ପଦ୍ମାବତ ପରେ ପୁଣି ଏକ ଫିଲ୍ମରେ ଲିଡ ରୋଲରେ ଆସୁଛନ୍ତି ଡିମ୍ପଲ ଗର୍ଲ ଦୀପିକା ପାଦୁକୋଣ । ଏବେ ବଲିଉଡରେ ସତ ଲୋକଙ୍କ କାହାଣୀକୁ ନେଇ ବା ବାୟୋପିକ୍ ଫିଲ୍ମର ଜମାନା ଚାଲିଛି। ଆମେ କିଛିଦିନ ତଳେ ଦେଖିଥିଲେ, ଜଣେ ମହିଳା ଅଣ୍ଡରଓ୍ଵାର୍ଲଡ୍ ଡନ୍ ହସିନା ପାର୍କରର ଜୀବନ କାହାଣୀକୁ ନେଇ ତିଆରି ହୋଇଥିବା ଫିଲ୍ମରେ ଶୀର୍ଷକ ଭୂମିକାରେ ଆସିଥିଲେ ଶ୍ରଦ୍ଧା କପୁର୍। ଦୀପିକାଙ୍କର ଏଇ ନୂଆ ଫିଲ୍ମଟି ବି ଅଣ୍ଡର୍ଓ୍ଵାର୍ଲଡର ଆଉ ଜଣେ କୁଖ୍ୟାତ ମହିଳା ଡନ୍ ଆସରଫ୍ ଖାଁ ଓରଫ୍ ସପନା ଦିଦିର କାହାଣୀ ଉପରେ ଆଧାରିତ। ବିଶାଳ ଭାରଦ୍ୱାଜ ଏହାର ନିର୍ଦ୍ଦେଶକ।
ସପନା ଦିଦିର ନାଁରେ ଏକଦା ମୁମ୍ବାଇ ଅଣ୍ଡର୍ଓ୍ଵାର୍ଲଡ୍ ଥରହର ହେଉଥିଲା। ତେବେ ସପନା ଦିଦି ପ୍ରଥମେ ଜଣେ ସାଧାରଣ ଘରୋଇ ମହିଳା ଥିଲା। ତା’ର ବାହାଘର ହୋଇଥିଲା ଏମିତି ଜଣେ ଲୋକ ସହିତ, ଯିଏ ଅଣ୍ଡରଓ୍ଵାର୍ଲଡ୍ ଡନ୍ ଦାଉଦ୍ ଇବ୍ରାହିମ୍ ପାଇଁ କାମ କରୁଥିଲା। ସେଥିପାଇଁ ଅଣ୍ଡରଓ୍ଵାର୍ଲଡର ଅନେକ ଲୋକଙ୍କ ସହିତ ସପନା ଦିଦିର ପରିଚୟ ହୋଇଥିଲା। ଦାଉଦର ଚକ୍ରାନ୍ତରେ ଏକ ପୁଲିସ୍ ଏନକାଉଣ୍ଟରରେ ସପନା ଦିଦିର ସ୍ୱାମୀ ମୃତ୍ୟୁବରଣ କରିବା ପରେ ସେ ପ୍ରତିଶୋଧ ନେବାକୁ ପ୍ରତିଜ୍ଞା କରିଥିଲା। ସେଥିପାଇଁ ସେ ଦାଉଦର ଦୀର୍ଘଦିନର ଶତ୍ରୁ ହୁସେଦ୍ ଉସତାରା ସହିତ ହାତ ମିଳାଇଥିଲା। ଆଉ ଏହାସହ ଅଣ୍ଡରୱାର୍ଲ୍ଡ ଜଗତରେ ପାଦ ଦେଇଥିଲା ସପନା ଦିଦି । ସମୟକ୍ରମେ ସହଯୋଗୀମାନଙ୍କ ସାହାଯ୍ୟରେ ସାରଜାରେ ଏକ କ୍ରିକେଟ୍ ମ୍ୟାଚ୍ ଦେଖୁଥିବା ସମୟରେ ଦାଉଦକୁ ହତ୍ୟା କରିବାଲାଗି ସେ ଯୋଜନା କରିଥିଲା। କିନ୍ତୁ ସେ ଯୋଜନା ସଫଳ ତ ହେଲାନାହିଁ, ସେଇଥିରେ ସପ୍ନା ଦିଦିର ଜୀବନ ବି ଚାଲିଗଲା। ତା’କୁ ସେଠାରେ ଅତି ନୃଶଂସ ଭାବେ ହତ୍ୟା ଯାଇଥିଲା।
ଆଉ ଦୀର୍ଘବର୍ଷ ପରେ ସପନା ଦିଦିଙ୍କ କାହାଣୀକୁ ରୂପେଲି ପରଦାକୁ ଆଣିବାକୁ ଯୋଜନା କରିଛନ୍ତି ବିଶାଳ ଭରଦ୍ୱାଜ । ଆଉ ସପନା ଦିଦିଙ୍କ ଭୂମିକା ପାଇଁ ଦୀପିକା ତାଙ୍କର ପ୍ରଥମ ପସନ୍ଦ ବୋଲି କହିଛନ୍ତି ବିଶାଳ ।ଏହାସହ ଏହି ଫିଲ୍ମଟିକୁ ନେଇ ଦୀପିକା ବେଶ୍ ଉତ୍ସାହିତ ଅଛନ୍ତି। ଏଥିରେ ଇର୍ଫାନ୍ ଖାଁ ମଧ୍ୟ ଅଭିନୟ କରିବେ। ‘ପିକୁ’ ପରେ ଇଏ ଇର୍ଫାନଙ୍କ ସହିତ ଦୀପିକାଙ୍କର ଦ୍ୱିତୀୟ ଫିଲ୍ମ ହେବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/02/deepika-xxx-7591.jpg)