ନଭେମ୍ବର ଶେଷ ସୁଦ୍ଧା ଦିଲ୍ଲୀପ ନେଇପାରନ୍ତି ଚରମ ନିଷ୍ପତି । ରାଉରକେଲା ସ୍ୱାର୍ଥ ଦୃଷ୍ଟିରୁ ବିଧାୟକ ପଦରୁ ଇସ୍ତଫା ଦେବା ନେଇ ଚର୍ଚ୍ଚା ।

1,209

କନକ ବ୍ୟୁରୋ : ଚଳିତ ମାସ ଶେଷ ସୁଦ୍ଧା ଚରମ ନିଷ୍ପତି ନେଇପାରନ୍ତି ରାଉରକେଲାର ବିଜେପି ବିଧାୟକ ଦିଲ୍ଲୀପ ରାୟ । ଏନେଇ ଜୋର ଧରିଛି ଚର୍ଚ୍ଚା । କନକ ନ୍ୟୁଜକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଦିଲ୍ଲୀପ ଯେଉଁ ବୟାନ ଦେଇଛନ୍ତି ସେଥିରୁ ଆଗାମୀ ୫ ଦିନ ମଧ୍ୟରେ ଏକ ବଡ ନିଷ୍ପତି ନେବେ ବୋଲି ଦିଲ୍ଲୀପ ରୋକଠୋକ ଜଣାଇଛନ୍ତି । ଆଉ ଦିଲ୍ଲୀପଙ୍କ ଏହି ବୟାନ ପରେ ସେ ବିଧାୟକ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।ରାଉରକେଲାବାସୀଙ୍କ ସ୍ୱାର୍ଥ ସହ ଜଡିତ ପ୍ରସଙ୍ଗରେ ଦଳ ଓ ଦଳୀୟ ନେତୃତ୍ୱ ପ୍ରତି ଅସନ୍ତୁଷ୍ଟ ଥିବା ଦିଲ୍ଲୀପ ସିଧାସଳଖ କହିନଥିଲେ ମଧ୍ୟ ପରୋକ୍ଷରେ ଖୁବଶୀଘ୍ର ବିଧାନସଭା ସଦସ୍ୟ ପଦରୁ ଇସ୍ତଫା ଦେବା ନେଇ ସଙ୍କେତ ଦେଇଛନ୍ତି ।

କନକ ନ୍ୟୁଜକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ ଦିଲ୍ଲୀପ କହିଛନ୍ତି, ବିଧାୟକ ଭାବେ ମୋର ୨ଟା ଡିମାଣ୍ଡ ଥିଲା । ମୁଁ ଦଳଠୁ ବେଶି କିଛି ମାଗିନଥିଲି, ଏପରିକି ନିଜ ପାଇଁ କିଛି ମାଗିନଥିଲି । ରାଉରକେଲାବାସୀଙ୍କ ଦୀର୍ଘ ଦିନର ୨ଟି ଦାବି , ଦ୍ୱିତୀୟ ବ୍ରାହ୍ମଣୀ ସେତୁର ନିର୍ମାଣ ଓ ଆଇଜିଏଚକୁ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ କରିବା ପାଇଁ ମୁଁ ପ୍ରଥମରୁ ଲାଗି ଆସିଛି । ଏହା ପାଇଁ ଲଢେଇ କରିଆସିଛି । ଏପରିକି ଦିଲ୍ଲୀରେ ଯାଇ ଯେତିକି ଅନୁରୋଧ କରିବା କଥା, ଯେତିକି ଗୋଡ ହାତ ଧରିବା କଥା ସବୁ କାମ କରିଛି । ଏବେ ମଧ୍ୟ ଆଉଥରେ ଏହି ଦୁଇଟି କାମ ହେଉ ବୋଲି ଦିଲ୍ଲୀରେ ଅନୁରୋଧ କରିବ । ନଚେତ୍ ଲୋକଙ୍କୁ ମୁହଁ ଦେଖାଇବାର ଅଛି ତ ମୋତେ ଗୋଟିଏ ଚରମ ନିଷ୍ପତି ନେବାକୁ ପଡିବ ।

ତେବେ ଏହି ଦୁଇଟି କାମ ନହେବା ପଛର କାରଣ ମଧ୍ୟ କହିଛନ୍ତି । ଏଥିପାଇଁ ନା ନନେଇ ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ସିଧାସଳଖ ଦାୟୀ କରିଛନ୍ତି ଦିଲ୍ଲୀପ । ଏହି ଦୁଇଟି କାମ ହେଲେ କାଳେ ମୁଁ ବିଧାୟକ ଭାବେ ମାଇଲେଜ ନେଇଯିବି ସେଥିପାଇଁ କାମ ହେଉନାହିଁ । ଏପରିକି ଜଣେ ପ୍ରଭାବଶାଳୀ ବ୍ୟକ୍ତି ଚାହୁଁଛନ୍ତି ଯେ, ରାଉରକେଲା ଓ ସୁନ୍ଦରଗଡରେ ବିଜେପି ପୂର୍ବ ନିର୍ବାଚନରେ ଯେଉଁଭଳି ଭଲ ପ୍ରଦର୍ଶନ କରିଥିଲା ତାହା ନ ହେଉ । ଏକଥା ମୁଁ କହୁନାହିଁ ବରଂ ଏଭଳି ଏକ ଚର୍ଚ୍ଚା ଏବେ ଲୋକଙ୍କ ମୁହଁରୁ ଶୁଣିବାକୁ ମିଳୁଛି । ତେଣୁ ମୁଁ ସାଇଡ ହୋଇଗଲେ ଯଦି କାମ ଆରମ୍ଭ ହେବ ତେବେ ଅଧିକ ଖୁସି ହେବି ବୋଲି ଦିଲ୍ଲୀପ କହିଛନ୍ତି ।

ରାଉରକେଲାବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ କରିବାକୁ ଶେଷଥର ପାଇଁ ପ୍ରୟାସ କରିବି ଯଦି ସେମିତି କିଛି ନ ହୁଏ ତେବେ ଏହି ଦୁଇ ଚାରି ଦିନ ମଧ୍ୟରେ କିଛି ନିଷ୍ପତି ନେବି ବୋଲି କହିଛନ୍ତି ବିଜେପି ବିଧାୟକ ଦିଲ୍ଲୀପ ରାୟ । ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ, ଆଗାମୀ ୧ ତାରିଖରୁ ଆମେରିକା ଗସ୍ତରେ ଯାଉଛନ୍ତି ଦିଲ୍ଲୀପ । ତେଣୁ ଏହା ପୂର୍ବରୁ ଏକ ବଡ ନିଷ୍ପତି ନେବେ ବୋଲି ଚର୍ଚ୍ଚା ହେଉଛି । ଏପରିକି ଦିଲ୍ଲୀପ ବିଧାୟକ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ରାଜନୀତି ମହଲରେ ଚର୍ଚ୍ଚା ଆରମ୍ଭ ହେଲାଣି ।