ଜଣେ ଠାରିବ, ଜଣେ ବୁଝିବ… ବିନା ଜାତି, ଜାତକ, ଯୌତୁକରେ ନୂଆ ସମ୍ପର୍କ ଗଢିଲେ ଦିବ୍ୟାଙ୍ଗ ଯୋଡି ।

145

କନକ ବ୍ୟୁରୋ: ଅନାଥ ଥିଲେ, ଆଶ୍ରା ସାଜିଲେ । ଅଜଣାରୁ ହୋଇଗଲେ ଆପଣାର । ଆଉ ଆତ୍ମୀୟତାର ଅଦୃଶ୍ୟ ସୂତାରେ ବାନ୍ଧିହୋଇ ଆରମ୍ଭ କଲେ ନୂଆ ସଂସାର । ହଁ, ଅର୍ଚ୍ଚନା ଆଉ ଜୟରାମ । ଦୁନିଆରେ କେହି ନଥିବା ବେଳେ ଦୁହେଁ ସାଜିଛନ୍ତି ଦୁହିଁଙ୍କର । ଜଣେ ଜଣଙ୍କୁ ଜାଣିନଥିଲେ ବି ଭଗବାନ ଏମାନଙ୍କୁ ଏକାଠି କରିଛନ୍ତି । ନା ଜାତି, ନା ଜାତକ, ନା ଯୌତୁକ… ଜୀବନ ପାଇଁ ଜୀବନଟିଏ ବାଛି ଦେଇଛନ୍ତି ବିଧାତା । ଆଉ ଜୟରାମଙ୍କ ଜୀବନର ପରିଧି ଭିତରକୁ ଆସିଛନ୍ତି ଅର୍ଚ୍ଚନା ।

ଅର୍ଚ୍ଚନା !  ୬-୭ ବର୍ଷର ହୋଇଥିବା ବେଳେ ବାପାମାଆଙ୍କୁ ହରାଇ ଅନାଥ ହୋଇଯାଇଥିଲେ । ଜନ୍ମରୁ ଦିବ୍ୟାଙ୍କ ହୋଇଥିବାରୁ ତାଙ୍କ ହାତଗୋଡ କାମ କରେ ନାହିଁ । ଅନାଥ ହେବା ପରେ ୨୦୦୬ ମସିହାରେ ଆଦୃତ ନାମକ ସଙ୍ଗଠନ କୁନି ଝିଅ ଅର୍ଚ୍ଚନାକୁ ଗ୍ରହଣ କରିଥିଲା, ତାର ଲାଳନପାଳନ କରି ବଡ କରିଥିଲା । ଆଉ ଇତି ମଧ୍ୟରେ ଅର୍ଚ୍ଚନା ବଡ ହୋଇଯାଇଥିଲେ ଆଉ ବିବାହ ବୟସରେ ପାଦ ଦେଇଥିଲେ ।

ଠିକ୍ ସେମିତି ଆଦୃତର ବଲାଙ୍ଗୀର ୟୁନିଟରେ ୧୪-୧୫ ବର୍ଷ ବୟସରେ ଉଦ୍ଧାର କରାଯାଇଥିବା ଅନ୍ୟଜଣେ ଅନାଥ ଶିଶୁ ହେଉଛନ୍ତି ଜୟରାମ । ସେ ବାକ୍ ବାଧିତ, ଅର୍ଥାତ ସେ ଜନ୍ମରୁ କଥା କହିପାରୁ ନାହାନ୍ତି । ଇତି ମଧ୍ୟରେ ଜୟରାମ ବଡ ହୋଇଯାଇଥିବାରୁ ତାଙ୍କୁ ଅର୍ଚ୍ଚନାଙ୍କ ସହ ଛନ୍ଦି ଦେଇଛି ଆଦୃତ ଶିଶୁ ସୁରକ୍ଷା ସଙ୍ଗଠନ ।

ଅର୍ଚ୍ଚନା ଓ ଜୟରାମ- ଉଭୟେ ଉଭୟଙ୍କୁ ଜାଣି ନଥିବା ବେଳେ ସଙ୍ଖା, ସିନ୍ଦୂରକୁ ସାକ୍ଷୀ ରଖି ଦୁହେଁ ଦୁହିଁଙ୍କର ସାଜିଛନ୍ତି ସାତ ଜନମର ସାଥୀ । ଏହି ନିଆରା ବିବାହରେ ଜିଲ୍ଲାପ୍ରଶାସନ ସହଯୋଗ କରିଥିବା ବେଳେ ବିନା ଜାତି, ଜାତକ, ଯୌତୁକର ଉଦ୍ଧ୍ୱର୍ରେ ରହି ଏହି ଦିବ୍ୟାଙ୍ଗ ଯୋଡି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।