କନକ ବ୍ୟୁରୋ : ରୁଟି ବ୍ୟବସାୟ ବଦଳାଇଲା ଡ଼ିପ୍ଳୋମା ଛାତ୍ରଙ୍କ ଜୀବନ । ଡ଼ିପ୍ଲୋମା ପାଠପଢ଼ିବା ପରେ ଚାକିରୀ ପଛରେ ନପଡ଼ି ରୁଟି ବ୍ୟବସାୟ ଆପଣାଇଲେ । ଆଉ ବନିଗଲେ ଜଣେ ସଫଳ ବ୍ୟବସାୟୀ । ଆମେ କହୁଛୁ ବ୍ରହ୍ମପୁର ଉପକଣ୍ଠ ବୋରିଗାଁର ମାଧବ ସାହୁଙ୍କ କଥା । ମାଧବ ଡ଼ିପ୍ଳୋମା ପାଠ ଶେଷ କରିବା ପରେ ତାଙ୍କ ବାପାଙ୍କ ବ୍ୟବସାୟରେ ସହଯୋଗ କରୁଥିଲେ । ୨୦୧୯ରେ ଭୁବନେଶ୍ବରେ ରୁଟି ଫେକ୍ଟ୍ରି କରିବା ନିମନ୍ତେ କାମ ଆରମ୍ଭ କରିଥିଲେ । ଏହାର ୫ ମାସ ପରେ କୋରୋନା ମହାମାରୀ ଯୋଗୁଁ ବ୍ୟବସାୟ ଠପ୍‌ ହୋଇଗଲା । ଏହାପରେ ପୁଣି ଥରେ ବ୍ୟବସାୟ ଆରମ୍ଭ କଲେ । ହେଲେ କରୋନା ଦ୍ବିତୀୟ ୱେଭରେ ପୁଣି କ୍ଷତି ସହିବାକୁ ପଡ଼ିଥିଲା । ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିବା ପରେ ବି ଭାଙ୍ଗିପଡ଼ିନଥିଲେ ମାଧବ । ଭୁବନେଶ୍ବର ଛାଡ଼ି ବ୍ରହ୍ମପୁର ଆସି ପୁଣି ଥରେ ରୁଟି ଫ୍ୟାକ୍ଟ୍ରି ଆରମ୍ଭ କରିଥିଲେ । ଆଉ ବ୍ରହ୍ମପୁରରେ ବେଶ ଆଦୃତ ହୋଇପାରିଥିଲା ମାଧବଙ୍କ ଏହି ରୁଟି ବ୍ୟବସାୟ । ବର୍ତ୍ତମାନ ମାଧବ ପ୍ରତିଦିନ ୧୪ ହଜାରରୁ ୧୫ ହଜାର ରୁଟି ପ୍ରସ୍ତୁତ କରି ବ୍ରହ୍ମପୁର ସହରର ୭୦ରୁ ଅଧିକ ଦୋକାନ ଓ ହଷ୍ଟେଲକୁ ପଠାଉଛନ୍ତି । ଏହାସହିତ ଜିଲ୍ଲାର ବିଭିନ୍ନ ବ୍ଳକ ସମେତ ପୋଡ଼ଶୀ ରାଜ୍ୟ ଆନ୍ଦ୍ରପ୍ରଦେଶର ବିଭିନ୍ନ ଜିଲ୍ଲାକୁ ମଧ୍ୟ ରୁଟି ପଠାଉଛନ୍ତି ମାଧବ । ମାଧବ ନିଜ ରୁଟି ଫ୍ୟାକ୍ଟ୍ରିରେ ଗାଁର ୨୫ ଜଣ ଯୁବକ ଓ ମହିଳାଙ୍କୁ ନିଯୁକ୍ତି ଦେଇଛନ୍ତି । ଆଉ ମାସିକ ସମସ୍ତ ଖର୍ଚ୍ଚ ଯାଇ ପ୍ରାୟ ୮୦ ହଜାରରୁ ଅଧିକ ଟଙ୍କା ଲାଭ ପାଉଥିବା କହିଛନ୍ତି ମାଧବ ।

ମାଧବଙ୍କୁ ଏହି କାମରେ ତାଙ୍କ ବାପା ସାହାଯ୍ୟ କରନ୍ତି । ରୁଟି ଫେକ୍ଟ୍ରି ଆରମ୍ଭ କରିବା ପୂର୍ବରୁ ଗୁଜୁରାଟ ଯାଇଥିଲେ ମାଧବ । ସେଠାରେ କିଭଳି କମ ସମୟରେ ଅଧିକ ରୁଟି ପ୍ରସ୍ତୁତ ହୋଇପାରିବ ସେନେଇ ତାଲିମ ନେଇଥିଲେ । ମାଧବଙ୍କ ଏହି କାମରେ ଆଖପାଖ ଅଂଚଳର ୨୫ ଜଣଙ୍କୁ ନିଯୁକ୍ତି ମିଳିଥିବାରୁ ଖୁସି ପ୍ରକାଶ କରିଛନ୍ତି ତାଙ୍କ ବାପା । କର୍ମଚାରୀ ମାନେ ସକାଳ ୯ଟାରୁ ସନ୍ଧ୍ୟା ୭ଟା ପର୍ୟ୍ୟନ୍ତ କାମ କରୁଛନ୍ତି । ରୁଟି ଫେକ୍ଟ୍ରିରେ ଚୁନା ଗୋଳାଇବା ଠାରୁ ଆରମ୍ଭ କରି ରୁଟି ପ୍ରସ୍ତୁତ କରିବା କାମ ସବୁ ମେସିନ ଯୋଗେ ହେଉଛି । କେବଳ ମେସିନକୁ ଚଳାଇବା ଓ ରୁଟି ପ୍ରସ୍ତୁତ ହେବା ପରେ ତାହାକୁ ପ୍ୟାକିଂ କରିବା କାମ କର୍ମଚାରୀ କରିଥାନ୍ତି । ପୂର୍ବରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଅନେକ ସମସ୍ୟାର ସମ୍ମଖୀନ ହେଉଥିଲେ ସ୍ଥାନୀୟ ଅଂଚଳର ଲୋକେ । ଏବେ ନିଜ ଗାଁରେ ରହି ମାଧବଙ୍କ ରୁଟି ଫେକ୍ଟ୍ରିରେ କାମ କରି ଭଲ ଦୁଇ ପଇସା ରୋଜଗାର କରି ଖୁସୀରେ ଥିବା କହିଛନ୍ତି ଫେକ୍ଟ୍ରିର କର୍ମଚାରୀ ।

ଡ଼ିପ୍ଳୋମା ପାଠ ସାରିବା ପରେ ଚାକିରୀ ପଛରେ ନପଡ଼ି ଜଣେ ସଫଳ ବ୍ୟବସାୟ ହୋଇପାରିଛନ୍ତି ମାଧବ । ଆଉ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା ।