କନକ ବ୍ୟୁରୋ: ଆଗାମୀ ନିର୍ବାଚନ ଲଢ଼ିବେ କି ଦିଲ୍ଲୀପ ରାୟ । ଦିଲ୍ଲୀ ହାଇକୋର୍ଟଙ୍କ ରହିତାଦେଶ ପରେ ଏଭଳି ଏକ ସମ୍ଭାବନା ସୃଷ୍ଟି ହୋଇଛି । କୋଇଲା ଦୁର୍ନୀତି ମାମଲାରେ ଦିଲ୍ଲୀପ ରାୟଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ୩ ଦିନ ତଳେ ମାମଲାର ଶୁଶାଣି କରି ରାୟକୁ ସଂରକ୍ଷିତ ରଖିଥିଲେ ହାଇକୋର୍ଟ । ତଳ କୋର୍ଟ ଦେଇଥିବା ୩ବର୍ଷର ଜେଲଦଣ୍ଡକୁ ନିଲମ୍ବନ କରିବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ ଦିଲ୍ଲୀପ ରାୟ । ଏହାକୁ ଦିଲ୍ଲୀ ହାଇକୋର୍ଟରେ ବିରୋଧ କରିଥିଲା ସିବିଆଇ । ୨୦୨୦ରେ ଦିଲ୍ଲୀପ ରାୟଙ୍କୁ ସବିଆଇ ସ୍ୱତନ୍ତ୍ର କୋର୍ଟ ଦଣ୍ଡାଦେଶ କରିଥିଲେ । ୩ ବର୍ଷ ଜେଲ ଏବଂ ୧୦ ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା । ୧୯୯୯ରେ ଏନଡିଏ ସରକାରରେ କୋଇଲା ରାଷ୍ଟ୍ରମନ୍ତ୍ରୀ ଥିଲେ ଦିଲ୍ଲୀପ ରାୟ । କ୍ରାଷ୍ଟନ ଟେକ୍ନୋଲୋଜି ଲିମିଟେଡକୁ ଝାଡ଼ଖଣ୍ଡର ଗିରିଡ଼ିହ ସ୍ଥିତ ବ୍ରହ୍ମଡ଼ିହ କୋଲ ବ୍ଲକ ଆବଂଟନ କରାଯାଇଥିଲା । ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ଦର୍ଶାଇ ମାମଲା ରୁଜୁ କରିଥିଲା ସିବିଆଇ । ଅକ୍ଟୋବର ୬ ୨୦୨୦ରେ ଦିଲ୍ଲୀପ ରାୟଙ୍କ ସମେତ କୋଇଲା ମନ୍ତ୍ରଣାଳୟର ଦୁଇ ବରିଷ୍ଠ ଅଧିକାରୀ ଏବଂ କ୍ରାଷ୍ଟନ ଟେକ୍ନୋଲୋଜି ଲିମିଟେଡର ନିର୍ଦ୍ଦେଶକଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ସ୍ୱତନ୍ତ୍ର ସିବିଆଇ କୋର୍ଟ ।