ସର୍ଜିକାଲ ଷ୍ଟ୍ରାଇକକୁ ନେଇ ପୁଣି ପ୍ରଶ୍ନ ଉଠାଇଲା କଂଗ୍ରେସ : କେତେ ଲୋକେ ପ୍ରାଣ ହରାଇଛନ୍ତି, ତା’ର କୌଣସି ପ୍ରମାଣ ନାହିଁ କହିଲେ ଦିଗବିଜୟ ସିଂ

79

କନକ ବ୍ୟୁରୋ : ପାକିସ୍ତାନରେ ଆତଙ୍କବାଦୀ କ୍ୟାମ୍ପ ଉପରେ ହୋଇଥ ସର୍ଜିକାଲ ଷ୍ଟ୍ରାଇକକୁ ନେଇ ପୁଣି ପ୍ରଶ୍ନ ଉଠାଇଲା କଂଗ୍ରେସ । ଜମ୍ମୁ-କାଶ୍ମୀରରେ ଭାରତ ଯୋଡ଼ ଯାତ୍ରାରେ ସର୍ଜିକାଲ ଷ୍ଟ୍ରାଇକକୁ ଉପରେ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ । ସର୍ଜିକାଲ ଷ୍ଟ୍ରାଇକରେ କେତେ ଲୋକେ ପ୍ରାଣ ହରାଇଛନ୍ତି, ତା’ର କୌଣସି ପ୍ରମାଣ ନାହିଁ ।

ଏମିତିକି ସଂସଦରେ ବି ଏନେଇ କୌଣସି ତଥ୍ୟ ପ୍ରଦାନ କରାଯାଇନାହିଁ ବୋଲି ଦିଗବିଜୟ କହିଛନ୍ତି । ସର୍ଜିକାଲ ଷ୍ଟ୍ରାଇକ ଉପରେ ପ୍ରଶ୍ନ ଉଠାଇ ଦିଗବିଜୟ କହିଛନ୍ତି, ସିଆରପିଏଫର ୪୦ ଯବାନ ପୁଲୱାମାରେ ସହିଦ ହୋଇଥିଲେ । ସବୁ ଯବାନଙ୍କୁ ଏୟାରଲିଫ୍ଟ କରିବା ପାଇଁ ସିଆରପିଏଫ୍ ଅଧିକାରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ ଏଥିପ୍ରତି କର୍ଣ୍ଣପାତ କରିନଥିବା କହିଛନ୍ତି ଦିଗବିଜୟ । ସେପଟେ କଂଗ୍ରେସ ଅଭିଯୋଗର ଜବାବ ରଖିଛି ବିଜେପି ।

ବିଜେପି ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି, ଚର୍ଚ୍ଚାରେ ରହିବା ଏବଂ ଦାୟିତ୍ୱହୀନ ମନ୍ତବ୍ୟ ଦେବା କଂଗ୍ରେସର ଚରିତ୍ର । ସେନା ବିରୋଧରେ ଏଭଳି ବୟାନ ଆଦୌ ଗ୍ରହଣଯୋଗ୍ୟ ନାହିଁ । ଭାରତୀୟ ସେନା ପାକିସ୍ତାନ ସୀମା ଭିତରେ ପଶି ସେମାନଙ୍କ ସେନାଙ୍କୁ ମାରିଛନ୍ତି । ଏହାର ପ୍ରମାଣ ବହୁ ଆଗରୁ ଦିଆଯାଇ ସରିଛି । କେବଳ ଶସ୍ତା ରାଜନୀତି ଓ ଲୋକପ୍ରିୟତା ପାଇଁ କଂଗ୍ରେସ ବାରମ୍ବାର ଏଭଳି ପ୍ରସଙ୍ଗ ଉଠାଉଥିବା କହିଛନ୍ତି ଗୌରବ ଭାଟିଆ ।