ରାଉରକେଲରୁ ଲଢିବେ ଦିଲ୍ଲୀପ ରାୟ । ଏଥର ଇସ୍ପାତ ନଗରୀରେ ହେବ ବିଗ୍ ଫାଇଟ୍ ।

233

କନକ ବ୍ୟୁରୋ: ଘୋଷଣା ହୋଇଛି ବିଜେପିର ବିଧାୟକ ତାଲିକା । ରାଉରକେଲାରୁ ଦିଲ୍ଲୀପ ରାୟଙ୍କୁ ଟିକେଟ୍ ଦେଇଛି ଦଳ । ନିର୍ବାଚନ ଲଢିବାକୁ ତାଙ୍କୁ କୋଟରୁ ଅନୁମତି ମିଳିବା ପରେ ଦଳ ତାଙ୍କୁ ପ୍ରାର୍ଥୀ କରିଛି । ୨୦୧୮ରେ ବିଭିନ୍ନ ଦାବି ଆଧାରରେ ସେ ଦଳରୁ ଇସ୍ତଫା ଦେଇଥିବାବେଳେ ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିନଥିଲା ଦଳ । ୨୦୧୯ରେ ତାଙ୍କୁ ନିର୍ବାଚନ ଲଢିବାକୁ ସୁଯୋଗ ଦିଆଯାଇଥିଲେ ବି ସେ ଲଢିନଥିଲେ ।କିନ୍ତୁ ଏଥର ଦଳ ତାଙ୍କୁ ପୁଣି ପ୍ରାର୍ଥୀ କରିଛି । ଅନ୍ୟପଟେ ବିଜେଡି ସାରଦା ନାୟକଙ୍କୁ ଏହି ଆସରରେ ପ୍ରାର୍ଥୀ କରିଥିବା ବେଳେ ଏଥର ଇସ୍ପାତ ନଗରୀରେ ବଡ ଲଢେଇ ହେବ ବୋଲି କୁହାଯାଉଛି ।

ଦିଲ୍ଲୀପ ରାୟଙ୍କ ରାଜନୈତିକ କାରିଅର ଦୃଢ ଥିବାବେଳେ ତାଙ୍କ ପାଇଁ ଏହି ଅସନରେ ବେଶ୍ ଲୋକପ୍ରିୟତା ରହିଆସିଛି । ୧୯୮୫ ମସିହାରେ ସେ ତତ୍କାଳୀନ ରାଉରକେଲା ବିଜ୍ଞାପିତ ପରିଷଦର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ସେହି ବର୍ଷ ସେ ରାଉରକେଲା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଏବଂ ୧୯୯୦ ମସିହାରେ ପୁଣିଥରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୦ରୁ ୧୯୯୫ ଯାଏଁ ସେ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଜନତା ଦଳ ସରକାର ରେ ସେ ଶିଳ୍ପ ମନ୍ତ୍ରୀ ଥିଲେ ।

୧୯୯୬ରୁ ୨୦୦୨ ଏବଂ ୨୦୦୨ରୁ ୨୦୦୮ ଦୁଇ ଥର ରାଜ୍ୟସଭାକୁ ମନୋନୀତ ହୋଇଥିଲେ ଦିଲ୍ଲୀପ । ଜଣେ ସାଂସଦ ଭାବରେ ସେ ଅନେକ ମନ୍ତ୍ରଣାଳୟର ଦାୟିତ୍ୱ ସମ୍ଭାଳିଥିଲେ ଏବଂ ବିଭିନ୍ନ ସଂସଦୀୟ କମିଟିର ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟଭାର ତୁଲାଇଥିଲେ ।

ତେବେ ନିଜ ଅଞ୍ଚଳର ବିକାଶ ମୂଳକ କାର୍ଯ୍ୟ ଯେପରିକି ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ଏବ ରାଉରକେଲାରେ ସୁପର ସ୍ପେସାଲିଟି ହସ୍ପିଟାଲ ନିର୍ମାଣ କରିବାକୁ ବାରମ୍ବାର ଦାବି କରିଥିଲେ ବି କେନ୍ଦ୍ର ତାଙ୍କ ଦାବୀକୁ ଗ୍ରହଣ କରିନଥିଲା । ଫଳରେ ୨୦୧୮ରେ ଦଳରୁ ଇସ୍ତଫା ଦେଇଥିଲେ ଦିଲ୍ଲୀପ । କିନ୍ତୁ ଦଳ ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିନଥିଲା । ବରଂ ୨୦୧୯ରେ ତାଙ୍କୁ ନିର୍ବାଚନ ଲଢିବାକୁ ସୁଯୋଗ ଦେଇଥିଲା ।

୧୯୯୯ ମସିହାରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ସରକାରରେ ତତ୍କାଳୀନ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ କୋଇଲା ଖଣି ଆବଣ୍ଟନ ଦୁର୍ନୀତିରେ ସମ୍ପୃକ୍ତି ଅଭିଯୋଗରେ ୨୦୨୦ ଅକ୍ଟୋବର ୬ତାରିଖରେ ସ୍ୱତନ୍ତ୍ର ସିବିଆଇ ଅଦାଲତ ଦୋଷୀ ସାବ୍ୟସ୍ତ କରିଥିଲେ। ତେବେ ନିର୍ବାଚନ ଲଢିବାକୁ କୋର୍ଟଙ୍କ ପକ୍ଷରୁ ଅନୁମତି ମିଳିବା ପରେ ୨୪ ନିର୍ବାଚନ ଲଢିବେ ଦିଲ୍ଲୀପ ରାୟ ।