ରାଉରକେଲାରୁ ବିଜେପି ପ୍ରାର୍ଥୀ ହେବେ ଦିଲ୍ଲୀପ ରାୟ । ଜୁଏଲ ଓରାମ ଦେଲେ ସଙ୍କେତ । କହିଲେ, ପରବର୍ତ୍ତୀ ତାଲିକାରେ ସ୍ଥାନ ପାଇବ ଦିଲ୍ଳୀପ ରାୟଙ୍କ ନାଁ

198

କନକ ବ୍ୟୁରୋ: ଗଲା ଦୁଇ ଦିନ ହେଲା ଯେଉଁ ଚର୍ଚ୍ଚା ହେଉଥିଲା, ସେଥିରେ ଏକ ପ୍ରକାର ମୋହର ମାରିଛନ୍ତି ବିଜେପିର ସୁନ୍ଦରଗଡ ସାଂସଦ ପ୍ରାର୍ଥୀ ଜୁଏଲ ଓରାମ । ତାଙ୍କ କଥା ଇସାରା କରୁଛି, ବିଜେପିକୁ ଫେରିବା ପାଇଁ ଦିଲ୍ଲୀପ ରାୟଙ୍କ ରାସ୍ତା ସଫା ହୋଇସାରିଛି । ଏପରିକି ରାଉରକେଲାରୁ ଦିଲ୍ଲୀପ ଲଢିବା ଏକ ପ୍ରକାର ପକ୍କା । କେବଳ ଔପଚାରିକ ଘୋଷଣା ବାକି ରହିଛି । ତେବେ ଦିଲ୍ଲୀପଙ୍କ ନିଷ୍ପତି ଉପରେ ନିର୍ଭର କରୁଛି, ରାଉରକେଲା ଲଢେଇ ।

  • ‘ବିଜେପି ପ୍ରାର୍ଥୀ ହେବେ ଦିଲ୍ଲୀପ ରାୟ’
  • ‘ରାଉରକେଲାରୁ ଲଢ଼ିବେ ନିର୍ବାଚନ’

ଦଳୀୟ ଘୋଷଣା ପୂର୍ବରୁ ଜୁଏଲ୍ ଓରାମଙ୍କ ସୂଚନା ସୁନ୍ଦରଗଡ଼ ରାଜନୀତିକୁ ପୁଣିଥରେ ଚଳଚଞ୍ଚଳ କରିଦେଇଛି । କେନ୍ଦ୍ରୀୟ ନିର୍ବାଚନ କମିଟିର ଚୟନ ସରିଛି, ବିଧିବଦ୍ଧ ଆଲୋଚନା କରିଛି, ଏମିତି କି ବିଜେପିର ପରବର୍ତ୍ତୀ ପ୍ରାର୍ଥୀ ତାଲିକାରେ ଦିଲ୍ଳୀପ ରାୟଙ୍କ ନାଁ ସ୍ଥାନ ପାଇବ ବୋଲି ଦମ୍ଭୋକ୍ତିର ସହିତ କହିଛନ୍ତି, ବିଜେପିର ସୁନ୍ଦରଗଡ଼ ଲୋକସଭା ପ୍ରାର୍ଥୀ ଜୁଏଲ୍ ଓରାମ । ନ୍ୟାୟିକ ଲଢ଼େଇରେ ଦିଲ୍ଲୀପ ରାୟଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆଶ୍ୱସ୍ତି ମିଳିବା ପରେ ନିର୍ବାଚନ ଲଢ଼ିବା ନେଇ ଇସାରା ଦେଇଛନ୍ତି ଜୁଏଲ୍ ।

ବିଜେପି ଟିକେଟରେ ଦିଲ୍ଳୀପ ରାୟ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଛନ୍ତି ସତ, କିନ୍ତୁ ୨୦୧୮ ମସିହାଠାରୁ ବିଜେପିଠାରୁ ଦୂରେଇ ରହିଛନ୍ତି ଦିଲ୍ଲୀପ । କୁହାଯାଉଛି ଖୁବଶୀଘ୍ର ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହେବେ । ଏହାପରେ ଦଳ ତାଙ୍କୁ ପ୍ରାର୍ଥୀ କରିିପାରେ । ତଳସରା ନିର୍ବାଚନ ମଣ୍ଡଳିର ସବଡେଗାରେ ନିର୍ବାଚନୀ ପ୍ରଚାର ତଥା କର୍ମୀ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ସାଂସଦ ପ୍ରାର୍ଥୀ ଜୁଏଲ ଓରାମ ।

ଯଦି ରାଉରକେଲାରୁ ଦିଲ୍ଲୀପ ରାୟଙ୍କ ରାଜନୈତିକ ପ୍ରତ୍ୟାବର୍ତନ ହୁଏ, ଏହାର ପ୍ରଭାବ କେବଳ ରାଉରକେଲା କାହିଁକି ସମଗ୍ର ସୁନ୍ଦରଗଡ଼ ଜିଲ୍ଳାରେ ପଡ଼ିପାରେ । କାରଣ ଦିଲ୍ଲୀପ ରାୟ ହେଉଛନ୍ତି ଏଭଳି ବ୍ୟକ୍ତିତ୍ୱ, ଯାହାଙ୍କର ଦୀର୍ଘବର୍ଷର ରାଜନୈତିକ ଅଭିଜ୍ଞତା ରହିଛି । ରାଉରକେଲା ଏନଏସି ଅଧ୍ୟକ୍ଷରୁ ବିଧାନସଭା, ଓଡ଼ିଶା ବିଧାସଭାରୁ ରାଜ୍ୟସଭା ଏବଂ ସଂସଦରୁ କେନ୍ଦ୍ରମନ୍ତ୍ରୀ । ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ କୋଇଲା ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଥିଲେ ଦିଲ୍ଲୀପ ରାୟ । ଶେଷଥର ପାଇଁ ୨୦୧୪ରେ ବିଜେପି ଟିକେଟରୁ ଯେତେବେଳେ ରାଉରକେଲାରୁ ନିର୍ବାଚନ ଲଢ଼ିଥଲେ, ତାଙ୍କୁ ୫୯,୬୫୩ ଭୋଟ୍ ମିଳିଥିଲା । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସାରଦା ନାୟକଙ୍କୁ ୧୦ ହଜାରରୁ ଅଧିକ ଭୋଟ୍ରେ ପରାସ୍ତ କରିଥିଲେ । ଏଭଳି ସ୍ଥିତିରେ ଦିଲ୍ଲୀପ ରାୟଙ୍କ ପରବର୍ତ୍ତୀ ନିଷ୍ପତି ଉପରେ ସାରା ଓଡ଼ିଶାର ନଜର ରହିଛି ।