ଦିବ୍ୟାଙ୍ଗ ହୋଇ ବି ଜୀବନ ଯୁଦ୍ଧରେ ହାର ମାନିନାହାନ୍ତି କଟକ ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ଅଂଚଳର ଅନନ୍ତ । ଗୋଟିଏ ଗୋଡ଼ରେ ଠିଆ ହୋଇ କରୁଛନ୍ତି ଗୁପଚୁପ୍ ବ୍ୟବସାୟ

104

କନକ ବ୍ୟୁରୋ : ଆତ୍ମବିଶ୍ୱାସ ଆଗରେ ହାର ମାନିଛି ଶରିରୀକ ଅକ୍ଷମତା । ଦୁନିଆ ପାଇଁ ସେ ଦିବ୍ୟାଙ୍ଗ ହୋଇପାରନ୍ତି । ହେଲେ ତାଙ୍କ ପରିବାରର ସେ ହେଉଛନ୍ତି ମେରୁଦଣ୍ଡ । କାରଣ ତାଙ୍କ ରୋଜଗାରରୁ ଚଳୁଛି ୬ ପ୍ରାଣୀ କୁଟୁମ୍ବର ପରିବାର । ଭଲ ଭାବେ ଦେଖନ୍ତୁ ଏହି ଦୃଶ୍ୟକୁ ଗୋଟିଏ ଗୋଡ଼ ଠିକ୍ ଥିବା ବେଳେ ଅନ୍ୟଗୋଡ଼ଟି ଅଧା ରହିଛି । ଆଉ ସେହି ଅଧା ଗୋଡ଼ଟିକୁ ଟେବୁଲ ଉପରେ ରଖି ଗୁପଚୁପ୍ ବ୍ୟବସାୟ କରୁଛନ୍ତି ଅନନ୍ତ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର କଲେଜ ଠାରେ ରହିଛି ଅନନ୍ତଙ୍କ ଗୁପଚୁପ୍ ଦୋକାନ । ତାଙ୍କ ହାତର କରିସ୍ମା ଓ ସୁନ୍ଦର ବ୍ୟବହାର ପାଇଁ କଲେଜ ପିଲାଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ଅଟକି ଯାଆନ୍ତି ତାଙ୍କ ଗୁପଚୁପ୍ ଗାଡ଼ି ପାଖରେ । ଅଂଚଳରେ ଗୁପଚୁପ୍ ପାଇଁ ବେଶ ନାଁ ରହିଛି ଅନନ୍ତଙ୍କର ।

ସ୍ତ୍ରୀ, ଦୁଇ ଝିଅ, ବାପା-ମା’ଙ୍କୁ ନେଇ ଅନନ୍ତଙ୍କ ପରିବାର । ଏହି ଗୁପ୍ଚୁପ୍ ବିକ୍ରି କଲେ ଘରେ ଚୁଲି ଜଳେ । ଗୁପଚୁପ୍ ବ୍ୟବସାୟ କରି ଅନନ୍ତ ବେଶ ଖୁସି ଥିବାବେଳେ ସେ କାହା ଉପରେ ନିର୍ଭରଶୀଳ ନୁହଁନ୍ତି । ବରଂ ତାଙ୍କ ଉପରେ ୬ ଜଣ ପରିବାର ନିର୍ଭର କରନ୍ତି । ଜମିବାଡ଼ି ଗୁଣ୍ଠେ ନାହିଁ । ତଥାପି ସେ କେବେ ଦୁଃଖ କରିନାହାନ୍ତି । ଯଦି ତାଙ୍କୁ ସରକାରୀ ସହାୟତା ମିଳନ୍ତା ଭଲ ଭାବେ ପରିବାର ଚଳାଇବା ସହ ବ୍ୟବସାୟରେ ଉନ୍ନତି ଆଣିପାରନ୍ତେ ବୋଲି କହିଛନ୍ତି ।

ଅନନ୍ତଙ୍କ ହାତରୁ ଥରେ ଯିଏ ଗୁପଚୁପ୍ ଖାଇଛି । ପୁନର୍ବାର ସେ ନିଶ୍ଚୟ ଆସିଛି । ଅନନ୍ତଙ୍କ ପ୍ରସ୍ତୁତ ଗୁପଚୁପ୍ କଲେଜ ପିଲାଙ୍କର ଭାରି ପ୍ରିୟ ହୋଇଥିବା ବେଳେ କଲେଜ ଛାତ୍ରଛାତ୍ରୀଙ୍କୁ ଭଗବାନ ବୋଲି କୁହନ୍ତି ଅନନ୍ତ ।