ସୁନ୍ଦରଗଡର ଯୁବ ଇଂଜିନିୟରଙ୍କ କୁକୁଡା ଫାର୍ମ । ଇଂଜିନିୟର ଚାକିରିରେ ମିଳୁନଥିଲା ଆତ୍ମତୃପ୍ତି,ଚାକିରି ଛାଡି କଲେ କୁକୁଡା ଚାଷ ।

195

କନକ ବ୍ୟୁରୋ: ପେଶାରେ ଡିପ୍ଲୋମା ଇଞ୍ଜିନିୟର ଆଉ ଚାକିରି ମଧ୍ୟ କରୁଥିଲେ ଏନଟିପିସି ଭଳି କଂପାନୀରେ । ହେଲେ ସ୍ୱାବଲମ୍ବୀ ହେବାର ନିଶା ତାଙ୍କୁ ଆଜି ଜଣେ ସଫଳ କୁକୁଡା ଚାଷୀର ପରିଚୟ ଦେଇଛି । ଅଳ୍ପ ସମ୍ବଳରେ ଏବଂ ବିନା କୌଣସି ସରକାରୀ ସାହାଯ୍ୟରେ ନିଜକୁ ପ୍ରତିଷ୍ଠା କରିବା ସହିତ ଅନ୍ୟ ଯୁବ ଉଦ୍ୟମୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି ସଫଳ ଚାଷୀ ଓ ଅଣ୍ଡା ବ୍ୟବସାୟୀ ଦେବେନ୍ଦ୍ର ବେକ୍ ।

ଏନଟିପିସି କଂପାନୀରେ ଠିକା ଇଞ୍ଜିନିୟର ଚାକିରି କରୁଥିଲେ ସବଡେଗା କରମଡିହିର ଦେବେନ୍ଦ୍ର ବେକ୍ । ଶିକ୍ଷାଗତ ଯୋଗ୍ୟତାକୁ ନେଇ ଚାକିରି ମିଳିଥିଲା, କିନ୍ତୁ ସେଥିରେ ଆତ୍ମସନ୍ତୁଷ୍ଟି ନଥିଲା । ନିଜେ କିଛି କରି ସ୍ୱାବଲମ୍ବୀ ହେବାର ନିଶା ଦେବେନ୍ଦ୍ରଙ୍କୁ ଇଂଜିନିୟର ଚାକିରିରେ ରଖେଇ ଦେଲା ନାହିଁ । ଚାକିରି ଛାଡି କୁକୁଡା ଚାଷରେ ମନ ନିବେଶ କଲେ ଏହି ଯୁବ ଇଂଜିନିୟର ।

ଆଧୁନିକ ପଦ୍ଧତିରେ ଏକ ମଡେଲ୍ ଭଳି କୁକୁଡା ଫାର୍ମ କରିଛନ୍ତି । କମ୍ ଜାଗାରେ ଲୟର କୁକୁଡା ପାଳନ କରି ଅଣ୍ଡା ଉତ୍ପାଦନ କରୁଛନ୍ତି ଦେବେନ୍ଦ୍ର । ଆଉ ଏସବୁ କରିବା ପାଇଁ କିଛି କମ୍ ସଂଘର୍ଷ କରିନାହାନ୍ତେ ସେ । ଚାକିରି ଛାଡି ଏକ କୁକୁଡା ଫାର୍ମ କରିବା ପାଇଁ ଷ୍ଟାର୍ଟଅଫ୍ ଯୋଜନାରେ ଋଣ ମିଳିଲା ନାହିଁ । ସାଙ୍ଗ ସାଥୀଙ୍କ ଠାରୁ କରଜ କଲେ, ମାମୁଁଙ୍କ ଠାରୁ ମାଗି ଆଣିଥିବା ୧୦ ଡିସମିଲ ଜମିରେ ଏହି କୁକୁଡା ଫାର୍ମକୁ ଠିଆ କରିଛନ୍ତି । ୟୁଟ୍ୟୁବରୁ ଏନେଇ ପ୍ରଶିକ୍ଷଣ ନେଇଛନ୍ତି । ଏବେ ୨ ହଜାର କୁକୁଡା ରଖି ଦିନକୁ ୧୭ଶହ ଅଣ୍ଡା ଉତ୍ପାଦନ କରୁଛନ୍ତି । ଆଉ ଏହି ଅଣ୍ଡାକୁ ବିକ୍ରି କରି ମାସକୁ ୨୭ରୁ ୩୦ ହଜାର ଟଙ୍କା ରୋଜଗାର କରୁଛନ୍ତି ଦେବେନ୍ଦ୍ର । ଏମିତି କରି ଦେବେନ୍ଦ୍ର କେବଳ ସ୍ୱାବଲମ୍ବୀ ହୋଇଛନ୍ତି ତା’ନୁହେଁ, ସେ ୧୦ରୁ ଅଧିକ ସ୍ଥାନୀୟ ଲୋକଙ୍କୁ ରୋଜଗାର ଯୋଗାଇ ଦେଇଛନ୍ତି । ନିକଟରେ ଭୁବନେଶ୍ୱରରେ ଅନୁଷ୍ଠିତ କୃଷି ଓଡିଶା କାର୍ଯ୍ୟକ୍ରମରେ ଦେବେନ୍ଦ୍ରଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଛି ।