କରୋନା ଲକ୍ଷଣ ଥିଲେ ଯାଆନ୍ତୁ ନାହିଁ ସ୍କୁଲ । ଭାଇରସକୁ ଭୟ ନକରି ସତର୍କ ରହିବାକୁ ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ ।

178

କନକ ବ୍ୟୁରୋ : ସ୍କୁଲରେ ବଢୁଛି କରୋନା ସଂକ୍ରମଣ । ସୁନ୍ଦରଗଡର ସ୍କୁଲ ଛାତ୍ରୀ ଏବଂ ବୁର୍ଲାର ଡାକ୍ତର ଛାତ୍ରଛାତ୍ରୀ ସଂକ୍ରମିତ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ କେହି ସେମିତି ଗୁରୁତର ନାହାନ୍ତି । ତେଣୁ ଏହାକୁ ନେଇ ଭୟ ନକରି ସମସ୍ତେ କୋଭିଡ ନିୟମ ମାନିବା ଦରକାର ବୋଲି ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । କରୋନା କଟକଣା ନମାନିଲେ, ସଂକ୍ରମଣ ବଢିବାର ଆଶଙ୍କା ରହିଛି । ତେଣୁ କରୋନାକୁ ନଡରି ସତର୍କ ରହିବା ପାଇଁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

କରୋନା ସଂକ୍ରମଣ କମିବାରେ ଲାଗିଛି । ରାଜ୍ୟରେ ସ୍କୁଲ, କଲେଜ ଖୋଲିବା ଆରମ୍ଭ କରିଛି । ଆଉ ଏହାରି ଭିତରେ ସୁନ୍ଦରଗଡ ଏବଂ ବୁର୍ଲାରେ କିଛି ଛାତ୍ର ଛାତ୍ରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ସୁନ୍ଦରଗଡ ସେନ୍ଟମେରୀ ବାଳିକା ଉଚ୍ଚ ବିଦ୍ୟାଳୟର ୫୩ ଛାତ୍ରୀ ସଂକ୍ରମିତ ହୋଇଥିବା ବେଳେ ବୁର୍ଲା ଭୀମସାରର ୨୨ ଛାତ୍ରଛାତ୍ରୀ ସଂକ୍ରମିତ ହୋଇଛନ୍ତି । ସ୍କୁଲ ଛାତ୍ରୀମାନେ ପ୍ରାପ୍ତ ବୟସ୍କ ହୋଇନଥିବାରୁ ଟିକା ନେଇ ନାହାନ୍ତି । କିନ୍ତୁ ସେମାନଙ୍କ ମଧ୍ୟରେ କେହି ଗୁରୁତର ନାହାନ୍ତି । ଦୁଇଟି ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ସଂଗରୋଧ କରି ରଖିବାକୁ ନିଷ୍ପତି ନିଆଯାଇଛି । ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ବାହାରକୁ ବାହାରିବା ଉପରେ ରୋକ୍ ଲଗାଯାଇଥିବା ସୂଚନା ରହିଛି ।

ସେଣ୍ଟମେରୀ ସ୍କୁଲ ଏବଂ ବୁର୍ଲା ମେଡିକାଲ କଲେଜର ସଂକ୍ରମିତ ଛାତ୍ରଛାତ୍ରୀଙ୍କ ଚିକିତ୍ସା ଚାଲିଛି । ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି । ଆଉ ବୁର୍ଲାରେ ହେବାକୁ ଥିବା ଏମବିବିଏସ ଅଫଲାଇନ ପରୀକ୍ଷା ଅନଲାଇନ୍ କରାଯିବ ବୋଲି ଜଣାପଡିଛି ।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ସୁନ୍ଦରଗଡ ସ୍କୁଲରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କେହି ଗୁରୁତର ନାହାନ୍ତି । ଲକ୍ଷଣହୀନ ଛାତ୍ରୀଙ୍କୁ ସଙ୍ଗରୋଧରେ ରଖାଯାଇଛି । ଆଉ ଡିଏମଇଟି ରମା ରମଣ ମହାନ୍ତି ମଧ୍ୟ ଏ ସଂପର୍କରେ ସୁନ୍ଦରଗଡ଼ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । କୋଭିଡ ଲକ୍ଷଣ ବଦଳୁଛି । ଟିକାକରଣ ଯୋଗୁ ସ୍ୱଳ୍ପ ଲକ୍ଷଣ ଦେଖାଯାଉଛି । ସ୍କୁଲ ଛାତ୍ରଛାତ୍ରୀ ଟିକା ନେଇନାହାନ୍ତି । ତେଣୁ ଯଦି ସଂକ୍ରମଣ ବଢେ, ତେବେ ସରକାର ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ଜଣାପଡିଛି ।