ଜଳ ପାଲଟିଛି ଜହର । ଦୂଷିତ ପାଣି ବଢାଉଛି କିଡନୀ ରୋଗ, ୨ ବର୍ଷରେ ଗଲାଣି ୧୦ରୁ ଅଧିକ ଜୀବନ ।

325

କନକ ବ୍ୟୁରୋ : ପାଣି ବିନା ବଂଚିବା କଷ୍ଟକର ହୋଇଥିବାବେଳେ, ଏବେ ସେହି ପାଣି ହିଁ ସାଜିଛି କାଳ । ୨ ବର୍ଷରେ ଗଲାଣି ୧୦ରୁ ଅଧିକ ଜୀବନ । ଦୂଷିତ ପାଣି ପିଇ କିଡନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଖୁଦଖାଇ ସାଇ ବାସିନ୍ଦା । ସେପଟେ ଦୂଷିତ ପାଣି ପାଇଁ ବଲାଙ୍ଗିର୍ ଜିଲ୍ଲାରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଛି । ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକ୍ ସିଙ୍ଘଭାଡି ଗାଁରେ ଦୂଷିତ ପାଣି ପିଇ କିଡନୀ ରୋଗରେ ଆକ୍ରାନ୍ତ ହୋଇ ୧୫ ଲୋକଙ୍କ ଜୀବନ ଗଲାଣି ।

ଜଳ ପାଲଟିଛି ଜହର । ଦୂଷିତ ପାଣି ବଢାଉଛି କିଡନୀ ରୋଗ ! ପାଣି ପାଇଁ କିଡନୀ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ । ଢେଙ୍କାନାଳ କାମାକ୍ଷାନଗର ବ୍ଲକ୍ ଖୁଦଖାଇ ସାହିରେ ଦୂଷିତ ପାଣି ପିଇ ଲୋକେ କୀଡନୀ ଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଗତ ୨ ବର୍ଷରେ ୧୦ ଜଣରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଗାଁରେ ୪୦ ଟି ପରିବାରର ୨୦୦ରୁ ଅଧିକ ଲୋକ ବସବାସ କରୁଥିବା ବେଳେ, ଲୋକଙ୍କୁ ଜଳ ଯୋଗାଇବା ପାଇଁ ଏକ ମାତ୍ର ଖୋଲାକୂଅ ଓ ଗୋଟିଏ ନଳକୂପ ରହିଛି । ଆଉ ଏଥିରୁ ବାହାରୁଛି ଦୂଷିତ ପାଣି । ଯାହାକୁ ପିଇ କିଡନୀ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି । ସେପଟେ ଉପଜିଲ୍ଲାପାଳ କହିଛନ୍ତି ଖୁବଶୀଘ୍ର ମେଡିକାଲ୍ ଅଫିସରଙ୍କୁ ଗାଁକୁ ପଠାଯିବ ଏବଂ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ ।

ସେପଟେ ସେଇ ଦୂଷିତ ପାଣି ପିଇ ୧୫ ଲୋକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି ବଲାଙ୍ଗିର୍ ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ ସିଙ୍ଘଭାଡି ଗାଁରୁ । ଗାଁରେ କିଡନୀ ରୋଗ ସାଜିଛି କାଳ । ଗତ ୨ ବର୍ଷରେ ୧୫ଲୋକଙ୍କ ଜୀବନହାନି ହୋଇଥିବାବେଳେ, ଗାଁରେ ଆହୁରି ୧୫ରୁ ଅଧିକ ଲୋକ ରୋଗରେ ପୀଡିତ ହୋଇଛନ୍ତି । ଏଥିପାଇଁ ଗାଁରେ ଥିବା ଏକମାତ୍ର ନଳକୂପ ଦାୟୀ ବୋଲି ସନ୍ଦେହ କରୁଛନ୍ତି ଗ୍ରାମବାସୀ । ସେପଟେ ଏନେଇ ସିନେ୍ଧକେଲା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ୍ ଅଫିସରଙ୍କ କହିବା କଥା କିଡନୀ ସମସ୍ୟା ବାବଦରେ ସେ ଅବଗତ ଅଛନ୍ତି । ଖୁବଶୀଘ୍ର ଗାଁକୁ ଡାକ୍ତରୀ ଦଳ ପଠାଇବା ସହ ଗାଁର ପାଣି ପରୀକ୍ଷା କରାଯିବ । ପାନୀୟ ଜଳ ସମସ୍ୟା ସୁଧୁରି ଗଲେ ଉଭୟ ଖୁଦଖାଇ ସାହି ଏବଂ ସିଙ୍ଘଭାଡି ଗାଁରେ କିଡନୀ ସମସ୍ୟା ଦୁର ହୋଇ ପାରିବ ବୋଲି ଆଶା କରାଯାଉଛି ।