ଡିଜିଟାଲ ରୂପରେ ଆସିଲା ଗୋକୁଳାନନ୍ଦ ମହାପାତ୍ରଙ୍କ ଲିଖିତ ପୁସ୍ତକ ବିଜ୍ଞାନାଲୋକ । ଓଡ଼ିଆ ବିଭବ ୱେବସ୍ଥଳୀରେ ହେଲା ଉପଲବ୍ଧ ।

795

ଜାତୀୟ ବିଜ୍ଞାନ ଦିବସ କଥା ଉଠିଲେ, ଜନପ୍ରିୟ ବିଜ୍ଞାନ ଓ ବୈଜ୍ଞାନିକ ମନୋବୃତ୍ତି କଥା ମନକୁ ଆସେ। ଏ ଦିଗରେ ଓଡ଼ିଆ ବିଜ୍ଞାନ ଲେଖକଙ୍କ ଭିତରେ ସବୁଠାରୁ ମୁଖ୍ୟ ହେଉଛନ୍ତି ବିଶିଷ୍ଟ ବିଜ୍ଞାନୀ ପ୍ରଫେସର ଗୋକୁଳାନନ୍ଦ ମହାପାତ୍ର। ୧୯୪୫ ମସିହାରେ ବିଜ୍ଞାନକୁ ଲୋକପ୍ରିୟ କରିବା ପାଇଁ କଲମ ଧରିଥିଲେ ଏହି ଯୁବ ରସାୟନ ବିଜ୍ଞାନୀ। ଦଶନ୍ଧି ଦଶନ୍ଧି ଧରି ତାଙ୍କ କଲମ ମୂନରୁ ସୃଷ୍ଟି ହୋଇଛି ବହୁ ବିଜ୍ଞାନ ଓ ବିଜ୍ଞାନୀଙ୍କ କଥା।ବିଜ୍ଞାନରେ ଉପନ୍ୟାସ ବା କଳ୍ପବିଜ୍ଞାନ ଲେଖିବାରେ ଗୋକୁଳାନନ୍ଦ ହେଉଛନ୍ତି ପ୍ରଥମ ବ୍ୟକ୍ତି।

ସରଳ ଓଡ଼ିଆ ଭାଷାରେ ବିଜ୍ଞାନକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବିଜ୍ଞାନ ପ୍ରଚାର ସମିତିର ଜନ୍ମ ହୋଇଥିଲା। ପ୍ରଥମେ ନଅଜଣ ଆଗ୍ରହୀ ବ୍ୟକ୍ତି ମିଶି ଏହାକୁ ଆରମ୍ଭ କରିଥିଲେ, ସେତେବେଳେ ଅନେକ ଅଧ୍ୟାପକ ଏହି ଅନୁଷ୍ଠାନକୁ ସମାଲୋଚନା ମଧ୍ୟ କଲେ। ସେମାନଙ୍କର ଧାରଣା ଥିଲା ବିଜ୍ଞାନ ଭଳି କ୍ଲୀଷ୍ଟ ବିଷୟକୁ ଓଡ଼ିଆରେ ଲେଖାଯାଇ ପାରିବନାହିଁ। କ୍ରମେ ଅନେକ ଅଧ୍ୟାପକ ସମିତି ପ୍ରତି ଆଗ୍ରହୀ ହେଲେ ଏବଂ ଏହାର ସଭ୍ୟ ହୋଇଥିଲେ।ସମିତିର ଅଧିବେଶନଗୁଡ଼ିକରେ ପଠିତ ପ୍ରବନ୍ଧଗୁଡ଼ିକୁ ନେଇ ବହି ପ୍ରକାଶ କରାଗଲା। ଫଳରେ ଏହି ସମିତି ତିଆରି କଲା ବହୁ ସଫଳ ବିଜ୍ଞାନ ଲେଖକ । ଓଡ଼ିଆରେ ବିଜ୍ଞାନୀ ଚିନ୍ତାଧାରା ପ୍ରଚାର ଓ ପ୍ରସାର ଦିଗରେ ପ୍ରଫେସର ଗୋକୁଳାନନ୍ଦ ମହାପାତ୍ର ଓ ବିଜ୍ଞାନ ପ୍ରଚାର ସମିତି ଏକ ଧାରା ସୃଷ୍ଟି କରିଛନ୍ତି। ଏବେ ସେମାନଙ୍କ କୃତିକୁ ସାଇତି ରଖିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଏଦିଗରେ ଉଦ୍ୟମ କରିଛି ସୃଜନିକା ଅନୁଷ୍ଠାନ। ପ୍ରଫେସର ଗୋକୁଳାନନ୍ଦ ମହାପାତ୍ରଙ୍କ ଲିଖିତ ପୁସ୍ତକ ଓ ବିଜ୍ଞାନ ପ୍ରଚାର ସମିତିର ପ୍ରକାଶିତ ପୁସ୍ତକ ଓ ପତ୍ରିକା ‘ବିଜ୍ଞାନାଲୋକ’ ଏବେ ଡିଜିଟାଲ ରୂପରେ ଓଡିଆ ବିଭବ ୱେବ୍‌ସ୍ଥଳୀ (http://odiabibhaba.in)ରେ ଉପଲବ୍ଧ।

ସୃଜନିକାର ଡିଜିଟାଇଜେସନ୍ କାମର ଫଳ ହେଉଛି ଓଡ଼ିଆ ବିଭବ ୱେବ୍‌ସ୍ଥଳୀ। ୨୦୧୭ ନଭେମ୍ବର ମାସରେ ଆରମ୍ଭ ହୋଇଥିବା ଏହି ୱେବ୍‌ସ୍ଥଳୀ ଧୀରେ ଧୀରେ ତା’ର କାୟାବିସ୍ତାର କରିଛି। ଏଥିରେ ନିୟମିତଭାବରେ ବହି, ପତ୍ରିକା, ବିଭିନ୍ନ ସ୍ରଷ୍ଟାଙ୍କର ସଂକଳନ ଯୋଡ଼ା ହେଉଛି। ବର୍ତ୍ତମାନ ସୁଦ୍ଧା ଏହି ୱେବ୍‌ସ୍ଥଳୀରେ ପ୍ରାୟ ୬୦୦୦ ବହି, ୭୫ଟି ପତ୍ରିକା, ୨୧ଟି ଖବର କାଗଜ ରହିଛି । ଏଥି ମଧ୍ୟରୁ ଅଧିକାଂଶ ୧୯୫୦ ପୂର୍ବର ପ୍ରକାଶନ୧୮୬୬ର ଉତ୍କଳ ଦୀପିକାଠାରୁ ଆରମ୍ଭ କରି ୧୯୩୯ ମସିହାର ଲୋକମତ, ପ୍ରବୋଧ ଚନ୍ଦ୍ରିକାଠାରୁ ଆରମ୍ଭ କରି ସମଦୃଷ୍ଟି ପର୍ୟ୍ୟନ୍ତ ରହିଛି। ଉତ୍କଳ ସାହିତ୍ୟ, ମୁକୁର, ନବଭାରତ, ନବଜୀବନ ପରି ବିରଳ ପତ୍ରିକା ମଧ୍ୟ ଡିଜିଟାଇଜ୍ ହୋଇ ପାରିଛି । କେବଳ ସେତିକି ନୁହେଁ ବିଶିଷ୍ଟ ସ୍ରଷ୍ଟାମାନଙ୍କର କୃତିକୁ ନେଇ ଡିଜିଟାଲ ସଂକଳନ ମଧ୍ୟ କରାଯାଇ ପାରିଛି। ଆଗାମୀ ଦିନରେ ଆଉ କିଛି ସଂକଳନ ଓଡ଼ିଆ ବିଭବ ୱେବ୍‌ସ୍ଥଳୀରେ ପ୍ରକାଶ ପାଇବ। ଏସମସ୍ତ ସାମଗ୍ରୀ ଯେକେହି ମାଗଣାରେ ଡାଉନ୍‌ଲୋଡ୍ କରି ରଖିପାରିବେ।