ଉପାନ୍ତ ମାଲକାନଗିରି ଜିଲ୍ଲାର ବଣ୍ଡାଘାଟିରୁ ଆସିଲା ଅନଲାଇନ୍ ପାଠପଢ଼ାର ବିକଳ ଚିତ୍ର । ଗାଁରେ ଆସୁନିନେଟୱାର୍କ, ପାଠ ପାଇଁ ଚଢ଼ିବାକୁ ୪ କିଲୋମିଟର ପାହାଡ଼ : ପାହାଡ଼ ଉପରେ କୁଡ଼ିଆ ବାନ୍ଧି ପାଠ ପଢୁଛନ୍ତି ଡୁମୁରିପଡା ଗାଁର ୫ ଜଣ ଛାତ୍ରୀ

132

କନକ ବ୍ୟୁରୋ : ନୂଆ ଭାରତରେ ଡିଜିଟାଲ ଇଣ୍ଡିଆର ପରିକଳ୍ପନା କରାଯାଉଛି । ୩୪ ବର୍ଷ ପରେ ଦେଶରେ ଶିକ୍ଷାନୀତି ବି ବଦଳିଛି । ଆଉ ମହାମାରି ସମୟରେ ପିଲା, ଘରେ ବସି କେମିତି ପାଠପଢି ପାରିବେ, ଏଥିପାଇଁ ଅନଲାଇନ କ୍ଲାସ୍ର ବ୍ୟବସ୍ଥା ହୋଇଛି । ହେଲେ ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରୁ ଅନଲାଇନ ପାଠପଢାର ଯେଉଁ ବିକଳ ଚିତ୍ର ସାମ୍ନାକୁ ଆସିଛି, ତାହା ଡିଜିଟାଲ ଇଣ୍ଡିଆ ତଥା ଅନଲାଇନ ପାଠପଢା ବ୍ୟବସ୍ଥାକୁ ଉପହାସ କରୁଛି । ୪ କିଲୋମିଟର ପାହାଡ ଚଢିଲେ ମିଳୁଛି ନେଟଓର୍କ । ଆଉ ପାହାଡ ଉପରେ କୁଡିଆ ବାନ୍ଧି ପାଠ ପଢୁଛନ୍ତି ଆଦିମ ବଣ୍ଡା ସମ୍ପ୍ରଦାୟର ଛାତ୍ରୀ ମାନେ । ଦେଖନ୍ତୁ ଏହି ରିପୋର୍ଟ ।

ଏ ଚିତ୍ର ଆସିଛି ମାଲକାନଗିରି ଜିଲ୍ଲା ବଣ୍ଡାଘାଟିରୁ । ଖଇରପୁଟ ବ୍ଲକ ଡୁମୁରିପଡା ଗାଁର ୫ ଜଣ ଛାତ୍ରୀ ଗୋବିନ୍ଦପାଲି ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ ଦୁଇ ବିଜ୍ଞାନ ପାଠ ପଢନ୍ତି । ଅନଲାଇନ କ୍ଲାସ୍ ପାଇଁ ନା ସ୍ମାର୍ଟ ଫୋନ ଅଛି, ନାଁ ଗାଁରେ ନେଟୱାର୍କ ଆସୁଛି । ତଥାପି ଏହି ଛାତ୍ରୀମାନେ ପାଠ ପଢିବାର ଆଶା ରଖିଛନ୍ତି । ସବୁ ବାଧାବିଘ୍ନକୁ ଏଡାଇ ନିଜ ପାଇଁ ଅନଲାଇନ ପାଠ ପଢାର ବାଟ ଖୋଜି ବାହାର କରିଛନ୍ତି । ବଣ୍ଡାଘାଟିର ଲଣ୍ଡା ପାହାଡ ଉପରେ ପ୍ରଥମେ ନେଟଓର୍କ ସନ୍ଧାନ କରିଥିଲେ ଏହି ଛାତ୍ରୀମାନେ । ଆଉ ନେଟଓର୍କ ପାଇବା ପରେ ସେଠି ଏକ କୁଡିଆ ବାନ୍ଧି ଥିଲେ । ଆଉ ଏବେ ଝଡ ବର୍ଷାକୁ ଖାତିର ନକରି ନିତି ଦିନ ନିଜ ଭାଇ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କ ମୋବାଇଲ ଫୋନ ଯୋଗାଡ କରି ପାଠ ପଢୁଛନ୍ତି ଡୁମୁରିପଡା ଗାଁର ଆଦୀବାରି ଶିଶା, ମଙ୍ଗୁଳି ମୁଦୁଲି, ଆଦିବାରି ବଡନାୟକଙ୍କ ସମେତ ୫ ସହପାଠୀ ।

ସମୁଦ୍ର ପତନଠାରୁ ପ୍ରାୟ ୫୦୦୦ ଫୁଟ ଉଚ୍ଚରେ ୩୨ଟି ଗାଁରେ ବସବାସ କରିନ୍ତି ଆଦିମ ବଣ୍ଡା ଜନଜାତୀର ପ୍ରାୟ ୭୦୦୦ ଲୋକେ । ୧୯୬୧ ମସିହାରେ ଏମାନଙ୍କ ସାକ୍ଷରତା ହାର ୨.୧୪ ରେକର୍ଡ କରାଯାଇ ଥିବାବେଳେ ୨୦୧୫ରେ ଏହା ୨୪.୭୩କୁ ବୃଦ୍ଧି ପାଇଛି । ହେଲେ ବଣ୍ଡାଘାଟିରେ ଏ ଯାଏଁ ଇନ୍ଟରନେଟ୍ କିମ୍ବା ମୋବାଇଲ ସେବା ପହଁଚି ପାରୁ ନ ଥିବାରୁ ଏହିଭଳି ଦୟନୀୟ ଅବସ୍ଥାରେ ପାଠ ପଢୁଛନ୍ତି ଉପାନ୍ତ ଅଂଚଳର ଛାତ୍ରୀ ।

ମାଓ ପ୍ରଭାବିତ ମାଲକାନଗିରି ଜିଲ୍ଲାର ମୋଟ ୯୯୪ଟି ରେଭିନ୍ୟୁ ଏବଂ ହାମଲେଟ ଗାଁ ମଧ୍ୟରୁ ପ୍ରାୟ ୪୦୦ରୁ ଅଧିକ ଗାଁରେ ଏବେ ବି ମୋବାଇଲ ସେବା ପହଁଚି ପାରିନାହିଁ । ଆଉ ଏଭଳି ସ୍ଥିତିରେ ଅନଲାଇନ ପାଠ ପଢା କେତେ ସଫଳ, ତାହା ବଣ୍ଡାଘାଟିର ଏହି ଚିତ୍ର ହିଁ ବୟାନ କରୁଛି ।