ପାହାଡ଼ ଉପରେ ହେଉଛି ଡିଜିଟାଲ ପ୍ରଚାର । ସୀମାନ୍ତ ଅଞ୍ଚଳରେ ସୋସିଆଲ ମିଡିଆରେ ପ୍ରଚାର କରୁଛନ୍ତି ପ୍ରାର୍ଥୀ ଓ ସମର୍ଥକ

94

କନକ ବ୍ୟୁରୋ: ପ୍ରାର୍ଥୀଙ୍କୁ ଚିହ୍ନ ମିଳିବା ପରେ ଗାଁ ଗହଳିରେ ଆରମ୍ଭ ହୋଇଛି ପ୍ରଚାର । କିନ୍ତୁ ଗାଁରେ ପ୍ରଚାର ଗାଡି ବୁଲିବ ନାହିଁ, ନିର୍ବାଚନୀ ସଭା କି ଶୋଭାଯାତ୍ରା ହୋଇପାରିବ ନାହିଁ । କରୋନା ଯୋଗୁଁ ଏସବୁ ଉପରେ କଟକଣା ଲଗାଇଛନ୍ତି ନିର୍ବାଚନ କମିଶନର । ପ୍ରାର୍ଥୀ ଘର ଘର ବୁଲି ଭୋଟରଙ୍କୁ ଭେଟିବା ସହ ଡିଜିଟାଲ ପ୍ରଚାର କରିବାକୁ ନିର୍ଦ୍ଦେଶ ରହିଛି । ହେଲେ ଅନେକ ଉପାନ୍ତ ଅଞ୍ଚଳ ରହିଛି, ଯେଉଁଠି ମୋବାଇଲ୍ ନେଟୱାର୍କ ନାହିଁ । ତେଣୁ ରାୟଗଡା ଜିଲ୍ଲାରେ ପାହାଡ ଉପରେ ଚାଲିଛି ଡିଜିଟାଲ ପ୍ରଚାର ।

ପାହାଡ ଉପରେ ମୋବାଇଲ ଧରି ପହଞ୍ଚି ଯାଇଛନ୍ତି ପ୍ରାର୍ଥୀ ଓ ତାଙ୍କ ସମର୍ଥକ । ଆନ୍ଧ୍ର ନେଟୱର୍କ ଭରସାରେ କରୁଛନ୍ତି ଡିଜିଟାଲ ପ୍ରଚାର । କିଏ ହ୍ୱାଟ୍ସଆପ, ଫେସବୁକ ଓ ଇନଷ୍ଟାଗ୍ରାମ୍ ଭଳି ସୋସିଆଲ ମିଡିଆରେ ପ୍ରାର୍ଥୀଙ୍କ ଫୋଟ ଅପଲୋଡ କରି ଭୋଟ ଦେବାକୁ ଅନୁରୋଧ କରୁଛି ତ ଆଉ କିଏ ଫୋନ କରି ବନ୍ଧୁ ଓ ସମ୍ପର୍କୀୟଙ୍କୁ ଅନୁରୋଧ କରୁଛି । ପାହାଡ ଉପରେ ଏଭଳି ଡିଜିଟାଲ ପ୍ରଚାରର ଖବର ଆସିଛି ଆନ୍ଧ୍ର-ଓଡିଶା ସୀମାନ୍ତରେ ଥିବା ରାୟଗଡା ଖ ଜୋନର ସାନ୍ଦୁବାଡି ଗାଁରୁ ।

ଓଡିଶା ଗାଁରେ ମୋବାଇଲ ନେଟୱର୍କ ଆସୁନାହିଁ । ଆନ୍ଧ୍ର- ଓଡିଶା ସୀମାନ୍ତରେ ଥିବା ରାୟଗଡା ଖ ଜୋନର ୧୩ଟି ପଞ୍ଚାୟତରୁ ୧୦ଟି ପଞ୍ଚାୟତ ଯଥା ଦୂର୍ଗାପାଡୁ, ମିରାବାଲି, ପିପିଲିଗୁଡା, ଡାଙ୍ଗଲୋଡି, କାରୁବାଇ, ବାଇସିଙ୍ଗ, ଆଲୁବାଡି, କୁର୍ଲ୍ଲୀ ଓ ବୈରାଗି ହାଲୁଆ ପଞ୍ଚାୟତରେ ନେଟୱାର୍କ ଆସୁନାହିଁ । ତେଣୁ ପାହାଡ ଚଢି ଆନ୍ଧ୍ର ବିଜୟନଗରମ ଜିଲ୍ଲା କନ୍ଦୁକୁପା ଗାଁରେ ଥିବା ଜିଓ ଟାୱାର ସହାଯ୍ୟରେ ପ୍ରଚାର କରୁଛନ୍ତି ପ୍ରାର୍ଥୀ ଓ ପ୍ରାର୍ଥୀଙ୍କ ସମର୍ଥକ । ତେବେ ନେଟୱର୍କ ନଥିବାରୁ ସବୁବେଳେ ଅସୁବିଧାର ସମୁଖୀନ ହେଉଛନ୍ତି ଉପାନ୍ତ ଅଞ୍ଚଳର ଲୋକେ ।