କନକ ବ୍ୟୁରୋ : କିଛି ସମୟ ପରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ । ଏଥିପାଇଁ ସରଗରମ ଦିଗପହଣ୍ଡିର ରାଜନୈତିକ ବାତାବରଣ । ବିପିନ ପ୍ରଧାନ ସମର୍ଥକ ବ୍ଲକରେ ପହଂଚିଲେଣି । କିନ୍ତୁ ବିପ୍ଳବ ପାତ୍ର ଗୋଷ୍ଠୀ ପହଂଚିନାହାନ୍ତି । ବ୍ଲକ ଅଧ୍ୟକ୍ଷ ପଦବୀ ହାତେଇବା ପାଇଁ ସ୍ୱର୍ଗତ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ତଥା ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଳବ ପାତ୍ର ଓ ପୂର୍ବତନ ବ୍ଳକ ଅଧ୍ୟକ୍ଷ ବିପିନ ପ୍ରଧାନ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଜାରି ରହିଛି ।
ଦିନ ୧୨ଟାରୁ ଭୋଟ୍ ଦାନ ଆରମ୍ଭ ହେବ । ପ୍ରଥମ ଥର ନିର୍ବାଚନ ବେଳେ ପ୍ରବଳ ହିଂସା ଦେଖିବାକୁ ମିଳିଥିଲା । ଏହାପରେ ନିର୍ବାଚନକୁ ବାତିଲ କରାଯାଇଥିଲା । ଆଜି ଦ୍ୱିତୀୟ ଥର ନିର୍ବାଚନ ହେଉଥିବାରୁ କିଏ ବାଜି ମାରିବ, ତାହା ଉପରେ ନଜର ରହିଛି । ନିର୍ବାଚନ ପାଇଁ ଉଭୟ ନେତାଙ୍କ ଶିବିର ଚଳଚଂଚଳ ହୋଇପଡ଼ିଛି । ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପୋଲିସ ଓ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।
୫ ପ୍ଲାଟୁନ୍ ପୋଲିସ ଫୋର୍ସ ସୁରକ୍ଷା ଦେବେ ବୋଲି ବ୍ରହ୍ମପୁର ଏସ୍ପି ସୂଚନା ଦେଇଛନ୍ତି । ବିପିନଙ୍କ ସମର୍ଥିତ ୧୪ ଜଣ ସମିତି ସଭ୍ୟ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ସେମାନଙ୍କୁ କାଳେ କିଏ ଅପହରଣ ବା ହତ୍ୟା କରିଦେବ, ସେନେଇ ଆତଙ୍କରେ ଅଛନ୍ତି । ସେଥିପାଇଁ ୨୪ ଘଂଟା ଦିଗପହଣ୍ଡି ବ୍ଲକର ପ୍ରତି ପଂଚାୟତର ଲୋକେ ପାଳି କରି ନିଜ ନେତାଙ୍କୁ ଜଗୁଛନ୍ତି । ବର୍ତମାନ ବୀପିନଙ୍କ ପାଖରେ ୧୪ ସମିତି ସଭ୍ୟ ଏବଂ ବିପ୍ଳବଙ୍କ ପାଖରେ ୧୦ ସମିତି ସଭ୍ୟଙ୍କ ସମର୍ଥନ ରହିଛନ୍ତି ।