କନକ ବ୍ୟୁରୋ : ସାଧାରଣ ନିର୍ବାଚନକୁ ଆଉ ପାଖାପାଖି ୧ ବର୍ଷ ରହିଛି । କିନ୍ତୁ ଏବେଠାରୁ ରାଜନୈତିକ ବାତାବରଣ ଉଷୁମ ହେବାରେ ଲାଗିଛି । କେବଳ ଦିଲ୍ଲୀ କିମ୍ବା ଭୁବନେଶ୍ୱରରେ ନୁହେଁ ଗ୍ରାମାଞ୍ଚଳରେ ବି ଆରମ୍ଭ ହୋଇଗଲାଣି ନେତା ନେତାଙ୍କ ମଧ୍ୟରେ ଟକ୍କର । ଆଉ ଏଥିରେ ପ୍ରମୁଖ ଅସ୍ତ୍ର ପାଲଟିଛି ସୋସିଆଲ୍ ମିଡିଆ ।

Advertisment

ନେତାଙ୍କ ବିରୋଧରେ ଓ ସପକ୍ଷରେ ଚାଲିଛି ଆକ୍ଷେପ ଓ ପ୍ରତ୍ୟାକ୍ଷେପ । ଭିନ୍ନ ଭିନ୍ନ ନାଁରେ ଆକାଉଣ୍ଟ ଖୋଲି ସୋସିଆଲ୍ ମିଡିଆରେ ଦେଖିବାକୁ ମିଳୁଛି ପୋଷ୍ଟ । ଏପରିକି ଅତି ବ୍ୟକ୍ତିଗତ ସ୍ତରକୁ ବି ଚାଲିଯାଉଛି ବୟାନବାଜି । ନା’ ଅଛି ଶାଳୀନତା, ନା’ ଅଛି କଟକଣା । ଯିଏ ଯାହା ପାଉଛି ସୋସିଆଲ ମିଡିଆରେ ଲେଖି ଚାଲିଛି । ଏହାକୁ ନେଇ ଆମର ସ୍ୱତନ୍ତ୍ର ସେଗମେଣ୍ଟ ‘ଡିଡିଟାଲ୍ ଯୁଦ୍ଧ’ ।

ଖଲ୍ଲିକୋଟ ଦୁର୍ନୀତି ଖବର ନାଁରେ ସୋସିଆଲ୍ ମିଡିଆରେ ବିଧାୟିକାଙ୍କ ବିରୋଧରେ ଲେଖାଯାଉଛି । କେତେବେଳେ ତାଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଆକ୍ଷେପ ତ କେତେବେଳେ ଦୁର୍ନୀତିକୁ ନେଇ ତାଙ୍କ ବିରୋଧରେ କଟାକ୍ଷ କରାଯାଉଛି । ଏପରିକି ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟଙ୍କୁ ଏଥର ଟିକେଟ ମିଳିବନି ବୋଲି ସୋସିଆଲ୍ ମିଡିଆରେ ଟିପ୍ପଣୀ ଦିଆଯାଉଛି ।

ଏପଟେ ସୋସିଆଲ୍ ମିଡିଆ ଟିପଣୀକୁ ନେଇ ଚିହିଁକି ଉଠିଛନ୍ତି ସୂର୍ଯ୍ୟମଣୀଙ୍କ ସମର୍ଥକ । ସେମାନଙ୍କ କହିବା କଥା, ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ ଖଲ୍ଲିକୋଟ ପାଇଁ ଅନେକ କାର୍ଯ୍ୟ କରିଛନ୍ତି । ତାଙ୍କ ଉପରେ ରାଣୀଙ୍କ ଆଶୀର୍ବାଦ ରହିଛି । ପୁଣିଥରେ ସେ ଟିକେଟ ପାଇବା ପକ୍କା । କେବଳ ସୋସିଆଲ୍ ମିଡିଆରେ ନୁହେଁ, ସାଧାରଣରେ ବି ବିଧାୟିକା ସୂର୍ଯ୍ୟମଣୀଙ୍କ ବିରୋଧରେ ଯେପରି ଆଲୋଚନା ହେଉଛି, ତାଙ୍କ ସପକ୍ଷରେ ବି ସେମିତି ମତ ପ୍ରକାଶ ପାଉଛି ।