କନକ ବ୍ୟୁରୋ : ସାମ୍ପ୍ରତିକ ସ୍ଥିତି ଓ ଵିଧିବ୍ୟବସ୍ଥା ଭିତରେ ବ୍ୟକ୍ତି ଚରିତ୍ରକୁ ସୁସ୍ଥ ଓ ସୁନ୍ଦର କରିବା ସହିତ ପରିବର୍ତ୍ତିତ ପରିସ୍ଥିତିରେ ଖାପ ଖୁଆଇ ଚଳିବା ପାଇଁ ଆମ ସଂସ୍କୃତି ପରମ୍ପରା ଯେ କେତେ ଗୁରୁତ୍ୱ ବହନ କରେ ତାହାର ଏକ ଝଲକ ମିଳେ ସୋମ ରୟଙ୍କ ଠାରୁ। ବିଦ୍ୟାର୍ଥୀ ମାନଙ୍କ ଠାରୁ ଆରମ୍ଭ କରି ଯୁବକ ମାନଙ୍କ ମଧ୍ୟରେ ଚାରିତ୍ରିକ ଜାଗୃକତା ପାଇଁ ୭ବର୍ଷ ଧରି ଅହରହ ଚେଷ୍ଟା ଜାରି ରଖିଛନ୍ତି।୨୦୨୧ ଅଗଷ୍ଟ ମାସରେ ସିବିଜିଇ କମ୍ୟୁନିଟିଜର ପ୍ରତିଷ୍ଠାତା ଗୁରୁ ପ୍ରସାଦ ଚୌଧୁରୀ ପ୍ରସ୍ତାବ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ସୁନ୍ଦରଗଡରେ ବିଦ୍ୟାର୍ଥୀ ମାନଙ୍କର ବ୍ୟକ୍ତିତ୍ୱ ବିକାଶ ଓ ଡିଜିଟାଲ ଶିକ୍ଷାର ବିକାଶ ପାଇଁ ଉଦ୍ଦିଷ୍ଟ DIGITAL CITIZENSHIP MOVEMENT କାର୍ଯ୍ୟକ୍ରମ ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ଓ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ସ୍ୱୀକୃତି ଦ୍ୱାରା ସିବିଜିଇ କମ୍ୟୁନିଟିଜର ତରଫରୁ ପୁରା ଜିଲ୍ଲାରେ ଆୟୋଜନ କରାଯାଇଛି।
ଏବେ ଛାତ୍ରଛାତ୍ରୀଙ୍କ ପାଇଁ ଡିଜିଟାଲ ଶିକ୍ଷା କେତେ ଯେ ଗୁରୁତ୍ୱ ବହନ କରେ ତାହା ଅନୁଭବ କରି ସିବିଜିଇ କମ୍ୟୁନିଟିଜର ପ୍ରତିଷ୍ଠାତା ଗୁରୁ ପ୍ରସାଦ ଚୌଧୁରୀ ଗତ ସେପ୍ଟେମ୍ବର ମାସ ୧୮ତାରିଖ ଦିନ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ,ଗର୍ଜନ ରାଉରକେଲାର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ସିଂଙ୍କ ତତ୍ୱବାଧାନରେ କାର୍ୟ୍ୟକ୍ରମ ଆରମ୍ଭ ହୋଇଥିଲା । ଆଉ କାର୍ଯ୍ୟକ୍ରମ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ପୂରା ଜିଲ୍ଲାରେ ଏକ ନୂତନ ସମ୍ଭାବନା ସୃଷ୍ଟି କରିଥିଲା ।
ସୋମ ରୟ କୁହନ୍ତି ଛାତ୍ରଛାତ୍ରୀ ଉଗ୍ର ଆଧୁନିକ ଯୁଗର ଚାଲିଚଳଣି ପ୍ରତି ଅହେତୁକ ଆଗ୍ରହ ଓ ଆମ ସଂସ୍କୃତି ପରମ୍ପରା ପ୍ରତି ଅନାଗ୍ରହ ପ୍ରଦର୍ଶନ ଏବଂ ତାର ଫଳ ସ୍ୱରୂପ ସମାଜରେ ବ୍ୟକ୍ତି ଓ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଚାରିତ୍ରିକ ଅଧପତନର ଏକ ମୁଖ୍ୟ କାରଣ। ଯଦି ଏହା ପ୍ରତି ଏବେ ସମାଜ, ପ୍ରଶାସନ ଓ ବୁଦ୍ଧିଜୀବୀ ଧ୍ୟାନ ନଦେବେ ତେବେ ଭବିଷ୍ୟତର ସମାଜ ବେଶ ବିଶୃଙ୍ଖଳିତ ହୋଇଯିବ।
ଛାତ୍ରଛାତ୍ରୀ ଓ ଯୁବ ସମାଜ ମଧ୍ୟରେ ମାନବିକ ମୂଲ୍ୟବୋଧ ଜାଗ୍ରତ କରିବା ଏବଂ ଷ୍ଟୋରି ଟେଲର ସୋମ ରୟଙ୍କ ଦ୍ଵାରା ମହାମନିଷି ମାନଙ୍କ ଚାରିତ୍ରିକ ଉଦାହରଣ ମାଧ୍ୟମରେ ଆମ ସଂସ୍କୃତିର ବାସ୍ତବତା ଏବଂ ପରମ୍ପରାର ବାର୍ତ୍ତା ପହଞ୍ଚାଇବା ସିବିଜିଇ କମ୍ୟୁନିଟିଜର ପ୍ରତିଷ୍ଠାତାଙ୍କ ଲକ୍ଷ୍ୟ । ସୁନ୍ଦରଗଡ ଜିଲ୍ଲାର ଲାଠିକଟା, ରାଜଗାଙ୍ଗପୁର, ସୁନ୍ଦରଗଡ ସଦର ଓ ଳେଫ୍ରିପଡା ଏହି ୪ଟି ବ୍ଲକର ୭୫ରୁ ଅଧିକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଏକଲବ୍ୟ ଇଂରାଜୀ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ବ୍ୟକ୍ତିତ୍ୱ ବିକାଶ ଓ ଡିଜିଟାଲ ଶିକ୍ଷାର ବିକାଶ ପାଇଁ ୱାର୍କସପ କରିଛନ୍ତି। ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକଙ୍କ ଅନୁରୋଧ କ୍ରମେ ଗତ ଡେସେମ୍ବର ୨୨ ତାରିଖରେ ରାଉରକେଲା ଠାରେ ଅନୁଷ୍ଠିତ ସ୍କାଉଟ ଗାଇଡ଼ କ୍ୟାମ୍ପରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ୩୦୦ ସ୍କାଉଟ ଗାଇଡ଼ ମାନଙ୍କ ଉଦ୍ଦେଶ୍ୟରେ ବ୍ୟକ୍ତିତ୍ୱ ବିକାଶ ଓ ଡିଜିଟାଲ ଶିକ୍ଷାର ମହତ୍ଵ ବୁଝାଇଥିଲେ ସୋମ ରୟ ।
ଟେକ୍ନୋଲୋଜି ଏବଂ ଭାରତୀୟ ସଂସ୍କୃତିର ସୁନ୍ଦର ସମାହାର ମାଧ୍ୟମରେ ଯୁବପଢି କିପରି ଏକ ସୁନ୍ଦର ଭବିଷ୍ୟତ ଓ ମାନବୀୟ ସମ୍ପନ୍ନ ସହିତ ସଫଳ ବ୍ୟକ୍ତିତ୍ବଧାରୀ ହୋଇ ପାରିବ ତାହା ପ୍ରଶାସନ ଓ ଏହି ସଂସ୍ଥାର ଉଦେଶ୍ୟ ବୋଲି ଗୁରୁ ପ୍ରସାଦ ଚୌଧୁରୀ କହିଛନ୍ତି। ଗତବର୍ଷ ସେପ୍ଟେମ୍ବର ମାସରୁ ଓ ଚଳିତ ବର୍ଷ ଜାନୁଆରୀ ମାସର ୭ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୦ ହଜାରରୁ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ବ୍ୟକ୍ତିତ୍ୱ ବିକାଶ ଓ ଡିଜିଟାଲ ଶିକ୍ଷାର ବିକାଶ ୱାର୍କସପ କରାଯାଇଛି । ଏଭଳି ଏକ କାର୍ଯ୍ୟ ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଠାରୁ ପ୍ରଶଂସା ପାଇଛନ୍ତି ସୋମ ।
ସ୍ୱାମୀ ବିବେକାନନ୍ଦଙ୍କ ଜୀବନ ଦର୍ଶନରେ ଅନୁପ୍ରାଣିତ ହୋଇ ବ୍ୟକ୍ତିଗତ ସ୍ଵାର୍ଥ ଠାରୁ ଦେଶ ଗଠନରେ ବିଦ୍ୟାର୍ଥୀ ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଅତୁଳନୀୟ ଭାବି ନିଜର ସର୍ବସ୍ୱ ବିଦ୍ୟାର୍ଥୀ ବ୍ୟକ୍ତିତ୍ବ ବିକାଶ ପାଇଁ ଉତ୍ସର୍ଗ କରି ସିବିଜିଇ କମ୍ୟୁନିଟିଜର ପ୍ରତିଷ୍ଠାତା ଗୁରୁ ପ୍ରସାଦ ଚୌଧୁରୀ ଓ ସୁନ୍ଦରଗଡ ଜିଲ୍ଲାର ବିଶିଷ୍ଟ ସମାଜସେବୀ ନଟ କିଶୋର ମିଶ୍ର ଏହି କାର୍ଯ୍ୟକ୍ରମକୁ ଆଗକୁ ବଢାଉଛନ୍ତି ।