କନକ ବ୍ୟୁରୋ: ବିବାହ ବନ୍ଧନରେ ବାନ୍ଧି ହେଲେ ଦିବ୍ୟାଙ୍ଗ ବରକନ୍ୟା। ବୈଦିକ ରୀତିନୀତିରେ ଅଗ୍ନିକୁ ସାଖୀରଖି ବରଣମାଳା ଦେଇ ସାତ ଜନ୍ମ ପାଇଁ ସାଥୀ ହୋଇହେବାକୁ ସଂକଳ୍ପ ନେଇଛନ୍ତି। ଏହି ବିବାହ ସାଧାରଣ ବିବାହ ପରି ମନେ ହେଉଥିଲେ ବି, ସାଧାରଣ ନୁହେଁ। ବରବଧୂ ବେଶରେ ବସିଥିବା ଯୁବକ ଏବଂ ନବବଧୂ ବେଶ ସଜେଇ ହୋଇଥିବା କନ୍ୟା ଏ ଦୁହେଁ ହେଉଛନ୍ତି ଦିବ୍ୟାଙ୍ଗ। ଜଣେ ଆଜୀବନ ବାକଶକ୍ତି ଏବଂ ଶ୍ରବଣ ଶକ୍ତି ହରାଇ ଥିବା ବେଳେ ଅନ୍ୟ ଜଣେ ଗୋଟିଏ ଦୃଷ୍ଟିଶକ୍ତି ହରାଇଛନ୍ତି। କିନ୍ତୁ ଦୁହେଁ ଦୁହିଁଙ୍କ ମନକୁ ପଢିପାରନ୍ତି, ଭାବକୁ ବୁଝିପାରୁଛନ୍ତି । ବୁଝିପାରିଛନ୍ତି ନିଜ ନିଜ ଭିତରେ ଥିବା ଆଶା ଓ ଆକାଂକ୍ଷାକୁ। ପ୍ରକୃତରେ ଦୁଃଖୀ ଲୋକ ହିଁ ବୁଝିପାରେ ଆଉ ଜଣକ ଦୁଃଖକଷ୍ଟ । ସେଇଥି ପାଇଁ ତ ଦୁଇଜଣ ଅନ୍ୟମାନଙ୍କ ଠାରୁ ଭିନ୍ନ ହୋଇଥିଲେ ମଧ୍ୟ ଜୀବନରେ ସ୍ୱପ୍ନ ଓ ବାସ୍ତବତାକୁ ସାଙ୍ଗରେ ଧରି ଆଗକୁ ବଢିବାକୁ ସଂକଳ୍ପ କରିଛନ୍ତି। ଭଦ୍ରକ ଚାନ୍ଦବାଲି ବ୍ଲକ ଗୋପୀନାଥପୁର ପଞ୍ଚାୟତ ଅଧିନ ବାଲିପଦା ଗାଁର ଦିବ୍ୟାଙ୍ଗ ନବଦମ୍ପତି । ସେମାନଙ୍କ ମନରେ ଭରିଛି ଅସୀମ ଧୈର୍ୟ୍ୟ ଓ ଭଲ ପାଇବା । ଠରାଠରିରେ ଭାବର ଆଦାନ ପ୍ରଦାନ କରିପାରୁଛନ୍ତି । ଗଦି ଗାଁର ସୁବାସ ଦାସ ୨୨ ବର୍ଷିୟା ଝିଅ ଶକୁନ୍ତଳା ଦାସ, ବାଲିପଦା ଗାଁର ଯଦୁ ସେନାପତିଙ୍କ ପୁଅ ବାବୁଲା ସେନାପତିଙ୍କ ସହିତ ବିବାହ ସମ୍ପନ୍ନ ହୋଇଛି। ଏହି ଉତ୍ସବରେ ୨୦ରୁ ଅଧିକ ଦିବ୍ୟାଙ୍ଗ ସାଙ୍ଗସାଥୀ ଯୋଗ ଦେଇଥିଲେ। ଶତାଧିକ ଅତିଥିଙ୍କ ଗହଣରେ ନବଦମ୍ପତିଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ପ୍ରୀତିଭଜନ ଭୁରି ଭୋଜନରେ ଗ୍ରାମବାସୀ ମଧ୍ୟ ବେଶ ଖୁସି ବ୍ୟକ୍ତ କରିଛନ୍ତି।