କନକ ବ୍ୟୁରୋ: ଭାଇ ହାତ ଦେଖା, ମୁଁ ରାକ୍ଷୀ ବାନ୍ଧିବି... ମଥା ଦେଖା ମୁଁ ଚନ୍ଦନ ନାଇ ଦେବି ଆଉ ଆଁ କର ମିଠା ଖୁଆଇ ଦେବି... ଦୂରରେ ଥିବା ଭାଇ ହାତରେ ସମ୍ପର୍କର ସୂତା ବାନ୍ଧିବାକୁ ସୋସିଆଲ ମିଡିଆକୁ ମାଧ୍ୟମ କରିଛି ଭଉଣୀ । ଆଉ ଥାଳିରେ ଚାଉଳ, ଚନ୍ଦନ, ମିଠା ଧରି ଭିଡିଓ କଲରେ ଭାଇ ହାତରେ ରାକ୍ଷୀ ବାନ୍ଧିଛି । କରୋନା କଟକଣା ପାଇଁ ଯେତେବେଳେ ଭାଇ ପାଖକୁ ଯାଇ ଭଉଣୀ ତା ହାତରେ ସ୍ନେହର ସୂତାଖିଅ ବାନ୍ଧିପାରୁନି ଠିକ୍ ସେତିକି ବେଳେ ସୋସିଆଲ ମିଡିଆ ସାଜିଛି ସମ୍ପର୍କର ସେତୁ ।
କଟକଣା ପାଇଁ ଅନେକ ଭଉଣୀ ନିଜ ନିଜ ଭାଇଙ୍କ ପାଖକୁ ପୋଷ୍ଟାଲରେ ରାକ୍ଷୀ ପଠାଇ ଦେଇଥିବା ବେଳେ କିଛି ଭଉଣୀ ଏଥର ଭାଇ ହାତରେ ରାକ୍ଷୀ ବାନ୍ଧିପାରୁ ନଥିବାରୁ ମନଉଣା କରି ବସିଛି । କିନ୍ତୁ କଟକର ଜଣେ ମହିଳା ଜୟଶ୍ରୀ ସିଂହ ନିଆରା ଢଙ୍ଗରେ ଭାଇ ହାତରେ ରାକ୍ଷୀ ବାନ୍ଧିଛନ୍ତି । ଦୂରରେ ଥିବା ଭାଇକୁ ଭିଡିଓ କଲ କରି ରାକ୍ଷୀ ବାନ୍ଧିଛନ୍ତି ଆଉ ଭାଇଠୁ ଆଶିର୍ବାଦ ମାଗିଛନ୍ତି ଜୟଶ୍ରୀ ।
ତେବେ ରାକ୍ଷୀ ବାନ୍ଧିବା ପରେ ପ୍ରତିବର୍ଷ ଭାଇକୁ ପାଉଣା ମାଗେ ଭଉଣୀ । କିନ୍ତୁ ଏଥର ଭାଇକୁ ଭଉଣୀ ପାଉଣା ମାଗିନି । ବରଂ ସତର୍କ ରହିବାକୁ ସଚେତନ କରିଛି । ଭାଇ ଭଲରେ ରହୁ ବୋଲି ଭଗବାନକୁ ପ୍ରାର୍ଥନା କରିଛି । ଆଉ ମାସ୍କ, ସାଇଟାଇଜର ବ୍ୟବହାର ସହ ସାମାଜିକ ଦୂରତା ମାନିକାବୁ ଭଉଣୀ ଭାଇକୁ କହିଛି, ଭାଇ ବି ଭଉଣୀର ରାକ୍ଷୀ ଗ୍ରହଣ କରି ସତର୍କ ରହିବାକୁ କହିଛି । ରକ୍ଷା ବନ୍ଧନରେ ଭିଡିଓ କଲରେ ହେଉ ପଛେ ଭାଇ ହାତରେ ରାକ୍ଷୀ ବାନ୍ଧି ବେସ୍ ଖୁସି ହୋଇଛି । ଆଉ ସୋସିଆଲ ମିଡିଆ ସମ୍ପର୍କର ସେତୁ ସାଜିଛି...