୨୦୨୧ରେ ମୋବାଇଲ ଆପରେ ହେବ ଦେଶର ଜନଗଣନା । ଖର୍ଚ୍ଚ ହେବ ୧୨ ହଜାର କୋଟି ଟଙ୍କା ।

891

ଦେଶରେ ଜନସଂଖ୍ୟା କେତେ? ଗତ ୧୦ ବର୍ଷ ମଧ୍ୟରେ ଦେଶରେ ଜନସଂଖ୍ୟା କେତେ ବଢିଛି । ଏହାର ଟିକିନିକି ତଥ୍ୟ ପାଇବା ପାଇଁ ଆସନ୍ତା ୨୦୨୧ରେ ଦେଶରେ ଜନଗଣନା କରାଯିବ । ତେବେ ୨୦୨୧ରେ ପ୍ରଥମଥର ପାଇଁ ଡିଜିଟାଲ ଉପାୟରେ ଜନଗଣନା କରାଯିବ । ଜନଗଣନା ପୂର୍ବରୁ ଜନଗଣନା ଭବନ ପାଇଁ ଶିଳାନ୍ୟାସ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏହି ଜନଗଣନା ଭବନକୁ ପୂରା ସବୁଜ ରଙ୍ଗରେ ରଙ୍ଗୀନ କରାଯିବ ।

ଆସନ୍ତା ୨୦୨୧ରେ ଦେଶରେ ୧୬ତମ ଜନଗଣନା ହେବ । ତେବେ ଚଳିତଥର ନୂଆ ପଦ୍ଧତି ଅଥାର୍ତ ଡିଜିଟାଲ ଉପାୟରେ ଜନଗଣନା କରାଯିବ । ତେବେ ଏନେଇ ଅମିତ ଶାହା କହିଛନ୍ତି, ଯେକୌଣସି ଦେଶର ଭବିଷ୍ୟତରେ ହେବାକୁ ଥିବା ବିକାଶ ଯୋଜନା ପାଇଁ ଜନଗଣନା ସବୁଠୁ ବଡ ଆଧାର । ୨୦୨୧ରେ ହେବାକୁ ଥିବା ଜନଗଣନା ମୋବାଇଲ ଆପ୍ ମାଧ୍ୟମରେ କରାଯିବ । ଏହି ଆପରେ ଜନଗଣନାର ସମସ୍ତ ତଥ୍ୟ ଉଲ୍ଲେଖ ରହିବ । ଏହାଛଡା ଯେତେ ନିର୍ଭୁଲ ଭାବେ ଜନଗଣନା କରାଯିବ ଦେଶର ଅର୍ଥନୀତିକୁ ମଜବୁତ କରିବା ପାଇଁ ସେତିକି ବାଟ ଫିଟିବ ବୋଲି କହିଛନ୍ତି ଅମିତ ଶାହା ।

ଏହାପୂର୍ବରୁ ୨୦୧୧ରେ ହୋଇଥିବା ଜନଗଣନାକୁ ଆଧାର କରି ମୋଦି ସରକାର ବିଭିନ୍ନ ଲୋକଙ୍କ ପାଖରେ ଉଜ୍ଜ୍ୱଳା ଯୋଜନା ପହଞ୍ଚାଇବାରେ ସକ୍ଷମ ହୋଇଥିଲେ । ଏପରିକି ଜନଗଣନା ତଥ୍ୟକୁ ଆଧାର କରି ମୋଦି ସରକାର ୨୨ଟି ଯୋଜନା ପ୍ରଣୟନ କରିପାରିଛନ୍ତି । ଚଳିତଥର ୧୬ଟି ଭାଷାରେ ଜନଗଣନା କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ଅମିତ ଶାହା । ଏହାଛଡା ଚଳିତ ଜନଗଣନାରେ ମୋଦି ସରକାର ପୂର୍ବପେକ୍ଷା ସବୁଠୁ ଅଧିକ ଟଙ୍କା ଖର୍ଚ୍ଚ କରିବେ । ଜନଗଣନା ପାଇଁ ପ୍ରାୟ ୧୨ ହଜାର କୋଟି ଟଙ୍କା ସରକାର ଖର୍ଚ୍ଚ କରିବେ ବୋଲି କହିଛନ୍ତି ଶାହା ।