ବିଜେପି ଜାରି କଲା ନୂଆ ପ୍ରାର୍ଥୀ ତାଲିକା ! ରାୟବରେଲିରେ ସୋନିଆ-ଦିନେଶ ପ୍ରତାପ ଫାଇଟ୍, ଆଜମଗଡରେ ଅଖିଲେଶଙ୍କୁ ଟକ୍କର ଦେବେ ଦିନେଶ ଲାଲ୍ ଯାଦବ ।

84

କନକ ବ୍ୟୁରୋ : ୨୦୧୯ ଲୋକସଭା ନିର୍ବାଚନ ପାଇଁ ଉତ୍ତରପ୍ରଦେଶରେ ଆଶାୟୀଙ୍କ ନୂଆ ତାଲିକା ଜାରି କରିଛି ଭାରତୀୟ ଜନତା ପାର୍ଟି । ଆଉ ଏହା ମଧ୍ୟରେ ରହିଛି, ଫିରୋଜାବାଦ, ମୈନପୁରୀ, ରାୟବରେଲି, ଆଜମଗଡ ଏବଂ ମଛଲିସହର ଆସନ । ତେବେ ସବୁଠାରୁ ବଡ କଥା ହେଉଛି, ରାୟବରେଲି ଆସନରୁ ସୋନିଆ ଗାନ୍ଧି କଂଗ୍ରେସ ଟିକେଟରୁ ଲଢୁଥିବା ବେଳେ ବିଜେପି ଏହି ଆସନରୁ ଦିନେଶ ପ୍ରତାପ ସିଂହଙ୍କୁ ମଇଦାନକୁ ଓହ୍ଲାଇଛି । ଏହି ଆସନରେ ସୋନିଆଙ୍କ ସହ ଦିନେଶଙ୍କ କଡା ଟକ୍କର ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି ।

ସେପଟେ ଉତ୍ତରପ୍ରଦେଶ ଆଜମଗଡ ଲୋକସଭା ଆସନରୁ ସପା ଅଧ୍ୟକ୍ଷ ଅଖିଲେଶ ଯାଦବ ମଇଦାନକୁ ଓହ୍ଲାଇଥିବା ବେଳେ, ଏହି ଆସନରୁ ଭୋଜପୁରୀ ଗାୟକ ଦିନେଶ ଲାଲ ଯାଦବ ‘ନିରହୁଆ’ଙ୍କୁ ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟି । ଏହା ସହ ମହାରାଷ୍ଟ୍ରର ଗୋଟିଏ ଆସନ ପାଇଁ ମଧ୍ୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ଉତ୍ତର-ପୂର୍ବ ମୁମ୍ବାଇରୁ ମନୋଜ କୋଟକଙ୍କୁ ପ୍ରାର୍ଥୀ କରିଛି ଦଳ । ନିର୍ବାଚନ ପାଖଉଥିବା ବେଳେ, ରାଜନୀତି ମଧ୍ୟ ବଢିବାରେ ଲାଗିଛି । ତେବେ ଆଜମଗଡ ଲୋକସଭା ଆସନର ଏଥର ଜବରଦସ୍ତ ଫାଇଟ୍ ଦୋଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି ।

ସେହିପରି ମୈନପୁରୀ ଆସନ ପାଇଁ ପ୍ରେମ ସିଂ ସାକୟଙ୍କ ନାଁ ଘୋଷଣା କରାଯାଇଛି । ଏହି ଆସନରୁ ଏସପି ନେତା ମୁଲାୟମ ସିଂ ଯାଦବ ଲଢୁଛନ୍ତି । ୟୁପିର ଫିରୋଜଦାବାଦରୁ ବିଜେପି ଚନ୍ଦ୍ର ସେନ ଯାଦୁନଙ୍କୁ ଛିଡା କରିଛି । ୨୦୧୪ ନିର୍ବାଚନରେ ଏହି ତିନୋଟି ଆସନରୁ ବିଜେପି ହାରିଥିଲା ।ସେହିପରି ମୁମ୍ବାଇ ଉତ୍ତରପୂର୍ବ ଆସନରୁ ବିଜେପି ଏବେ ଏମପି ଥିବା କିରିଟ ସୋମାୟାଙ୍କୁ ଟିକେଟ ଦେଇନାହିଁ । ଶିବସେନାର ବିରୋଧ କାରଣରୁ ତାଙ୍କୁ ଟିକେଟ ଦିଆଯାଇନାହିଁ । ତାଙ୍କ ସ୍ଥାନରେ ମନୋଜ କୋଟାଲଙ୍କୁ ଛିଡା କରାଯାଇଛି । ବିଜେପିର ମୁଖପାତ୍ର ଥିବା ସୋମାୟା ଶିବସେନାର ଜଣେ ପ୍ରଖର ସମାଲୋଚକଭାବେ ଜଣାଶୁଣା ।