ଦିଗପହଣ୍ଡିରେ ରାଜନୈତିକ ଛକାପଞ୍ଝା : ଉପନିର୍ବାଚନ ତାରିଖ ଘୋଷଣା ପରେ ସମିତି ସଭ୍ୟଙ୍କୁ ପାଳି କରି ଜଗୁଛନ୍ତି ଗ୍ରାମବାସୀ

801

କନକ ବ୍ୟୁରୋ : ଉପନିର୍ବାଚନ ତାରିଖ ଘୋଷଣା ପରେ ସମିତି ସଭ୍ୟଙ୍କୁ ପହରା ଦେଉଛନ୍ତି ୫ଶହରୁ ଅଧିକ ଗ୍ରାମବାସୀ । ଗଞ୍ଜାମ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ ପାଇଁ ମଙ୍ଗଳବାର ତାରିଖ ଘୋଷଣା ହୋଇଛି । ଅକ୍ଟୋବର ୪ରେ ଏଠାରେ ନିର୍ବାଚନ ହେବ । ଏହା ପରେ ସମିତି ସଭ୍ୟଙ୍କ ସୁରକ୍ଷା ନେଇ ବୋମକେଇ ଗାଁଲୋକେ ସାରା ରାତି ପହରା ଦେଉଛନ୍ତି । ପାଳି କରି ଗାଁର ମହିଳା ପୁରୁଷ ଜନପ୍ରତିନିଧିଙ୍କୁ ସୁରକ୍ଷା ଯୋଗାଇ ଦେଉଛନ୍ତି । ବିରୋଧୀ ପକ୍ଷ କୌଣସି ଅଘଟଣ ଘଟାଇବା ଆଶଙ୍କା କରି ଏପରି ସୁରକ୍ଷା ଯୋଗାଇଛନ୍ତି ଗ୍ରାମବାସୀ ।

କାରଣ ଗତ ୩୧ତାରିଖରେ ହାଇଡ୍ରାମା ପରେ ଶେଷ ପର୍ଯ୍ୟାୟରେ ନିର୍ବାଚନକୁ ବନ୍ଦ କରାଯାଇଥିଲା । ଏବେ ସେମାନଙ୍କ ପକ୍ଷର ସମିତି ସଭ୍ୟଙ୍କୁ ଅପହରଣ କରିବା ଆଶଙ୍କା କରି ରାତ୍ରୀ ସମୟରେ ସୁରକ୍ଷାକୁ କଡ଼ାକଡ଼ି କରିଛନ୍ତି ଗାଁଲୋକେ । ଏହାରି ଭିତରେ ୧୪ଜଣ ସମିତି ସଭ୍ୟ ନିଜ ଇଚ୍ଛାରେ ସୁରକ୍ଷିତ ଭାବେ ବୋମକେଇ ଗାଁରେ ରହୁଥିବା କହିଛନ୍ତି । ବ୍ଲକ ଅଧ୍ୟକ୍ଷାଙ୍କ ମୃତ୍ୟୁ ପରେ ଅଗଷ୍ଟ ୩୧ରେ ହେବାକୁ ଥିବା ଉପନିର୍ବାଚନ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଶେଷ ମୁହୁର୍ତରେ ବାତିଲ ହୋଇଥିଲା ।

ଏହାପରେ ବିଜେଡି ନେତା ବିପିନ ପ୍ରଧାନଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା । ଏନେଇ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଜାରି ପରେ ରାଜ୍ୟ ନିର୍ବାଚନ ଆୟୋଗ ଅକ୍ଟୋବର ୪ତାରିଖରେ ଉପନିର୍ବାଚନ ପାଇଁ ନୋଟିସ୍ ଜାରି କରିଛନ୍ତି । ବିପିନଙ୍କ ସମର୍ଥନରେ ରହିଥିବା ୧୪ସମିତି ସଭ୍ୟ ଏବେ ବୋମକେଇ ଗାଁରେ ସୁରକ୍ଷା ଭିତରେ ଅଛନ୍ତି । ଅପରପକ୍ଷରେ ବିପ୍ଲବ ପାତ୍ର ଗୋଷ୍ଠୀ ବ୍ଲକ ଅଧ୍ୟକ୍ଷା ପଦ ହାତେଇବା ପାଇଁ ନୀରବ ରହି ଭିତିରିଆ ରଣନୀତି ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଛି ।

ଉପନିର୍ବାଚନ ଯେତିକି ପାଖେଇ ଆସୁଛି ସସପେନ୍ସ ସେତିକି ବଢ଼ୁଛି । ଏହାରି ଭିତରେ ବିପ୍ଲବ ପାତ୍ରଙ୍କ ବାପା ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ପାତ୍ରଙ୍କ ପରଲୋକ ହୋଇସାରିଛି । ଦିଗପହଣ୍ଡି ଏବେ ବିଧାୟକଶୂନ୍ୟ ରହିଥିବା ବେଳେ ବ୍ଲକ ଅଧ୍ୟକ୍ଷ ପଦ କିଏ ହାତେଉଛନ୍ତି ତାକୁ ନେଇ ରାଜନୈତିକ ଛକାପଞ୍ଝା ଜାରି ରହିଛି ।