କନକ ବ୍ୟୁରୋ: ପଞ୍ଚାୟତ ପ୍ରଚାରର ନୂଆନୂଆ ଷ୍ଟାଇଲ୍ । ନିଇତି ଆସୁଛି ନିଆରା ଚିତ୍ର । ପାଖଉଛି ପରୀକ୍ଷା, ଜୋରଦାର ଚାଲିଛି ପ୍ରସ୍ତୁତି । ପଞ୍ଚାୟତ ନିର୍ବାଚନର ତାରିଖ ଯେତେ ଯେତେ ପାଖକୁ ପାଖକୁ ଆସୁଛି ନେତା ଓ ପ୍ରାର୍ଥୀଙ୍କ ନିଦ ହଜୁଛି । କିଏ କେମିତି ହାତେଇବ ଭୋଟ ? କାହା ଭାଗରେ ପଡିବ କେତେ ଭୋଟ? ଗାଁଗାଁରେ, ଛକ ଛକରେ ପଞ୍ଚାୟତ ପରୀକ୍ଷା ପାଇଁ ଅଙ୍କ କଷା ଚାଲିଥିବା ବେଳେ ନେତାଏ ବି ନିଜ ନିଜ ଆଡକୁ ଭୋଟରଙ୍କୁ ଆକୃଷ୍ଟ କରିବାକୁ ପୁଳାପୁଳା ପ୍ରତିଶ୍ରୁତି ଦେଉଛନ୍ତି । ଦିନ ଦ୍ୱିପ୍ରହରେ ସ୍ୱପ୍ନ ପରେ ସ୍ୱପ୍ନ ଦେଖାଇ ଚାଲିଛନ୍ତି । ଆଉ ୟାରି ଭିତରେ ସବୁଦିନ ସାମ୍ନାକୁ ଆସୁଥି ନିର୍ବାଚନୀ ପ୍ରଚାରର ନିଆରା ଚିତ୍ର ।

Advertisment

ପ୍ରଚାର ପାଇଁ କିଏ ଚାଲିଚାଲି ଯାଉଛି ତ କିଏ ମିଠା ଖୁଆଇ ମନେରଖିବାକୁ କହୁଛି । ପୁଣି କିଏ ସାଇକେଲରେ ବୁଲି ବୁଲି ନିଜ ପାଇଁ ଭୋଟ ଭିକ୍ଷା କରୁଛି । ନିଜ ଚିହ୍ନକୁ ନେଇ ମଧ୍ୟ ପ୍ରଚାର ଏବେ ଟ୍ରେଣ୍ଡ ପାଲଟିଯାଇଛି । ଯିଏ ଯେଉଁ ଚିହ୍ନରେ ଛିଡା ହୋଇଛି, ପଞ୍ଚାୟତ ନିର୍ବାଚନରେ ଲଢେଇ କରୁଛି ସିଏ ସେହି ଚିହ୍ନକୁ ଲୋକଙ୍କୁ ଦେଖାଇବାକୁ ସେହି ଚିହ୍ନର ସତ ସତିକା ସାମଗ୍ରୀ ଧରି ଭୋଟରଙ୍କ ପାଖକୁ ଯାଉଛନ୍ତି, ଗାଁ ଗାଁ ବୁଲୁଛନ୍ତି ।

ଏଇ ଯେମିତି ନବରଙ୍ଗପୁରରୁ ଆସିଥିବା ଏ ଚିତ୍ର । ଯେଉଁଠି ଜଣେ ସରପଞ୍ଚ ପ୍ରାର୍ଥୀ ଭୋଟରଙ୍କୁ ନିଜ ଚିହ୍ନରେ ଭୋଟ ଦେବାକୁ ଜିଅନ୍ତା ମାଛ ଧରି ଲୋକଙ୍କ ପାଖକୁ ଯାଇଛନ୍ତି । ଯେଉଁମାନଙ୍କୁ କେଟିଲି ଚିହ୍ନ ମିଳିଛି ସେମାନେ ଗାଁ ଗାଁ ବୁଲି ଲୋକଙ୍କୁ ଚା ବାଣ୍ଟୁଛନ୍ତି ଆଉ ପ୍ରଚାର କରୁଛନ୍ତି । ସେହିପରି ଯେଉଁ ପ୍ରାର୍ଥୀଙ୍କୁ ଛତା ଚିହ୍ନ ମିଳିଛି ସେମାନେ ଛତା ଚିହ୍ନରେ ଭୋଟ ଦେଇ ତାଙ୍କୁ ଜୟଯୁକ୍ତ କରିବାକୁ ଲୋକଙ୍କୁ ଅନୁରୋଧ କରୁଛନ୍ତି ।

ତେବେ ଏଇ ସବୁ ନିଆରା ପ୍ରଚାର ଭିତରେ ସବୁଠୁ ଚର୍ଚ୍ଚାରେ ରହିଛି ସାରଙ୍କ ପାଇଁ ପିଲାଙ୍କ ପ୍ରଚାର । କେନ୍ଦ୍ରାପଡାର ଟ୍ୟୁସନ ସାରଙ୍କ ପାଇଁ ଛାତ୍ରଛାତ୍ରୀଙ୍କ ଜୋରଦାର ପ୍ରଚାରର ଖବର ଭିତରେ ସେହି କେନ୍ଦ୍ରାପଡାର ରେବତୀ ମାଉସୀଙ୍କ ମିଠାଖୁଆ ପ୍ରଚାର ଭୋଟରଙ୍କ ମନ ଜିଣିଛି । ତାଙ୍କ ଚିହ୍ନ ମନେରଖି ତାଙ୍କୁ ଭୋଟ ଦେବାକୁ ସେ ମିଠା ବାଣ୍ଟି ପ୍ରଚାର କରୁଛନ୍ତି ।

ପ୍ରଚାର ପାଇଁ ଥିଲାବାଲା ପ୍ରାର୍ଥୀ ତ ଗାଡି ଧରି ଯାଉଛନ୍ତି ହେଲେ ଗରିବ ପ୍ରାର୍ଥୀ ସ୍ୱାଧିନ ପ୍ରାର୍ଥୀ ଯେଉଁମାନଙ୍କ ପାଖରେ ଅର୍ଥର ଅଭାବ ସେମାନେ ନିଜ ନିଜ ସାଇକେଲ କିମ୍ବା ଟ୍ରଲିରେ ପ୍ରଚାର କରୁଛନ୍ତି । ସାଇକେଲରେ ଗାଁ ଗାଁ ବୁଲି ବୁଲି ଭୋଟ ଭିକ୍ଷା କରୁଛନ୍ତି ସ୍ୱାମୀ- ସ୍ତ୍ରୀ  । କେନ୍ଦୁଝର ହାଟଡିହିର ଏ ଦୃଶ୍ୟ ସମସ୍ତଙ୍କ ନଜରକୁ ଟାଣିନେଇଥିବା ବେଳେ କଣାସର ଏ ପ୍ରାର୍ଥୀ ନିଜ ପାଇଁ ନିଜେ ଲୋକଙ୍କ କାନ୍ଥରେ ଚକରେ ଲେଖି ଭୋଟ ମାଗୁଛନ୍ତି । ଚାଉଳ ଦିଅ, ପଇସା ଦିଅ, ଭୋଟ ବି ଦିଅ କହି ଏକାଏକା ସାଇକେଲରେ ପ୍ରଚାର କରୁଛନ୍ତି । ନିର୍ବାଚନରେ କିଏ ଜିତିବ କିଏ ହାରିବ ? ଭୋଟରଙ୍କ ଭରସାର ଭୋଟ ପାଇ କିଏ ବିଜୟୀ ହେବ ତାହା ତ ସମୟ କହିବ ହେଲେ ନିର୍ବାଚନ ବେଳେ ନିଇତି ଆସୁଥିବା ନିଆରା ଚିତ୍ର ସବୁଦିନ ପାଇଁ ମନେରହିବ ।