ନିଜ ବାସଭବନ ନିକଟରେ ପହଂଚିଲା ଅଭିନେତା ଦିଲ୍ଲୀପ କୁମାରଙ୍କ ମର ଶରୀର । ଶ୍ରଦ୍ଧାଞ୍ଜଳୀ ଦେବାକୁ ପହଂଚିଲେ ଅନେକ କଳାକାର । ସନ୍ଧ୍ୟା ୫ ଟାରେ ଅନ୍ତିମ ସଂସ୍କାର

285

କନକ ବ୍ୟୁରୋ : ବଲିଉଡର ବରିଷ୍ଠ ଅଭିନେତା ଦିଲ୍ଲୀପ କୁମାରଙ୍କର ୯୮ ବର୍ଷ ବୟସରେ ପରଲୋକ ହୋଇଛି । ତାଙ୍କ ମୃତ୍ୟୁ ପରେ ହିନ୍ଦୀ ସିନେମା ଜଗତର ଗୋଟିଏ ଯୁଗର ଅନ୍ତ ଘଟିଛି । ବୁଧବାର ସକାଳ ୭.୩୦ ମିନିଟରେ ଦିଲ୍ଲୀପ କୁମାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଦୀର୍ଘ ସମୟ ହେବ ରୋଗରେ ପୀଡିତ ଥିଲେ । ଗୋଟିଏ ମାସ ହେବ ସେ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିଲେ ।

ତାଙ୍କ ମୃତ୍ୟୁ ପରେ ତାଙ୍କ ପାର୍ଥିବ ଶରୀରକୁ ତାଙ୍କ ବାସଭବନ ନିକଟକୁ ନିଆଯାଇଛି । ତାଙ୍କୁ ଶେଷ ଦର୍ଶନ କରିବାକୁ ବହୁ କଳାକାର ପହଂଚିଛନ୍ତି । ସାନ୍ତାକ୍ରୁଜ ମୁମ୍ବାଇର ଜୁହୁ କବରସ୍ଥାନରେ ସନ୍ଧ୍ୟା ୫ ଟାରେ ତାଙ୍କର ଅନ୍ତିମ ସଂସ୍କାର ହେବ ବୋଲି କୁହାଯାଇଛି । ଅନ୍ୟପଟେ ତାଙ୍କ ମୃତ୍ରୁ୍ୟରେ ବଲିଉଡର ବହୁ କଳାକାର ଦୁଃଖ ପ୍ରକାଶ କରିଛନ୍ତି । ଅଭିନେତା ଅମିତାଭ ବଚ୍ଚନ, ଅଜୟ ଦେବଗନ,ସନୀ ଦେୱଲ ଭଳି କଳାକାର ମାନେ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରକ୍ଷାମନ୍ତ୍ରୀ ରାଜନାଥ ସିଂ, ଓ ରାହୁଲ ଗାନ୍ଧୀ ମଧ୍ୟ ଟ୍ୱିଟ୍ କରି ଦିଲ୍ଲୀପ କୁମାରଙ୍କ ପରିବାର ବର୍ଗଙ୍କୁ ସମବେଦନ ଜଣାଇଛନ୍ତି ।

କହିରଖୁ କି ଦିଲ୍ଲୀପ କୁମାର ହିନ୍ଦୀ ସିନେମା ପ୍ରେମୀଙ୍କୁ ଅନେକ ହିଟ୍ ଚଳଚିତ୍ର ଭେଟି ଦେଇଛନ୍ତି । ୬୦ ବର୍ଷର ଲମ୍ବା କ୍ୟାରିୟରରେ ସେ ୬୫ ଟି ସିନେମାରେ ଅଭିନୟ କରିଛନ୍ତି । ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ଜ୍ୱାର ଭଟ୍ଟା’ ଓ ୧୯୯୮ ରେ ଶେଷଥର ପାଇଁ ‘କିଲା’ ଚଳଚିତ୍ରରେ ଅଭିନୟ କରିଥିଲେ ।