କନକ ବ୍ୟୁରୋ: ଦିଗପହଣ୍ଡିରେ କାହାର ରହିବ ଦବଦବା । ଏଭଳି କିଛି ପ୍ରଶ୍ନ ଏବେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ ଉଙ୍କି ମାରୁଛି । ବିଭନ୍ନ ଦଳର ଭିନ୍ନ ଭିନ୍ନ ରଣନୀତି ଦିଗପହଣ୍ଡି ନିର୍ବାଚନମଣ୍ଡଳୀ ରାଜନୀତିକୁ ଉଷ୍ମ କରିଛି । କାରଣ ସୀମା ନିର୍ଧାରଣ ପରେ ୨୦୦୯ରୁ ପୁନର୍ଗଠିତ ଦିଗପହଣ୍ତି ବିଧାନସଭା କ୍ଷେତ୍ର ବିଜେଡି ଦଖଲରେ ରହି ଆସିଛି । ଏଠାରୁ ବରିଷ୍ଠ ବିଜେଡି ନେତା ତଥା ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ମଙ୍ଗ ସମ୍ଭାଳିଛନ୍ତି । ତେବେ ସୂର୍ଯ୍ୟ ଏହି ନିର୍ବାଚନମଣ୍ଡଳୀରୁ ହ୍ୟାଟ୍ରିକ କରିବା ଲକ୍ଷ୍ୟରେ ଅଛନ୍ତି । କିନ୍ତୁ ଏବେ ସୁର୍ଯ୍ୟଙ୍କ ବିଜୟ ରଥରେ ବ୍ରେକ୍ ଲଗାଇବା ପାଇଁ ଗୋଟି ଚାଳନା କରୁଛନ୍ତି ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି ।
Kanak News is now on WhatsApp
Join and get latest news updates delivered to you via WhatsApp
ପୂର୍ବ ନିର୍ବାଚନକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ, ମୋହନା ନିର୍ବାଚନମଣ୍ତଳୀରୁ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ୧୯୯୦ ରୁ ୨୦୦୯ ପର୍ଯ୍ୟନ୍ତ ପ୍ରତିନିଧିତ୍ବ କରି ୪ ଥର ବିଧାୟକ ହୋଇଥିଲେ । ସୀମା ନିର୍ଧାରଣରେ ମୋହନା ବିଧାନସଭା ଆସନ ଅନୁସୂଚିତ ଜନଜାତି ବର୍ଗ ପାଇଁ ସ˚ରକ୍ଷିତ ହେବା ପରେ ସୂର୍ୟ୍ୟ ୨୦୦୯ରେ ଦିଗପହଣ୍ତି ନିର୍ବାଚନମଣ୍ତଳୀରୁ ଲଢିଥିଲେ । ଏବଂ ୬୫ ହଜାର ୨୧୯ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିଲେ ସୂର୍ଯ୍ୟ । ତେବେ ସେଥର କ˚ଗ୍ରେସରୁ ଭି. ରବିନାରାୟଣ ରାଜୁ, ବିଜେପିରୁ ଶ୍ରୀଧର ଦେବ ପ୍ରାର୍ଥୀ ହୋଇଥିଲେ ମଧ୍ୟ ସୂର୍ଯ୍ୟଙ୍କ ସାମ୍ନାରେ ତିଷ୍ଠି ପାରିନଥିଲେ ।
ସେହିଭଳି ୨୦୧୪ ନିର୍ବାଚନରେ ଏହି ନିର୍ବାଚନମଣ୍ତଳୀରୁ ସୂର୍ଯ୍ୟ ପୁର୍ନବାର ବିଜୟୀ ହୋଇଥିଲେ । କିନ୍ତୁ ଏଥର ସୂର୍ଯ୍ୟଙ୍କ ଦବଦବା ବଜାୟ ରହିବ କି ନାହିଁ ତାକୁ ନେଇ ସସପେନ୍ସ ରହିଛି । କାରଣ ଏହି ନିର୍ବାଚନ ମଣ୍ତଳୀରେ ପାନୀୟ ଜଳ ସମସ୍ୟା ଶତ ପ୍ରତିଶତ ଦୂର ହୋଇପରି ନାହିଁ । ଆଦିବାସୀ ଅଞ୍ଚଳରେ ଅନେକ ବିକାଶମୂଳକ କାର୍ଯ୍ୟ ଏବେ ବି ସରକାରଙ୍କୁ ଅପେକ୍ଷା କରିଛି । ଆଉ ଚଳିତ ବର୍ଷ ଖୋଦ୍ ମନ୍ତ୍ରୀଙ୍କ ଅଞ୍ଚଳରେ ଧାନ କିଣାରେ ଅବ୍ୟବସ୍ଥା ତାଙ୍କୁ ବିବାଦକୁ ଆଣିଛି । କେବଳ ଏତିକିରେ ସରୁନି ସୂର୍ଯ୍ୟଙ୍କ ସମସ୍ୟା, ଚିଟଫଣ୍ଡରେ ମନ୍ତ୍ରୀଙ୍କ ପୁଅ ନାମ ଉଠିବା ପରେ ବିରୋଧୀଙ୍କୁ ଆଗାମୀ ନିର୍ବାଚନ ବୈତରଣୀ ପାର ହେବା ପାଇଁ ଖୋରାକ ଯୋଗାଇଛି ।
ସେପଟେ ଶାସକ ଦଳର ନେତା ସୂର୍ଯ୍ୟଙ୍କୁ କଡ଼ା ଟକ୍କର ଦେବାପାଇଁ ଏଭଳି ମୁଦ୍ଦା ସବୁଥିଲେ ମଧ୍ୟ ଦିଗପହଣ୍ତିରେ ଉଭୟ ବିରୋଧୀ ଶିବିରରେ ବେଶ୍ ପ୍ରଭାବୀ ପ୍ରାର୍ଥୀ ନାହାନ୍ତି ବୋଲି ଚର୍ଚ୍ଚା ହେଉଛି । ଦିଗପହଣ୍ତି ନିର୍ବାଚନ ମଣ୍ତଳୀରେ ସମୁଦାୟ ୫ଟି ଜିଲ୍ଲା ପରିଷଦ ଜୋନ ରହିଛି । ଗତ ପଞ୍ଚାୟତ ନିର୍ବାଚନରେ ୪ଟି ବିଜେଡି ଓ ଗୋଟିଏ କ˚ଗ୍ରେସ ଦଖଲ କରିଛି। ଏଥର ମଧ୍ୟ ଦିଗପହଣ୍ତି ବିଧାନସଭା କ୍ଷେତ୍ରରୁ ବିଜେଡି ଟିକେଟ୍ ପାଇଁ ସୁର୍ଯ୍ୟ ପାତ୍ର ଏକମାତ୍ର ଦାବିଦାର ରହିଛନ୍ତି ।
ଅନ୍ୟପକ୍ଷରେ ସୂର୍ଯ୍ୟଙ୍କୁ କଡ଼ା ଟକ୍କର ଦେବା ପାଇଁ ଗୋଟି ଚାଳନା କରୁଛି କଂଗ୍ରେସ । ଯେଉଁଥି ପାଇଁ ଏବେ ଦଳରୁ ସାକା ସୁଜିତ କୁମାର, ପ୍ରଫୁଲ ପଣ୍ତା ଓ ଶ୍ରୀଧର ଦେବ ପ୍ରମୂଖ ଆଶାୟୀ ଥିବା ଚର୍ଚ୍ଚା ହେଉଛି । କିନ୍ତୁ ସୂର୍ଯ୍ୟଙ୍କ ପାଇଁ କଂଗ୍ରେସର ଆଶାୟୀ ପ୍ରାର୍ଥୀମାନେ ଖାସ୍ କିଛି ସମସ୍ୟା ସୃଷ୍ଟି କରିପାରିବେ ନାହିଁ ବୋଲି ରାଜନୀତି ମହଲରେ ଶୁଣିବାକୁ ମିଳୁଛି । ସେହିପରି ଏମାନଙ୍କ ମଧ୍ୟରୁ ଉପଯୁକ୍ତ ପ୍ରାର୍ଥୀ ମଧ୍ୟରେ ସମନ୍ୱୟ ରକ୍ଷା କରି ଲଢ଼ିବା ପାଇଁ କସରତ କରୁଛି କଂଗ୍ରେସ ।
ସେପଟେ ଏହି ନିର୍ବାଚନମଣ୍ଡଳୀରେ ଗତ ଦୁଇଟି ନିର୍ବାଚନରେ ଉଭୟ ବିଜେଡି ଓ କଂଗ୍ରେସ ଠାରୁ ପଛରେ ପଡ଼ିଥିବା ବିଜେପି ବଳକଷୁଥିବା ଦେଖିବାକୁ ମିଳିଛି । ଯେଉଁଥି ପାଇଁ ବିଜେପିରୁ ଏଥର ଉତ୍ତମ ପାଣିଗ୍ରାହୀ, ମହନ୍ତ ଚିନ୍ମୟ ମହାରାଜ, ଶ୍ରୀକାନ୍ତ ପାଢୀ ଓ ସିଦ୍ଧାନ୍ତ ଗଙ୍ଗଦେବ ଭଳି ପ୍ରମୁଖ ଆଶାୟୀ ଟିକେଟ୍ ଲବିରେ ଅଛନ୍ତି । କିନ୍ତୁ ବିଜେପିରେ ମଧ୍ୟ କଂଗ୍ରେସ ପରି ସମାନ ଅବସ୍ଥା । କାରଣ ସୁର୍ଯ୍ୟଙ୍କୁ ଟକ୍କର ଦେଲାଭଳି ନେତା ବିଜେପିରେ ନଥିବା ସ୍ଥାନୀୟ ମହଲରେ ଚର୍ଚ୍ଚା ହେଉଛି ।