କନକ ବ୍ୟୁରୋ : ସହିପାରିଲେନି ଡିଆଇଜି ପାହ୍ୟା ଅଧିକାରୀଙ୍କ ପତ୍ନୀଙ୍କ ନିର୍ଯାତନା । ଆତ୍ମହତ୍ୟା ଉଦ୍ୟମ କଲେ ମହିଳା ହୋମଗାର୍ଡ । ମହିଳାଙ୍କ ଜୀବନ ସିନା ବଞ୍ଚିଗଲା ହେଲେ ଦୁଇଟି ଯାକ ଗୋଡ ହରାଇଲେ । ମହିଳା ହୋମଗାର୍ଡ ହେଉଛନ୍ତି ଅନୁଗୁଳ ଜିଲ୍ଲା ରାଶୀଗୋଡାର ସୈରିଦ୍ରୀ ସାହୁ । ହୋମଗାର୍ଡ ଡିଜିଙ୍କୁ ଲେଖିଥିବା ଚିଠିରେ ସେ ଲେଖିଛନ୍ତି, ସେ ଅନୁଗୁଳ ଜିଲ୍ଲାରେ ଗଲା ୧୯ ବର୍ଷ ହେବ ଗୃହରକ୍ଷୀ ଭାବେ କାମ କରି ଆସୁଛନ୍ତି ।

Advertisment

ସାତ ମାସ ତଳେ ଅନୁଗୁଳରେ ଯୋଗଦେଇଥିବା ଡିଆଇଜି ପାହ୍ୟାର ଅଧିକାରୀ ବ୍ରିଜେଶ କୁମାର ରାଏଙ୍କ ଘରୋଇ କାମରେ ତାଙ୍କୁ ନିୟୋଜିତ କରାଯାଇଥିଲା । ସେ ଡିଆଇଜିଙ୍କ ସମସ୍ତ ଘର କାମ କରୁଥିଲେ । କିନ୍ତୁ କୌଣସି କାମରେ ଟିକେ ଭୁଲ ହେଲେ ଡିଆଇଜିଙ୍କ ପତ୍ନୀ ତାଙ୍କୁ ମାଡ ମାରିବା ସହ ଚାକିରି ନେଇଯିବାର ଧମକ ଦେଉଥିବା ସେ ଅଭିଯୋଗ କରିଛନ୍ତି ।

ଗତ ୪ ତାରିଖରେ ଡିଆଇଜିଙ୍କ ପତ୍ନୀ ତାଙ୍କୁ ଗଳା ଧକ୍କା ଦେଇ ଘରୁ ବାହାର କରି ଦେଇଥିଲେ । ଏଭଳି ନିର୍ଯାତନା ଓ ଚାକିରି ଚାଲିଯିବା ଭୟରେ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ସେ ଅଭିଯୋଗ କରିଛନ୍ତି । ଟ୍ରେନ୍ ଲାଇନରେ ଶୋଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସେ ବଞ୍ଚି ଯାଇଥିଲେ । ହେଲେ ସବୁ ଦିନ ପାଇଁ ସେ ତାଙ୍କ ଗୋଡ ହରାଇ ଦେଇଛନ୍ତି ।