କନକ ବ୍ୟୁରୋ : ଓଡିଶା ପୋଲିସ ଇତିହାସରେ ବୋଧହୁଏ ପ୍ରଥମ ଥର ପାଇଁ ଏଭଳି ଘଟଣା ଘଟିଛି । କ୍ଷମତାର ଅପବ୍ୟବହାର କରି ପଦ ମର୍ଯ୍ୟାଦାର ସମ୍ମାନହାନୀ କରିଥିବା ଅଭିଯୋଗରେ, ବରିଷ୍ଠ ଆଇପିଏସ୍ ତଥା ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ପଣ୍ଡିତ ରାଜେଶ ଉତ୍ତମରାଓଙ୍କୁ ନିଲମ୍ବିତ କରାଯାଇଛି । ଓଡିଶା ଗୃହ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏହି ନିର୍ଦ୍ଦେଶନାମା ଉପରେ ନଜର ପକାନ୍ତୁ ।

Advertisment

ଭୁବନେଶ୍ବର କେଶରୀ ନଗରରେ ରହୁଥିବା ଜଣେ ମହିଳା ପୁଲିସ ଅଫିସରଙ୍କ ଘରୁ କ୍ୟାପିଟାଲ ଥାନାକୁ ଆସିଥିଲା ଫୋନକଲ । ଖବର ପାଇ ପୁଲିସ ପହଁଚିଲା ବେଳକୁ ମହିଳା ଅଫିସରଙ୍କ ସ୍ବାମୀ ଜଣେ ଆଇପିଏସ ଅଫିସରଙ୍କ ନାଁରେ ସମ୍ବେଦନଶୀଳ ଅଭିଯୋଗ ଆଣିଥିଲେ। କୁଆଡେ, ଡିଆଇଜି ରାଜେଶ ପଣ୍ଡିତ ଘରେ ପଶି ତାଙ୍କ ପତ୍ନୀଙ୍କୁ ଜୋର ଜବରଦସ୍ତ ବିବାହ କରିବା ପାଇଁ ଅଡି ବସିଥିଲେ । ମନା କରିବା ପରେ ଘରେ ଭଂଗାରୁଜା କରିବା ସହ ଶାରିରୀକ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ପୋଲିସ ପହଁଚି ବୁଝାସୁଝା କରିବା ପରେ ଆଇପିଏସ ଅଫିସର ନିଜ ଘରକୁ ଫେରି ଯାଇଥିଲେ। ଏନେଇ ମହିଳାଙ୍କ ପୁଲିସ ଅଫିସରଙ୍କ ପକ୍ଷରୁ କିମ୍ବା ତାଙ୍କ ସ୍ବାମୀଙ୍କ ପକ୍ଷରୁ ଥାନାରେ କୌଣସି ଅଭିଯୋଗ କରାଯାଇନଥିଲା । ହେଲେ, ଜାତୀୟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇଥିଲେ ସୂଚନା ଅଧିକାର କର୍ମୀ ଜୟନ୍ତ ଦାସ ।

ରାଜେଶ ପଣ୍ଡିତଙ୍କୁ ନେଇ ଚର୍ଚ୍ଚା ଜୋରଧରିଥିବାବେଳେ ଦିଲ୍ଲୀରୁ ଫେରି ମାମଲାକୁ ଗୁରୁତର ସହ ନେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଇପିଏସ ଅଫିସରଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଗୃହ ବିଭାଗ ପକ୍ଷରୁ ରାଜେଶ ପଣ୍ଡିତଙ୍କୁ ନିଲମ୍ବନ କରାଯାଇଛି ।

ମାମଲାର ବିଚାର ଚାଲିବା ପର୍ଯ୍ୟାନ୍ତ ପୁଲିସ ମୁଖ୍ୟାଳୟରେ ରହିବେ ରାଜେଶ ପଣ୍ଡିତ । ପୁଲିସ ଡିଜିଙ୍କ ବିନା ଅନୁମତିରେ ମୁଖ୍ୟାଳୟ ଛାଡି ବାହାରକୁ ଯାଇପାରିବେ ନାହିଁ । ସେ ପର୍ଯ୍ୟନ୍ତ ସରକାରଙ୍କ ସମସ୍ତ ସୁବିଧା ସୁଯୋଗରୁ ବଂଚିତ ରହିବେ ।