଦେଉଥିବାବେଳେ ଏହି ଦିବ୍ୟାଙ୍ଗ ପରିବାର ଏକ କାଳୀନ ଲକ୍ଷେ ଟଙ୍କା ଆଣିବେ କେଉଁଠୁ? ଏସବୁ ଭିତରେ ସରକାରୀ ଯୋଜନା ଦୃଷ୍ଟିବାଧିତଙ୍କ ପାଇଁ ଦେଖାଣିଆ ଯୋଜନା ହୋଇଯାଉନି ତ? ଖବର ବାଜିବା ପରେ ବିଏମସି-ବିଡ଼ିଏ କର୍ତ୍ତୁପକ୍ଷଙ୍କ ନିଦ ଭାଙ୍ଗିବ ନା ନାହିଁ?