କନକ ବ୍ୟୁରୋ: ଦିଗପହଣ୍ଡି ରାଜନୀତିରେ ଘଡିକୋ ଘୋଡା ଛୁଟୁଛି । ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ପରେ ସ୍ଥାନୀୟ ରାଜନୀତି ଗୋଳମାଳିଆ ହୋଇଯାଇଛି । ବିଜେଡି ଦୁଇଭାଗ ହୋଇଯାଇଥିବା ବେଳେ ଏଥିରୁ ଫାଇଦା ଚକ୍କରରେ ଅଛନ୍ତି ବିରୋଧୀ ।

Kanak News is now on WhatsApp
Join and get latest news updates delivered to you via WhatsApp
ଦିଗପହଣ୍ଡିରେ ୨୦୦୯ରୁ ଲଗାତାର ବିଜେଡି ଟିକେଟରେ ନିର୍ବାଚିତ ହୋଇଆସୁଥିଲେ ସୂର୍ଯ୍ୟନାରାୟଣ ପାତ୍ର । କିନ୍ତୁ ତାଙ୍କ ପରଲୋକ ପରେ ସ୍ଥାନୀୟ ବିଜେଡି ରାଜନୀତିରେ ଏକ ବିଚିତ୍ର ସ୍ଥିତି ଦେଖିବାକୁ ମିଳିଛି । ଦଳ ଦୁଇଫାଳ ହୋଇଛି । ଗୋଟିଏ ଗୋଷ୍ଠୀର ନେତୃତ୍ୱ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର ନେଉଥିବାବେଳେ ଆଉ ଏକ ଗୋଷ୍ଠୀର ନେତୃତ୍ୱ ନେଉଛନ୍ତି ନିଲମ୍ବିତ ନେତା ବିପିନ ପ୍ରଧାନ । ବିପିନ ଦିନେ ସୂର୍ଯ୍ୟନାରାୟଣ ପାତ୍ରଙ୍କ ନିକଟତର ଥିଲେ ଓ ପାଂଚ ପାଂଚ ଥର ବ୍ଲକ ଅଧ୍ୟକ୍ଷ ଥିଲେ । ବିଶୃଙ୍ଖଳା ପାଇଁ ତାଙ୍କୁ କିଛିଦିନ ତଳେ ବିଜେଡିରୁ ନିଲମ୍ବିତ କରାଯାଇଥିଲା । ଲୋକଙ୍କ ସହିତ ତାଙ୍କ ସମ୍ପର୍କ ଭଲ ବୋଲି ଚର୍ଚ୍ଚା ହୁଏ । ସେପଟେ ବିପ୍ଲବ ପାତ୍ର ଦିଗପହଣ୍ଡି ବିଜେଡିର ଗଡ ସମ୍ଭାଳିଛନ୍ତି । କିନ୍ତୁ ଅଧିକାଂଶ ସମୟରେ ତାଙ୍କୁ ଦେଖିବାକୁ ମିଳେ ନାହିଁ ବୋଲି ଅଭିଯୋଗ ଆସିଥାଏ । ଏହାରି ଭତିରେ ବିପିନ ପୁଣି ଦଳକୁ ଫେରିବାକୁ ଆଶା ରଖିଛନ୍ତି ।
ଦିଗପହଣ୍ଡି ବିଜେଡିରେ ଆଭ୍ୟନ୍ତରୀଣ କଳହ ବିରୋଧୀଙ୍କୁ ବେଶ ସୁହାଇଛି । ପୌର ନିର୍ବାଚନରେ ଦିଗପହଣ୍ଡି ଏନଏସି କଂଗ୍ରେସ ହାତକୁ ଯାଇଥିଲା । ଏବେ ବ୍ଲକ ଅଧ୍ୟକ୍ଷ ପଦ ନିଲମ୍ବିତ ନେତା ବିପିନ ପ୍ରଧାନ ଗୋଷ୍ଠୀଙ୍କ ହାତକୁ ଚାଲିଯାଇଛି । ଆଉ ଏହା ବିପ୍ଲବ ପାତ୍ରଙ୍କ ନେତୃତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଜେପି କହୁଛି, ୨୦୨୪ରେ ଦିଗପହଣ୍ଡିରେ ବଡ ପରିବର୍ତନ ହେବ । ଆଉ ବିଜେଡି କହିଛି, ଏଠାରେ ବିଜେଡିର ସ୍ଥିତି ଭଲ ଅଛି ।
ବିଜେଡିରେ ବିପ୍ଲବ-ବିପିନଙ୍କ କନ୍ଦଳ ଯୋଗୁଁ କର୍ମୀ ଦ୍ୱନ୍ଦ୍ୱରେ ପଡଛନ୍ତି । ବର୍ତମାନ ଦିଗପହଣ୍ଡି ରାଜନୀତି କୁଆଡେ ଯାଉଛି ସେ ଉପରେ ସମସ୍ତଙ୍କ ନଜର ରହିଛି ।