ନେଟୱର୍କ ଯେଉଁଠି ପାଠପଢ଼ା ସେଇଠି : ୟୁଟ୍ୟୁବ୍ ଲାଇଭ ଷ୍ଟ୍ରିମିଂ ଜରିଆରେ ଚାଲିଛି ସ୍କୁଲ ପିଲାଙ୍କ ଶିକ୍ଷାଦାନ

149

କନକ ବ୍ୟୁରୋ : କରୋନା କାଳରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ୟୁଟ୍ୟୁବ୍ ଷ୍ଟ୍ରିମିଂ ଜରିଆରେ ଅନଲାଇନ ପାଠପଢା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ହେଲେ ମୋବାଇଲ ନେଟୱର୍କ ପାଇଁ ସ୍କୁଲ ପିଲା କିଭଳି ହନ୍ତସନ୍ତ ହେଉଛନ୍ତି ତାର ବିକଳ ଚିତ୍ରସବୁ ସାମ୍ନାକୁ ଆସିବାରେ ଲାଗିଛି । ବୌଦ୍ଧ ଜିଲ୍ଲାର ଆନିଗଡଠାରେ ଜଙ୍ଗଲ ଭିତରେ ପାଠ ପଢୁଛନ୍ତି ପିଲା । ଗାଁରେ ଅଧିକାଂଶ ଛାତ୍ରଛାତ୍ରୀଙ୍କ ପାଖରେ ମୋବାଇଲ ନାହିଁ ।

ଆଉ ଯାହା ପାଖରେ ମୋବାଇଲ ଅଛି, ସେଠି ନେଟୱର୍କ ନାହିଁ । ତେଣୁ ପିଲାଏ ଅନଲାଇନ ପାଠପଢା ପାଇଁ ଜଙ୍ଗଲ କିମ୍ବା ପାହାଡ ଉପରକୁ ଆସୁଛନ୍ତି । ଯେଉଁଠି ମୋବାଇଲ ନେଟୱର୍କ ଆସିଲା, ସେହିଠାରେ ବସି ପାଠ ପଢୁଛନ୍ତି । ବଡଠାରୁ ଛୋଟପିଲା ସସସ୍ତେ ଜଙ୍ଗଲ ଭିତରେ ପାହାଡ ଉପରେ ପଥରରେ ବସି ୟୁଟ୍ୟୁବ ଲାଇଭ ଷ୍ଟ୍ରିମିଂରେ ପାଠ ପଢୁଥିବା ଦେଖିବାକୁ ମିଳୁଛି । ସେହିପରି କୋରାପୁଟ ଜିଲ୍ଲାରେ ମଧ୍ୟ ସୁଲ ପିଲାଏ ରାସ୍ତା ଉପରେ ବସି ପାଠ ପଢୁଥିବାର ଚିତ୍ର ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଏହି ଫଟୋସବୁ ଭାଇରାଲ ହେବାରେ ଲାଗିଛି ।

ରାଜ୍ୟର ଦୁର୍ଗମ ଅଂଚଳ ଗୁଡିକରେ ନାହିଁ ମୋବାଇଲ ନେଟୱର୍କ । ଫଳରେ ପାହାଡ ଉପରେ ଚାଲିଛି ୟୁ-ଟ୍ୟୁବ ଲାଇଭରେ ପାଠପଢା । ଗଜପତି ଜିଲ୍ଲା ମୋହନା ବ୍ଲକରେ ଥିବା ମାଳସପଦର ପଂଚାୟତର ହୁରୁଗୁଡା, ଜାମଲିଙ୍ଗ ଓ ଜାନାଖାଲ ଗାଁ ସମେତ ପ୍ରାୟ ୧୦ରୁ ଅଧିକ ଗାଁରେ ମୋବାଇଲ ନେଟୱର୍କ ନଥିବାରୁ ଛାତ୍ରଛାତ୍ରୀମାନେ ଗାଁଠାରୁ ପ୍ରାୟ ୫ରୁ ୬ କିଲୋମିଟର ଦୂରରେ ଥିବା ବାପିଗଣ୍ଡା ପାହାଡ ଉପରକୁ ଆସି ପାଠ ପଢୁଥିବା ଦେଖାଯାଉଛି । ଏପରିକି ଅଧିକାଂଶ ପିଲାଙ୍କ ପାଖରେ ମୋବାଇଲ ନଥିବାରୁ ଗୋଟିଏ ମୋବାଇଲରେ ୫ ଜଣ ଲେଖାଏଁ ପିଲା ମିଶି ପାଠ ପଢୁଛନ୍ତି ।