କ୍ରିକେଟ୍ ନିଶା ଆଗରେ ଫିକା ପଡିଛି ଶାରୀରିକ ଅକ୍ଷମତା । ଦିବ୍ୟାଙ୍ଗ ଖେଳୁଛନ୍ତି କ୍ରିକେଟ୍ , ଦୌଡି ଦୌଡି କରୁଛନ୍ତି ରନ୍ । ଦୃଢ ଇଚ୍ଛାଶକ୍ତିି ଏମିତି , ସଚ୍ଚିନ ବି କଲେ ସଲାମ୍ 

211

ଦୃଢ ମନୋବଳ ଥିଲେ ପଙ୍ଗୁ ମଧ୍ୟ ଗିରି ଲଙ୍ଘିଯିବ ଏଥିରେ କୌଣସି ସନ୍ଦେହ ନାହିଁ । ଆଉ ଏହି ଉକ୍ତିଟି ଯେତେବେଳେ ବାସ୍ତବରେ ସାମ୍ନାକୁ ଆସେ ତେବେ ଚର୍ଚ୍ଚା ହେବା ତ ସ୍ୱାଭାବିକ କଥା । ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଛତିଶଗଡର କୁନି ବାଳକ ମଡ୍ଡା ରାମ । ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ସେଥିରେ ସେ କ୍ରିକେଟ ଖେଳୁଥିବାର ଦେଖିବାକୁ ମିଳିଛି ।

ସୂଚନାନୁସାରେ, ଏହି ଦିବ୍ୟାଙ୍ଗ ବାଳକ ହେଉଛନ୍ତି ମଡ୍ଡା ରାମ । ଦାନ୍ତେୱାଡା ଜିଲ୍ଲା ବେଙ୍ଗଲୁର ପଞ୍ଚାୟତରେ ରହୁଥିବା ୭ମ ଶ୍ରେଣୀର ଛାତ୍ର ହେଉଛନ୍ତି ମଡ୍ଡା ରାମ । ପିତାଙ୍କ ନାମ ଡୋମାରାମ କବାସୀ । ସେ ପେଷାରେ ଜଣେ ଚାଷୀ । ପିଲାଟି ଦିନରୁ ମଡ୍ଡାରାମଙ୍କର ଦୁଇଟିଯାକ ଗୋଡ ଅଚଳ । କିନ୍ତୁ କଥାରେ ଅଛି ନା ବିଧାତା ଗୋଟିଏ କବାଟ ବନ୍ଦ କଲେ ମଧ୍ୟ ଶହ ଶହ ଝରକା ଖୋଲିଦିଏ । ଠିକ୍ ଏହି ଉକ୍ତି ଭଳି ଶାରୀରିକ ଅକ୍ଷମତା ଥିବା ପରେ ମଧ୍ୟ ମଡ୍ଡା ରାମଙ୍କ ନିଶା ହେଉଛି କ୍ରିକେଟ ଖେଳ । କ୍ରିକେଟ୍ ଖେଳରେ ମଡ୍ଡାରାମଙ୍କ ଅହେତୁକ ଦୁର୍ବଳତା । ମଡ୍ଡାଙ୍କର କିଛି କରି ଦେଖାଇବାର ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା ।

 

୨ ବର୍ଷ ହେଲାଣି ସେ କ୍ରିକେଟ୍ ଖେଳି ଆସୁଛନ୍ତି । ବିଚକ୍ଷଣ ଭାବରେ କ୍ରିକେଟ୍ ଖେଳୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ସବୁଠାରୁ ବଡକଥା ହେଉଛି, ମାଷ୍ଟର ବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକର ନିଜ ଟ୍ୱିଟର ଆକାଉଣ୍ଟରେ ମଡ୍ଡାଙ୍କର ଭିଡିଓ ସେୟାର କରି ତାଙ୍କ ଦୃଢ ଇଚ୍ଚାଶକ୍ତିକୁ ସଲାମ୍ କରିଛନ୍ତି । କ୍ରିକେଟ୍ ଭଗବାନ ସଚ୍ଚିିନଙ୍କ ଠାରୁ ପ୍ରଶଂସା ଶୁଣି ମଡ୍ଡାଙ୍କ ଆତ୍ମବିଶ୍ୱାସ ଆହୁରି ବଢିଯାଇଛି । ସେ ସଚ୍ଚିନଙ୍କୁ ଏନେଇ କୃତଜ୍ଞତା ଜଣାଇଛନ୍ତି ।