କନକ ବ୍ୟୁରୋ : କର୍ପୋରେଟର ପ୍ରାର୍ଥୀ ପାଇଁ ତାଲିକା ପ୍ରକାଶ କରୁନାହିଁ ବିଜୁ ଜନତା ଦଳ । ବିଧାୟକ କିମ୍ବା ଅନ୍ୟ ତୁଙ୍ଗ ନେତୃତ୍ୱଙ୍କ ଇସାରାରେ ସେମାନେ ପ୍ରାର୍ଥୀପତ୍ର ଦାଖଲ କରୁଛନ୍ତି । ପରେ ସେମାନଙ୍କୁ ଦଳୀୟ ମାନ୍ୟତା ମିଳିଯାଇପାରେ । ଅସନ୍ତୁଷ୍ଟଙ୍କ ସମସ୍ୟା ବ୍ୟାପକ ହେବା ଆଶଙ୍କାରେ ଦଳ ତରଫରୁ ଏଭଳି ରଣନୀତି ଆପଣାଯାଇଛି ।

Advertisment

ସୋମବାର ହେଉଛି ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଶେଷ ଦିନ । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ ବିଏମସି ପାଇଁ ଏପର୍ଯ୍ୟନ୍ତ କର୍ପୋରେଟର ପ୍ରାର୍ଥୀ ତାଲିକା ଘୋଷଣା କରିନି ବିଜେଡି । ଯାହାକୁ ନେଇ ଦ୍ୱନ୍ଦରେ ଆଶାୟୀ ।

ପଟୁଆର କରି ନାମାଙ୍କନ ପତ୍ର ଦାଖଲ କରୁଛନ୍ତି ପ୍ରାର୍ଥୀ । ସମର୍ଥକଙ୍କ ସହ ବିଜେଡି ପତାକା ଧରି ଦଳୀୟ ନାରା ମଧ୍ୟରେ ଲଢେଇକୁ ଓହ୍ଲାଇବାକୁ ଆରମ୍ଭ କରିଛନ୍ତି ଯାତ୍ରା । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଆଶାୟୀଙ୍କୁ ଏପର୍ଯ୍ୟନ୍ତ ମିଳିନି ଦଳୀୟ ଟିକେଟ । ତେବେ ନିଜ ଅଞ୍ଚଳର ବିଧାୟକଙ୍କ ପ୍ରତିଶୃତି ପରେ ସ୍ୱାଧୀନ ଭାବରେ ନାମାଙ୍କନ ଭରିଛନ୍ତି ମହାନଗର ନିଗମର ପୂର୍ବତନ କର୍ପୋରେଟର । ଶେଷ ମୂହୂର୍ତରେ ଦଳୀୟ ଟିକେଟ ମିଳିବ ବୋଲି ଆଶା ମଧ୍ୟ ରହିଛି ।

ସେପଟେ ଦଳୀୟ ଟିକେଟ ପାଇବା ନେଇ ସନ୍ଦେହରେ ଥିବା ନେତା ମଧ୍ୟ ନିଜ ସମର୍ଥକଙ୍କ ସହ ନାମାଙ୍କନ ପତ୍ର ଦାଖଲ କରି ଶକ୍ତି ପ୍ରଦର୍ଶନ କରିବାକୁୁ ଉଦ୍ୟମ କରିଛନ୍ତି । କୁହାଯାଉଛି ଭୁବନେଶ୍ୱରର ମହାନଗର ନିଗମର ପ୍ରତ୍ୟେକ ୱାର୍ଡରେ ଏକାଧିକ ଆଶାୟୀ ଥିବାରୁ ଟିକେଟ ବାଣ୍ଟିବା ନେଇ ଦ୍ୱନ୍ଦ ରହିଛି । ତେଣୁ ଅସନ୍ତୋଷକୁ ନବଢାଇବା ଓ ଦଳ ଡିଆଁକୁ ରୋକିବା ପାଇଁ ଦଳ ଆପଣେଇଛି ଏହି ଫର୍ମୁଲା ।

ନିକଟରେ ସରିଥିବା ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଦ୍ରୋହୀ ପ୍ରାର୍ଥୀଙ୍କୁ ମନାଇବା ବିଜେଡି ପାଇଁ ବଡ ଆହ୍ୱାନ ବୋଲି କୁହାଯାଉଥିଲା । କିନ୍ତୁ ଦଳୀୟ ନେତୃତ୍ୱ ଅତି ସତର୍କତାର ସହ ଏହାକୁ ପରିଚାଳନା କରି ଅଦ୍ଭୂତପୂର୍ବ ସଫଳତା ପାଇଥିଲେ । ତେଣୁ ପୌର ନିର୍ବାଚନରେ ଦଳ ଏହାକୁ କେମିତି ସାମ୍ନା କରୁଛି ତାହା ଉପରେ ନଜର ।