ଜୟା କିଶୋରୀଙ୍କୁ ଅଶ୍ଲୀଳ ଟିପ୍ପଣୀ ସହ ଜୀବନରୁ ମାରିଦେବାକୁ ଧମକ, ହୋଟେଲ ବ୍ୟବସାୟୀ ଦୀପେଶଙ୍କୁ ଗିରଫ କଲା ପୋଲିସ ।

438

କନକ ବ୍ୟୁରୋ : ଲୋକପ୍ରିୟ ମହିଳା ପ୍ରବଚକ ଜୟା କିଶୋରୀଙ୍କ ପିଛା କରିବା ଏବଂ ତାଙ୍କୁ ଅଶ୍ଲୀଳ ଟିପ୍ପଣୀ କରିବା ଘଟଣାକୁ ନେଇ ଜଣେ ହୋଟେଲ ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ । ଜୟା କିଶୋରୀ ଗତ ମଙ୍ଗଳବାର ଦିନ ମହିଳା ହେଲ୍ପ ଲାଇନ ୧୦୯୦ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଲକ୍ଷ୍ନୌ ସ୍ଥିତ ଅଡିଟୋରିୟମରେ ପହଞ୍ଚିଥିଲେ । ଏହି ସମୟରେ ମହିଳାଙ୍କୁ ସଶକ୍ତ ଓ ସାହସୀ ହେବାକୁ ନେଇ ଭିନ୍ନ ପ୍ରକାର ଟିପ୍ସ ଦେଇଥିଲେ ।

ଏହି ପ୍ରବଚନ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ହୋଟେଲ ବ୍ୟବସାୟୀ ଦୀପେଶ ଠାକୁରଦାସ ଭବାନୀ ଜୋରଜବରଦସ୍ତି କାର୍ଯ୍ୟକ୍ରମସ୍ଥଳକୁ ଯିବା ସହ ମଞ୍ଚ ଉପରକୁ ଚଢି ଯାଇଥିଲେ । ଏପରିକି ଜୟା କିଶୋରୀଙ୍କ ପ୍ରତି ଅଶ୍ଲୀଳ ଟିପ୍ପଣୀ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ।

ଏହି ଘଟଣା ପରେ ଜୟା କିଶୋରୀଙ୍କ ସର୍ମ୍ପକୀୟ ପୋଲିସ ଥାନାରେ ଏଫଆଇଆର ଦାୟର କରିଥିଲେ । ଘଟଣା ବାବଦରେ ପୋଲିସ ଜାଣିବା ପରେ ଏହାର ଯାଞ୍ଚ କରି ଦୀପେଶଙ୍କୁ ଗିରଫ କରିଥିଲା । ଦୀପେଶ ସୋସିଆଲ ମିଡ଼ିଆରେ ଜୟା କିଶୋରୀଙ୍କୁ ଫଲୋ କରନ୍ତି । ତେଣୁ ଜୟା କିଶୋରୀଙ୍କ ସମସ୍ତ କାର୍ଯ୍ୟକ୍ରମ ବାବଦରେ ଦୀପେଶ ଆଗୁଆ ଅବଗତ ହେବା ସହ କାର୍ଯ୍ୟକ୍ରମସ୍ଥଳକୁ ବିନା ପଞ୍ଜିକରଣରେ ଯାଇଥାନ୍ତି । ଏହାପୂର୍ବରୁ ହାଇଦ୍ରାବାଦ, ଜୟପୁର, ଜଳନ୍ଧରରେ ମଧ୍ୟ ଜୟା କିଶୋରୀଙ୍କ କାର୍ଯ୍ୟକ୍ରମରେ ମଞ୍ଚ ଉପରକୁ ଚଢିଥିଲେ ଦୀପେଶ । ଉକ୍ତ ସ୍ଥାନରେ ମଧ୍ୟ ଦୀପେଶଙ୍କ ନାଁରେ ମାମଲା ରହିଛି ।