ଖସିପାରେ ପଦ୍ମ ପାଖୁଡା, ଏକାସାଙ୍ଗରେ ବିଜେପି ଛାଡିପାରନ୍ତି ବିଜୟ ଓ ଦିଲ୍ଲୀପ! 

237

କନକ ବ୍ୟୁରୋ : ଆସନ୍ତାକାଲି ବିଜେପିର ଦୁଇ ହେଭିୱେଟ ନେତା ଦଳ ଛାଡିବା ନେଇ ଚର୍ଚା ଜୋର ଧରିଛି । ଏହି ଦୁଇ ହେଭିୱେଟ୍ ନେତା ହେଲେ ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ଏବଂ ବରିଷ୍ଠ ନେତା ବିଜୟ ମହାପାତ୍ର । ମିଳିଥିବା ଖବର ଅନୁସାରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କୁ ଚିଠି ଲେଖି ଏ ସଂପର୍କରେ ଅବଗତ କରିବେ ଦୁଇନେତା । ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ପୋଲ ଏବଂ ଆଇଜିଏଚକୁ ସୁପର ସ୍ପେଶାଲିଟି ହସ୍ପିଟାଲ କରିବା ପ୍ରସଙ୍ଗରେ ବିଧାୟକ ପଦ ଛାଡିବେ ବୋଲି ଦିଲ୍ଲୀପ ଇଙ୍ଗିତ କରିସାରିଛନ୍ତି । ପରେ ଦଳୀୟ ପଦ ବି ଛାଡିବା ନେଇ ଚର୍ଚା ହେଉଛି । ସେପଟେ ବିଜୟ ମହାପାତ୍ର ଦଳ ଛାଡିବା ପଛରେ ୪ଟି ପ୍ରମୁଖ କାରଣ ରହିଥିବା ଶୁଣାଯାଉଛି ।

୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟ ରାଜନୀତିରେ ହଲଚଲ ସେତିକି ବଢ଼ିବାରେ ଲାଗିଛି । ଏହି ହଲଚଲ୍ ଭିତରେ ଚର୍ଚ୍ଚା ହେଉଛି ଯେ ଏକା ସାଂଗରେ ବିଜେପି ଛାଡୁଛନ୍ତି ଦୁଇ ତୁଙ୍ଗ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ । ନିକଟତମ ମହଲରୁ ଶୁଣିବାକୁ ମିଳୁଛି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କୁ ଚିଠି ଲେଖି ଏ ସଂପର୍କରେ ଅବଗତ କରିବେ ଦୁଇନେତା । ଚର୍ଚ୍ଚା ହେଉଛି, ବିଜୟ ମହାପାତ୍ର ପ୍ରମୁଖ ୪ଟି କାରଣ ପାଇଁ ଦଳ ଛାଡୁଥିବା ଦର୍ଶାଇପାରନ୍ତି ।

– ଆଇଓସିଏଲ ପ୍ଲାଂଟରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳୁନି । ଏପରିକି ଠିକା କାମ୍ ଓ ଟ୍ରାନ୍ସପୋର୍ଟ ପାଇଁ ମଧ୍ୟ ବାହାର ରାଜ୍ୟକୁ ଗୁରୁତ୍ୱ ଦିଆଯାଉଛି ।

– ପଂଚାୟତ ନିର୍ବାଚନରେ ତାଙ୍କୁ ଅଣଦେଖା କରାଯାଇଥିଲା ।

– ପ୍ରଚାର କମିଟି ମୁଖ୍ୟ ଭାବେ କନ୍ଧମାଳ ଉପନିର୍ବାଚନରେ ଦଳକୁ ଦ୍ୱିତୀୟ ସ୍ଥାନକୁ ନେଇଥିଲେ । ହେଲେ ଏହା ପରେ ସେ କରୁଥିବା ପ୍ରେସମିଟକୁ ଭଣ୍ଡୁର କରିବାକୁ ଉଦ୍ୟମ କରାଯାଉଥିଲା ।

– ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ ମଧ୍ୟ ବିଜେପୁର ଉପନିର୍ବାଚନରେ ତାଙ୍କୁ କୋଣଠେସା କରାଯାଇଥିଲା

ଚର୍ଚ୍ଚା ହେଉଛି, ଏସବୁ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାୟୀ କରି ଅମିତ ଶାହାଙ୍କୁ ଚିଠି ଲେଖିବେ ବିଜୟ । ସେହିପରି ନିକଟରେ ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ବିଧାୟକ ପଦ ଛାଡିବା ନେଇ ଇସାରା ଦେଇଥିଲେ । ଦିଲ୍ଲୀପଙ୍କ ପଦକ୍ଷେପକୁ ସମର୍ଥନ ଦେଇ ବିଜୟ ମଧ୍ୟ ନିଜ ଅସନ୍ତୁଷ୍ଟ ବଖାଣିଥିଲେ ।  ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ବ୍ରିଜ୍ ଓ ଆଇଜିଏଚକୁ ସୁପରସ୍ପେଶାଲିଟି ହସପିଟାଲ କରିବା ପାଇଁ କେନ୍ଦ୍ର ସରକାର ତତ୍ପରତା ଦେଖାଉନଥିବା ଅଭିଯୋଗ କରି ଆସୁଛନ୍ତି ବିଧାୟକ ଦିଲ୍ଲୀପ ରାୟ । ସେ ବିଧାୟକ ଥିବା ଯୋଗୁଁ କାଳେ ଶ୍ରେୟ ନେଇଯିବେ, ଜଣେ ବରିଷ୍ଠ ନେତା ଏ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି ଦିଲ୍ଲୀପ । ଏଥିପାଇଁ ସେ ବିଧାୟକ ପଦ ଛାଡିଦେବାକୁ ପ୍ରସ୍ତୁତ ବୋଲି ନିକଟରେ ଇସାରା ଦେଇଥିଲେ । ଏବେ ଶୁଣିବାକୁ ମିଳୁଛି, ପ୍ରଥମେ ଦଳୀୟ ପଦ ଓ ପରେ ବିଧାୟକ ପଦ ଛାଡିଦେବେ ଦିଲ୍ଲୀପ ।

ଉଭୟ ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର ନିଜ ଅସନ୍ତୋଷ ଜାହିର କରୁଥିବା ବେଳେ ଦଳ ପକ୍ଷରୁ ସେମାନଙ୍କ ସହ ଆଲୋଚନା କରଯାଉନାହିଁ । କାହାକୁ ଦଳରେ ଅଣଦେଖା କରାଯାଏ ନାହିଁ ବୋଲି ହାଲୁକା ମନ୍ତବ୍ୟ ଦେଇ ଆସୁଛନ୍ତି ବିଜେପି ନେତା ।  ବିଜୟ ଓ ଦିଲ୍ଲୀପ ଦଳରେ କୋଣଠେସା ହୋଇ ସାରିଥିବା ବେଳେ ସେମାନଙ୍କ ଦଳ ଛାଡିବା ଯେତିକି ଗୁରୁତ୍ୱ ରଖୁନାହିଁ, ଗୁରୁତ୍ୱପୂର୍ଣ୍ଣ ହେଉଛି କ’ଣ ପରବର୍ତ୍ତୀ ପଦକ୍ଷେପ ନେବେ ଏହି ଦୁଇ ତୁଙ୍ଗ ନେତା । ବିଜେପି ଛାଡିବା ପରେ କେଉଁ ଦଳରେ ସେମାନେ ଯୋଗ ଦେଉଛନ୍ତି, ତା’ ଉପରେ ରହିଛି ସମସ୍ତଙ୍କ ନଜର ।