କନକ ବ୍ୟୁରୋ : ଦଧିବାବନ ଜିଉଙ୍କୁ ସାକ୍ଷୀ ରଖି ନୂଆ ଜୀବନ ଆରମ୍ଭ କରିଛନ୍ତି ନବ ଦମ୍ପତି । ମନ୍ଦିରରେ କୋଳାହଳ ଲାଗିଛି, ବନ୍ଧୁବାନ୍ଧବଙ୍କ ଭିଡ ଲାଗିଛି । ବେଦୀରେ ମନ୍ତ୍ରୋଚାରଣ ଚାଲିଛି । ସବୁ ଦେଖୁଛନ୍ତି ହେଲେ, କିଛି ଶୁଣି ପାରୁନାହାନ୍ତି କି ମୁହଁ ଖୋଲି କିଛି କହି ପାରୁନାହାନ୍ତି । କିନ୍ତୁ ପରସ୍ପରର ଭାବକୁ ବୁଝି, ମନର ଭାଷାକୁ ପଢି ସଂସାର ଗଢିବାକୁ ସଜେଇ ହୋଇ ବେଦୀରେ ବସିଛନ୍ତି । ଭଦ୍ରକ ସହର ଉପକଣ୍ଠ ପୂଜାରୀସାହି ଦଧିବାବନ ଜିଉ ମନ୍ଦିରରେ ଏମିତି ଏକ ନିଆରା ବିବାହ ଅନୁଷ୍ଠିତ ହୋଇଯାଇଛି । ଦିବ୍ୟାଙ୍ଗ ଦମ୍ପତି ମନୋଜ ଓ ନନ୍ଦିତାଙ୍କ ମନ ମିଶିଛି ।

Advertisment

ବର ବେଶରେ ସଜେଇ ହୋଇଛନ୍ତି ଯାଜପୁର ଜିଲ୍ଲା ବରହଟା ଗାଁର ହରିହର ପତିଙ୍କ ପୁଅ ମନୋଜ ପତି । ସେ ଜନ୍ମରୁ ଦିବ୍ୟାଙ୍ଗ । କିନ୍ତୁ ଏକ ବେକେରିରେ କାମ କରି ପେଟ ପୋଷୁଛନ୍ତି । ଆଉ ଏବେ ତାଙ୍କ ଜୀବନ ସହ ଯୋଡି ହୋଇଛନ୍ତି ଭଦ୍ରକର ବିଶ୍ୱନାଥ ଦାସଙ୍କ ଦିବ୍ୟାଙ୍ଗ ଝିଅ ନନ୍ଦିତା ଦାସ । ସେ ବି ଜନ୍ମରୁ ଦିବ୍ୟାଙ୍ଗ । କହିପାରନ୍ତି ନାହିଁ ଶୁଣି ପାରନ୍ତି ନାହିଁ । କିନ୍ତୁ ଦୁହେଁ ଦୁହିଁଙ୍କ ମନକୁ ପଢି ସଂସାର ଗଢିବେ ବୋଲି ଆଶା ରଖିଛନ୍ତି ପରିବାର ଲୋକେ ।

ମନୋଜ-ନନ୍ଦିତାଙ୍କ ନୂଆ ଜୀବନର ମାଙ୍ଗଳିକ କାମରେ ସାକ୍ଷୀ ହୋଇଛନ୍ତି ଦଧିବାବନ ଜିଉ ଓ ପରିବାର ପ୍ରିୟଜନ ।