କନକ ବ୍ୟୁରୋ: ଆପଣ ସଟକର୍ଟରେ ଲୋନ ନେବାକୁ ଚାହୁଁଛନ୍ତି କି ? ତାହାହେଲେ ଟିକେ ସାବଧାନ ହୋଇଯାଆନ୍ତୁ । କାହିଁକି ନା ଲୋନ ନାଁରେ ଚୂନା ଲଗାଇବା ପାଇଁ ଡିଜିଟାଲ ପ୍ଲାଟଫର୍ମରେ ଘୁରି ବୁଲୁଛନ୍ତି ମାଳ ମାଳ ଠକ । ଡିଜିଟାଲ ଲୋନ ଆପ୍ ଜରିଆରେ ମାୟାଜାଲ ପକାଇ ଆପଣଙ୍କୁ ବରବାଦ କରିଦେଇପାରନ୍ତି ଏହି ଠକ ମାନେ । ଏପରିକି ଏମାନଙ୍କ ମାୟା ଜାଲରେ ଫସି ୬ ଜଣ ଆତ୍ମହତ୍ୟା କରିଥିବା ବେଳେ ଆଉ କିଛି ଯୁବକ ଅଳ୍ପକେ ବର୍ତି ଯାଇଛନ୍ତି ।

Advertisment

ଠକଙ୍କ ମାୟାଜାଲରେ ପଡ଼ୁଛନ୍ତି ଯୁବ ପିଢ଼ୀ । ସଟକର୍ଟ ସାଜୁଛି କାଳ । ଡିଜିଟାଲ ଲୋନ ନେଇ ଠକଙ୍କ କବଳରେ ପଡ଼ିଯାଉଛନ୍ତ କିନ୍ତୁ ମୁକୁଳିପାରୁ ନାହାନ୍ତି । ଆଉ ଠକମାନେ ଏହାର ଫାଇଦା ନେଇ ଆରମ୍ଭ କରୁଛନ୍ତି ଅପରେସନ ବ୍ଲାକମେଲିଂ । ନଜର ପକାନ୍ତୁ ଠକାମୀର ଶିକାର ହୋଇଥିବା ଜଣେ ଯୁବକଙ୍କ ଉପରେ । ବିକାଶ କୁମାର ସାହୁ । ବୟସ ୨୮ ବର୍ଷ । ଘର କେନ୍ଦୁଝର ତୁରୁମୁଙ୍ଗା ଅଂଚଳରେ । କିଛି ଭୁଲ ନଥାଇ ବି ସାରା ଦୁନିଆରେ ତାଙ୍କୁ ଚୋର ସଜାଇଦେଲେ ସାଇବର ଠକ । ଜଣେ ନୀରିହ ଯୁବକଙ୍କୁ ପଇସାର ଅଭାବ ଯେତିକି ଦୁଃଖ ନଦେଇଛି, ତାଠାରୁ ଅଧିକ କଷ୍ଟ ଦେଇଛି ସମାଜରେ ଠକଙ୍କ ଯୋଗୁଁ ହୋଇଥିବା ବଦନାମ । ଠକଙ୍କ ଜାଲରେ ପଡ଼ି ଅଣନିଶ୍ୱାସି ହୋଇପଡ଼ିଥିବା ବିକାଶ ଶେଷରେ ନିଜ ଜୀବନ ହାରିଦେବା ଭଳି ଚରମ ନିଷ୍ପତି ନେଇ ଆତ୍ମହତ୍ୟା ଉଦ୍ୟମ କରି ଅଳ୍ପକେ ବର୍ତିଯାଇଛନ୍ତି ।

ପ୍ଲେ ଷ୍ଟୋରରେ ଅତି ସହଜରେ ମିଳିଯାଏ ଡିଜିଟାଲ ଲୋନ ଆପ୍ । ଆପଣଙ୍କୁ ସର୍ବସ୍ୱାନ୍ତ ପାଇଁ ଯୋଜୋ, କୋକୋ, କ୍ରେଡିଟ ମାଷ୍ଟର, ରୁପି କିଙ୍ଗ ଭଳି ଅନେକ ଠକ ଆପ୍ ଏବେ ପ୍ଲେ ଷ୍ଟେରରେ ରହିଛି । ଏଗୁଡ଼ିକୁ ମୋବାଇଲରେ ଡାଉନଲୋଡ କରିବା ମାତ୍ରେ ଆପଣ ଚାହାନ୍ତୁ କି ନ ଚାହାନ୍ତୁ ଆପଣଙ୍କ ଆକାଉଂଟରେ କିନ୍ତୁ ୩ ହଜାରରୁ ୧୦ ହଜାର ମଧ୍ୟରେ ଟଙ୍କା ଜମା ହୋଇଯାଏ । ଟଙ୍କା ଜମା ହେବାର ସପ୍ତାହକ ମଧ୍ୟରେ ଜମା ଟଙ୍କାର ଦୁଇ ଗୁଣା ଟଙ୍କା ଫେରସ୍ତ ପାଇଁ ମେସେଜ୍ ଆସିବ । ଯେତିକି ଦିନ ଗଡ଼ି ଗଡ଼ି ଚାଲିଥିବା ସେତିକି ସୁଧ ବଢ଼ି ବଢ଼ି ଚାଲିବ । ଆଉ ହଠାତ୍ ରିକଭରି ଏଜେଂଟ ନାଁରେ କିଛି ଠକ ଅସଭ୍ୟ ଭାଷାରେ ଗାଳି ଗୁଲଜ ଆରମ୍ଭ କରିଦେବେ । ସେତେବେଳକୁ ସାଇବର ଠକଙ୍କ ହାତକୁ ଚାଲିଯାଇଥିବ ଆପଣଙ୍କ ମୋବାଇଲର ଡାଟାବେସ୍ । ଏପରିକି ଆପଣଙ୍କ ଫଟୋକୁ କଦର୍ଯ୍ୟ ରୂପ ଦେଇ କଂଟାକ୍ଟ ଲିଷ୍ଟରେ ଥିବା ସମସ୍ତଙ୍କୁ ଏହି ଫଟୋକୁ ପଠାଇଦିଆଯିବ । କିଛି ବୁଝିବା ଆଗରୁ ସମାଜ ଆଣରେ ଆପଣ ବଦନାମ ହୋଇଯାଇଥିବେ । ଏହିଭଳି ମାନସିକ ନିର୍ଯାତନାର ଶିକାର ହୋଇ ଆନ୍ଧ୍ରରେ ୬ ଜଣ ଜୀବନ ହାରିଥିବାର ନଜିର ରହିଛି ।

ମହମ୍ମଦ ଜାଭେଦ ସୈଫି । ଡିଜିଟାଲ ଲୋନ ଆପର ମାଷ୍ଟରମାଇଣ୍ଡ । ଆଇଡବ୍ଲୁଟି ଇଣ୍ଡିଆ ନାଁରେ ଏକ ନକଲି ଫାର୍ମ ଖୋଲି ପାଖାପାଖି ୫୦ ଲୋକଙ୍କୁ ଚୂନା ଲଗାଇ ପ୍ରାୟ ୭କୋଟିରୁ ଅଧିକ ଟଙ୍କା ଲୁଟ କରିଥିବା ଅର୍ଥନୈତିକ ଅପରାଧ ଶାଖା ଜାଣିବାକୁ ପାଇଛି । କିନ୍ତୁ ଅଭିଯୁକ୍ତ ଗିରଫ ହେବା ପରେ ତା ଆକାଉଂଟରେ ଟଙ୍କାଟିଏ ବି ନଥିବା ଦେଖିବାକୁ ମିଳିଛି । ତେବେ ଏହି ସବୁ ଟଙ୍କା ମହାଗ୍ରାମ ପେମେଂଟସ୍ ପ୍ରାଇଭେଟ ଲିମିଟେଡ୍ ଜରିଆରେ ଟଙ୍କା ଲୁଟ କରିଥିବା ସୁରାକ ପାଇଛି ଇଓଡବ୍ଲୁ । କିନ୍ତୁ ଏହି ସଂସ୍ଥାକୁ ଆରବିଆଇ ପକ୍ଷରୁ କୌଣସି ଅନୁମତି ମିଳି ନାହିଁ ।

ସାରା ଭାରତରେ ଏହି ଠକମାନେ ନକଲି ଲୋନ୍ ଆପର ଜାଲ ବିଛାଇ ପ୍ରାୟ ଦେଢ଼ଲକ୍ଷ ଲୋକଙ୍କୁ ଚୂନା ଲଗାଇଥିବା ବେଳେ ଓଡ଼ିଶାରେ ୫ ହଜାର ଠକାମୀର ଶିକାର ହୋଇଛନ୍ତି । ଆରବିଆଇ ପକ୍ଷରୁ ଅଭିଯୋଗ ପରେ ଇଓଡବ୍ଲୁ ଏହାର ତଦନ୍ତ ଆରମ୍ଭ କରିଥିଲା ।