ଛାତ୍ରଛାତ୍ରୀଙ୍କ ପାଇଁ ଅଡୁଆ ହୋଇପାରେ ଅନଲାଇନ୍ ପାଠପଢା । ଡାକ୍ତର କହିଲେ, ମୋବାଇଲ୍ ଓ ଲାପଟପରେ ପଢିଲେ ଆଖି ଉପରେ ପଡିପାରେ ଅତ୍ୟଧିକ ପ୍ରଭାବ । ଆଖି ଠାରୁ ଅତି କମରେ ୧ ଫୁଟ ଦୂରତାରେ ମୋବାଇଲ ରଖିବାକୁ ପରାମର୍ଶ ।

1,541

କନକ ବ୍ୟୁରୋ : କରୋନା କଟକଣା ବେଳେ ଘଂଟା ଘଂଟା ଧରି ମୋବାଇଲରେ ଅନଲାଇନ୍ ପାଠପଢା । ଆଉ ଏହି ଅନଲାଇନ୍ ପାଠ ପଢା ଯୋଗୁଁ ଛାତ୍ରଛାତ୍ରୀଙ୍କ ଆଖି ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଡାକ୍ତରଙ୍କ ପରାମର୍ଶ ହେଲା, ମୋବାଇଲରେ ପାଠ ପଢିବା ସମୟରେ ୧ଫୁଟ ଦୂରତାରେ ମୋବାଇଲ ରଖନ୍ତୁ । ଏବଂ ଆଖିର ସ୍ଥିତି କଣ ରହିଛି ସେନେଇ ପରୀକ୍ଷା କରାଇନିଅନ୍ତୁ ନଚେତ ଆପଣଙ୍କ ପିଲାର ଆଖି ଖରାପ ହେବାର ସମ୍ଭାବନା ରହିଛି ।

କରୋନା କଟକଣା ଭିତରେ ଅନଲାଇନରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ଦୃଷ୍ଟିଶକ୍ତି ପ୍ରଭାବିତ ହେବାର ଆଶଙ୍କା ରହିଛି । ଏହା କିପରି ପ୍ରଭାବିତ ନ ହେବ ସେଥିପାଇଁ ଡାକ୍ତର କିଛି ଏପରି ପରାମର୍ଶ ଦେଇଛନ୍ତି ।

-ମୋବାଇଲରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ପ୍ରଥମେ ଆଖି ପରୀକ୍ଷା କରାଇ ନେବା ଦରକାର
-ଦୃଷ୍ଟିଶକ୍ତି କେମିତି ସ୍ଥିତିରେ ଅଛି ତାହା ଜାଣିବା ଜରୁରୀ
-ପାଠ ପଢିବା ସମୟରେ ଆଖି ଠାରୁ କମସେ କମ ୧ ଫୁଟ ଦୂରତାରେ ମୋବାଇଲ ରଖିବା ଦରକାର
-ପାଠ ପଢୁଥିବା ସ୍ଥାନର ସରାଉଣ୍ଡିଂ ଲାଇଟ ଭଲ ରହିବା ଦରକାର
-ପାଠ ପଢୁଥିବା ଛାତ୍ରଙ୍କ ପଛପଟେ ଏକ ଲାଇଟ ଜଳିବା ଆବଶ୍ୟକ । ଏହା ଦ୍ୱାରା ମୋବାଇଲ ଲାଇଟର ପ୍ରଭାବକୁ କମ କରିହେବ
-ମୋବାଇଲ ଉପରେ ଅଲଟ୍ରା ଭାୟୋଲେଟରେ କଭର ରହିବା ନିହାତି ଆବଶ୍ୟକ

ଯଦି ଏସବୁ ନିୟମକୁ ଛାତ୍ରଛାତ୍ରୀମାନେ ନମାନନ୍ତି ଏବଂ ଘଂଟା ଘଂଟା ଧରି ମୋବାଇଲରେ ପାଠ ପଢନ୍ତି, ତେବେ ସେମାନଙ୍କ ଆଖିର ପାୱାର କମିବାର ଆଶଙ୍କା କରିଛନ୍ତି ଡାକ୍ତର । କମ ବୟସରୁ ଆଖିକୁ କମ ଦେଖାଯିବା, ଆଖିରୁ ଲୁହ ବୋହିବା ଏବଂ ଆଖି କୁଣ୍ଡାଇ ହେବା ଭଳି ସମସ୍ୟା ଦେଖାଯିବ ।

କରୋନା କଟକଣା ବେଳେ ଅନଲାଇନରେ ପାଠପଢା ଛଡା ଆଉ କିଛି ଉପାୟ ନାହିଁ । ଆଉ ଛାତ୍ରଛାତ୍ରୀମାନେ ଦିନକୁ ପ୍ରାୟ ୫ ଘଂଟା ଅନଲାଇନରେ ପାଠ ପଢିବାକୁ ପଢୁଛି । ତେଣୁ ଆଖିକୁ ସୁରକ୍ଷିତ ରଖିବା ପାଇଁ ନିର୍ଦ୍ଦିଷ୍ଟ ନିୟମକୁ ମାନିବା ଜରୁରୀ ହୋଇପଡିଛି ।