ଓଡ଼ିଶା ରଣଜୀ ଦଳର ନୂଆ କୋଚ୍ ହେବେ ଦିନେଶ ମୋଙ୍ଗିଆ! ଟିମ୍ ଇଣ୍ଡିଆର ବିଶ୍ୱକପ ଦଳରେ ପୂର୍ବରୁ ପାଇଥିଲେ ସ୍ଥାନ ।

433

କନକ ବ୍ୟୁରୋ : ଓଡ଼ିଶା ରଣଜୀ ଦଳର ନୂଆ କୋଚ ହେବେ ପୂର୍ବତନ ଭାରତୀୟ କ୍ରିକେଟର ଦିନେଶ ମୋଙ୍ଗିଆ । ଆସନ୍ତା ୨୧ ତାରିଖରେ ଦିନେଶ ମୋଙ୍ଗିଆ ଓଡ଼ିଶା ଆସିବେ । ଏହାସହ ଓଡ଼ିଶା ରଣଜୀ ଦଳର ଦାୟିତ୍ୱ ଗ୍ରହଣ କରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ତେବେ ଓସିଏ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ଦିନେଶ ମୋଙ୍ଗିଆ ଭାରତ ପାଇଁ ଦିନିକିଆ ଓ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ବାମହାତୀ ବ୍ୟାଟର ଦିନେଶ ମୋଙ୍ଗିଆ ଭାରତ ପାଇଁ ୫୭ଟି ଦିନିକିଆ ଓ ଗୋଟିଏ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ୫୭ ମ୍ୟାଚରୁ ମୋଙ୍ଗିଆ ୧୨୩୦ ରନ୍ କରିଥିବା ବେଳେ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ୧୫୯ ରହିଥିଲା । ଯାହାକ ଜିମ୍ବାୱେ ବିପକ୍ଷରେ ହାସଲ କରିଥିଲେ ମୋଙ୍ଗିଆ । ସେହିଭଳି ବୋଲିରେ ମଧ୍ୟ ତାଙ୍କର ପ୍ରଭାବୀ ପ୍ରଦର୍ଶନ ରହିଥିଲା । ଅନ୍ତର୍ଜାତୀୟ କ୍ୟାରିୟରରେ ମୋଙ୍ଗିଆ ଦିନିକିଆରେ ୧୪ଟି ୱିକେଟ ହାସଲ କରିଛନ୍ତି । ଶେଷ ଦିନିକିଆ ମ୍ୟାଚ୍ ୨୦୦୭ରେ ଖେଳିଥିଲେ ଦିନେଶ ମୋଙ୍ଗିଆ ।

ଦିନେଶ ମୋଙ୍ଗିଆଙ୍କ ଭଳି ଅନୁଭବୀ କ୍ରିକେଟରଙ୍କୁ କୋଚ୍ ଦାୟିତ୍ୱ ମିଳିବା ରାଜ୍ୟ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର ଆଣି ଦେଇଛି । ମୋଙ୍ଗିଆଙ୍କ ମାର୍ଗଦର୍ଶନରେ ଓଡ଼ିଶା ରଣଜୀ ଦଳ ଚଳିତ ସିଜିନରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି । ଏହାପୂର୍ବରୁ ଭାରତୀୟ ଦଳର ପୂର୍ବତନ କ୍ରିକେଟର ୱାସିମ ଜାଫର ମଧ୍ୟ ଓଡ଼ିଶା ରଣଜୀ ଦଳର ଦ୍ରୋଣାଚାର୍ଯ୍ୟ ସାଜିଥିଲେ । ତେବେ ଜାଫରଙ୍କ କୋଚିଂରେ ଦଳ ସେତେଟା ସଫଳ ହୋଇନଥିଲା ।