କନକ ବ୍ୟୁରୋ : ନୟାଗଡ଼ ଜିଲ୍ଲାରେ ଆଜି ସ୍ବାସ୍ଥ୍ୟସେବାର ଏକ ବିକଳ ଓ କରୁଣ ଚିତ୍ର ଦେଖିବାକୁ ମିଳିଛି। ଖୋଦ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାଏଲିସିସ୍ ଚାଲିଥିବା ସମୟରେ ବିଦ୍ୟୁତ୍ କଟିଯିବା ସହିତ ଜେନେରେଟର ଚଳାଯାଇ ନ ପାରିବାରୁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଗଙ୍ଗାଧର ସ୍ବାଇଁ (୪୫), ତାଙ୍କ ଘର ଦଶପଲ୍ଲା ଏନ୍ଏସି ଅନ୍ତର୍ଗତ ମହୁଲିଆରେ। ପତ୍ନୀ ପ୍ରତିମା କହିଛନ୍ତି ଯେ , ସକାଳେ କିଡନୀ ଜନିତ ରୋଗରେ ପୀଡ଼ିତ ସ୍ବାମୀ ଗଙ୍ଗାଧରଙ୍କୁ ଡାଏଲିସିସ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ଟିକେଟ୍ କରିବା ପରେ ସ୍ବାମୀଙ୍କୁ ଡାଏଲିସିସ୍ କେନ୍ଦ୍ରକୁ ନିଆ ଯାଇଥିଲା। ସେତେବେଳେ ଡାଏଲିସିସ୍ କେନ୍ଦ୍ରରେ ପାଞ୍ଚ ଜଣ ରୋଗୀ ଥିଲେ। ଗଙ୍ଗାଧରଙ୍କୁ ୪ ନମ୍ବର ବେଡରେ ଡାଏଲିସିସ୍ ପାଇଁ ରଖାଯାଇଥିଲା।
/kanak/media/post_attachments/wp-content/uploads/2019/01/getty_rm_photo_of_woman_in_hospital_bed.jpg)
ତିନି ଜଣଙ୍କ ରୋଗୀଙ୍କ ଡାଏଲିସିସ୍ ଆରମ୍ଭ ହେବା ପରେ ଗଙ୍ଗାଧରଙ୍କ ଡାଏଲିସିସ୍ ମଧ୍ୟ ଆରମ୍ଭ ହୋଇଥିଲା। ତେବେ ପାଖାପାଖି ପାଞ୍ଚରୁ ସାତ ମିନିଟ୍ ଡାଏଲିସିସ୍ କରାଯାଇଥିବା ବେଳେ ହଠାତ୍ ବିଦ୍ୟୁତ୍ ଚାଲିଯାଇଥିଲା। ପ୍ରତିମା ତଥା ଅନ୍ୟ ରୋଗୀଙ୍କ ସମ୍ପର୍କୀୟଙ୍କ କହିବାନୁଯାୟୀ, ବିଦ୍ୟୁତ୍ କଟିଯିବା ପରେ ଜେନେରେଟର ଅପରେଟର (ବିଦ୍ୟୁତ କର୍ମଚାରୀ)ଙ୍କୁ ତୁରନ୍ତ ଡକାଯାଇଥିଲେ ମଧ୍ୟ ତାଙ୍କର ଦେଖା ମିଳିନଥିଲା। ସେ ଛୁଟିରେ ଥିବା ଜଣାପଡ଼ିଥିଲା। ଏହା ପରେ ଜଣେ ଝାଡ଼ୁଦାର ଆସି ଜେନେରେଟର ଷ୍ଟାର୍ଟ କରିଥିଲେ ମଧ୍ୟ ଏହା ଚାଲି ନ ଥିଲା। ଏହି ସମୟ ମଧ୍ୟରେ ମେଡିକାଲ ମ୍ୟାନେଜରଙ୍କ ପାଖକୁ କଥା ଯାଇଥିଲେ ମଧ୍ୟ ଜେନେରେଟର ଚଳାଯାଇ ପାରିନଥିଲା। ପାଖାପାଖି ଘଣ୍ଟାଏ କାଳ ଏଭଳି ଧାଁଧପଡ଼ ଲାଗିରହିଥିଲା।
ବିଦ୍ୟୁତ୍ ସଂଯୋଗ ଠିକ୍ କରା ଯାଇନପାରିବାରୁ ଅଧା ଡାଏଲିସିସ୍ ହୋଇଥିବା ଅବସ୍ଥାରେ ଗଙ୍ଗାଧରଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା ବୋଲି ପତ୍ନୀ ଅଭିଯୋଗ କରିଛନ୍ତି। ମୃତ ସ୍ବାମୀଙ୍କୁ ସେଇଠି ଛାଡ଼ିଦେଇ ଡାକ୍ତର ଅନ୍ୟତ୍ର ଚାଲିଯାଇଥିଲେ। ସେଠାରେ ଦୀର୍ଘ ସମୟ ଧରି ପ୍ରତିମା କନ୍ଦାକଟା କରିଥିଲେ ମଧ୍ୟ ତାଙ୍କୁ କେହି ସହାୟତା କରିନଥିଲେ। ବହୁ ସମୟ ପରେ ତାଙ୍କୁ ଆମ୍ବୁଲାନସ ଯୋଗେ ଘରକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପଚାରିବାରୁ, ଡାଏଲିସିସ୍ ସମୟରେ ବିଦ୍ୟୁତ୍ ସରବରାହରେ ବ୍ୟାଘାତ ଓ ଜେନେରେଟର ଅଚଳ ଥିବା କଥା ସ୍ବୀକାର କରିଥିଲେ। ତେବେ ରୋଗୀ ଜଣକ ଗୁରୁତର ଥିବାରୁ ତାଙ୍କର ମୃତ୍ୟୁ ଘଟିଛି ଏବଂ ଡାଏଲିସିସ୍ ଅଧାରୁ ବନ୍ଦ ହେବା ସହିତ ମୃତ୍ୟୁର କୌଣସି ସଂପର୍କ ନାହିଁ ବୋଲି ସେ ସଫେଇ ଦେଇଛନ୍ତି।