ପିପିଲି ବାଜି ଜିତିବାକୁ ବିଜେଡିର ସ୍ୱତନ୍ତ୍ର ରଣନୀତି । ବ୍ଲକ ଓ ଏନଏସି ପାଇଁ ଭିନ୍ନ ଭିନ୍ନ ନେତାଙ୍କୁ ଦାୟିତ୍ୱ ଦେଲେ ନବୀନ ।

218

କନକ ବ୍ୟୁରୋ : ପିପିଲି ଉପ-ନିର୍ବାଚନ ପାଇଁ ନେତାଙ୍କୁ ଦାୟିତ୍ୱ । ପିପିଲି ଫାଇଟ ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କୁ ବିଭିନ୍ନ ଅଞ୍ଚଳର ଦାୟିତ୍ୱ ପ୍ରଦାନ କରିଛନ୍ତି । ବ୍ଲକ, ଏନଏସି ଓ ପଞ୍ଚାୟତ ପାଇଁ ଦଳୀୟ ନେତାଙ୍କ ହାତରେ ଗୁରୁଦାୟିତ୍ୱ ଦେଇଛନ୍ତି ନବୀନ ।

ପିପିଲି ବ୍ଲକ ପାଇଁ ସମୀର ରଞ୍ଜନ ଦାଶ, ଅତନୁ ସବ୍ୟସାଚୀ ନାୟକଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ, ଡେଲାଙ୍ଗ ବ୍ଲକ ପାଇଁ ନବକିଶୋର ଦାଶ, ସୁଶାନ୍ତ ସିଂହ, ଉମାକାନ୍ତ ସାମନ୍ତରାୟ ଓ ବିଭୂତି ବଳବନ୍ତରାୟଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ପିପିଲି ବିଜ୍ଞାପିତ ପରିଷଦ ଅଞ୍ଚଳ ପାଇଁ ସୁଧୀର ସାମଲଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ପ୍ରଦାନ କରିଛନ୍ତି ।

ଏହାପୂର୍ବରୁ ପିପିଲି ଉପ-ନିର୍ବାଚନ ପାଇଁ ରଣନୀତି ସ୍ଥିର କରିବାକୁ ୪ଜଣ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଥିଲେ ବିଜେଡି ସୁପ୍ରିମୋ । ପିପିଲି ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ସହ ଦଳର ଉପସଭାପତି ଦେବୀ ମିଶ୍ର, ସାଧାରଣ ସମ୍ପାଦକ ସଂଜୟ ଦାସବର୍ମା ଓ ପୁରୀ ଜିଲ୍ଲା ବିଜେଡି ସଭାପତି ମହେଶ୍ୱର ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଛି ।ଏହି ୪ବରିଷ୍ଠ ନେତା ପିପିଲିରେ ରହି ଦଳର ନିର୍ବାଚନୀ ରଣନୀତି ପରିଚାଳନା କରିବେ ।