କନକ ବ୍ୟୁରୋ : ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ଏବଂ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଉପରେ ଏବେ ସମସ୍ତଙ୍କ ନଜର । ବିଜେପି ଭିତରେ ରହି ଅଣନିଶ୍ୱାସୀ ହେଉଥିବା ଏହି ଦୁଇ ନେତାଙ୍କ ରାଜନୈତିକ ଭବିଷ୍ୟତ କଣ ରହିବ, କେଉଁ ଦଳ ଆଡକୁ ଢଳିବେ ତାକୁ ନେଇ ଚାଲିଛି କଳ୍ପନା ଜଳ୍ପନା ।
କୁହାଯାଉଛି, ବିଧାୟକ ଦିଲ୍ଲୀପ ରାୟଙ୍କୁ ଦଳରେ ସାମିଲ କରାଇବାକୁ ସୁପ୍ରିମୋ ନବୀନ ପଟ୍ଟନାୟକ ଗ୍ରୀନ ସିଗନାଲ ଦେଇ ସାରିଥିଲେ ମଧ୍ୟ ବିଜୟ ମହାପାତ୍ରଙ୍କୁ ନେଇ ଏବେବି କିଛି ଠୋସ୍ ନିଷ୍ପତ୍ତି ହୋଇନାହିଁ । ଅର୍ଥାତ୍ ଦଳ ବିଜୟଙ୍କୁ ନେଇ ଅଙ୍କ ଏବେବି କଷୁଛି ।
ରାଜନୈତିକ ମହଲରେ ଚର୍ଚ୍ଚା ଅନୁସାରେ, କେନ୍ଦ୍ରାପଡା ରାଜନୀତିରେ ବିଜୟ ଆଜି ବି ବଡ ଚେହେରା । ତେଣୁ ବୈଜୟନ୍ତ ଦଳରୁ ବିଦା ହେବା ପରେ ସ୍ୱାଭାବିକ ଭାବେ ବିଜେଡି ବିଜୟଙ୍କୁ ଆପଣାଇ ନେବା କଥା । ହେଲେ ସେଭଳି କିଛି ସଂକତେ ନବୀନଙ୍କ ତରଫରୁ ଛାମୁଆ ନେତାଙ୍କୁ ମିଳୁନାହିଁ ।
ବଡ କଥା ହେଉଛି, ଯେ କୌଣସି ମୁହୁର୍ତ୍ତରେ ଦିଲ୍ଲୀପ ରାୟ ଆସି ଦଳରେ ମିଶି ପାରିବେ ବୋଲି କୁହାସରିଲାଣି । ହେଲେ ଦିଲ୍ଲୀପ କିନ୍ତୁ ପାଦ ଆଗକୁ ବଢାଉ ନାହାନ୍ତି । ବିଜୟ ମହାପାତ୍ରଙ୍କୁ ଛାଡି ସେ ଏକାକୀ ବିଜେଡିରେ ସାମିଲ ହେବାକୁ ଚାହୁଁନଥିବା ତାଙ୍କ ନିକଟତମ ମହଲରେ ଚର୍ଚ୍ଚା ହେଉଛି ।
୨୦୦୯ ନିର୍ବାଚନ ପୂର୍ବରୁ ଦିଲ୍ଲୀପ ଓ ବିଜୟ ଏକାଠି ବିଜେପିରେ ସାମିଲ ହୋଇଥିଲେ । ବିଜୁ ଅନୁଗତ ଭାବେ ଉଭୟଙ୍କ ମଧ୍ୟରେ ବେଶ ଭଲ ସଂପର୍କ ରହିଛି । ତେଣୁ ବିଜୟଙ୍କୁ ଛାଡି ଦିଲ୍ଲୀପ ଏକାକୀ ଆଗକୁ ବଢିବାକୁ ଚାହୁଁନାହାନ୍ତି । ଆଉ ସେପଟେ ବିଜୟଙ୍କୁ ନେବାକୁ ବିଜେଡି କିଛି ସ୍ପଷ୍ଟ ସଂକେତ ଦେଇନାହିଁ, ଯାହା ଏହି ମିଶ୍ରଣ ପର୍ବକୁ ଏବେ ମଧ୍ୟ ଝୁୁଲାଇ ରଖିଛି ।
ସୂଚନା ଅନୁସାରେ ଦୂର୍ଗାପୂଜା ପରେ ପରେ ଏହି ଦୁଇ ନେତାଙ୍କ ବାବଦରେ ଠୋସ ନିଷ୍ପତ୍ତି ହେବ । ଏପରିକି ସୁପ୍ରିମୋ ନବୀନଙ୍କୁ ମନାଇବାକୁ କିଛି ପ୍ରଶାସକ ଓ ନେତା ଉଦ୍ୟମ ଆରମ୍ଭ କରିଥିବା ଶୁଣିବାକୁ ମିଳୁଛି । ଦେଖାଯାଉ, ଏହି ଦୁଇ ନେତାଙ୍କ ରାଜନୈତିକ ଭବିଷ୍ୟତ ବିଜେଡି ସହ ଆଗକୁ ବଢୁଛି, ନା ଭିନ୍ନ ରାସ୍ତା ଏହି ଦୁଇ ନେତା ବାଛୁଛନ୍ତି ।