ନିଆରା ଶିକ୍ଷକଙ୍କ ନିଆରା କାହାଣୀ । ସଫଳ ହେଲା ୧୫ ବର୍ଷର ପରିଶ୍ରମ, ବିଦ୍ୟାଳୟ ପରିସରରେ ଫୁଲ ବଗିଚା କରି ସବୁଜିମାର ବାର୍ତ୍ତା ବାଣ୍ଟିଲେ ଶିକ୍ଷକ ।

417

କନକ ବ୍ୟୁରୋ: ନିଜର ଦୃଢ ଇଚ୍ଛା ଶକ୍ତି ମଣିଷକୁ ସବୁ ବେଳେ ଶୀର୍ଷରେ ପହଂଚାଇ ଦେଇଥାଏ । ଏହିଭଳି ଜଣେ ଦୃଢ ଇଚ୍ଛା ଶକ୍ତି ଓ ଉତ୍ସର୍ଗୀକୃତ ଶିକ୍ଷକ ହେଉଛନ୍ତି ବିଭୀଷଣ ବାରିକ । ଯିଏ ନିଜର ଦୃଢ ମନୋବଳ ଯୋଗୁଁ ଆଜି ସାରା ରାଜ୍ୟରେ ସେ ପରିଚିତ । ଗଛ ଲଗାଇ ଗୋଟିଏ ବିଦ୍ୟାଳୟକୁ ଏକ ସୁନ୍ଦର ଉଦ୍ୟାନରେ ପରିଣତ କରିଦେଇଛନ୍ତି ବିଭିଷଣ ।

ଚାରିଆଡେ ରଙ୍ଗବେରଙ୍ଗ ଫୁଲର ସମ୍ଭାର । ଗଛ ଆଢୁଆଳରେ ଝୁଲୁଛନ୍ତି ଗେଣ୍ଡୁ, ଗୋଲାପ, ସେବତି ଭଳି ବିଭିନ୍ନ ପ୍ରକାର ଫୁଲ । ଗୋଟିଏ ଦୁଇଟି ନୁହେଁ ଶହ ଶହ ଫୁଲକୁଣ୍ଡକୁ ନେଇ ଫୁଲେଇ ହେଉଛି ଏହି ପରିବେଶ । କେବଳ ସୁନ୍ଦର ଫୁଲ ଗଛ ନୁହେଁ ବିଭିନ୍ନ ପ୍ରକାରର ଶୋ-ଗଛକୁ ବି ନିଜ ଛାତିରେ ଜାବୁଡି ଧରିଛି ଏହି ସ୍ଥାନ । ଏହି ସୁନ୍ଦର ସ୍ଥାନର ଠିକଣା ଜାଣିଲେ ଆପଣ ବି ଆଶ୍ଚଯ୍ୟ ହୋଇଯିବେ । ଏହା ସୁନ୍ଦରଗଡ ଅପହଂଚ ଇଲାକାର ଏକ ବିଦ୍ୟାଳୟ ପରିସର ।

ନାନା ଫୁଲରେ ସଜେଇ ହୋଇଛି ସୁନ୍ଦରଗଡ ଜିଲ୍ଲା ଆଦିବାସୀ ବହୁଳ କୁତ୍ରା ବ୍ଲକର କୁତ୍ରା ଉଚ୍ଚ ବିଦ୍ୟାଳୟ । ବିଦ୍ୟାଳୟର ମନଲୋଭା ପରିବେଶ ଛାତଛାତ୍ରୀଙ୍କୁ ବିଦ୍ୟାଳୟ ମୁହାଁ କରିଛି । ଏହି ବିଶାଳ ଉଦ୍ୟାନ ପଛରେ ଲୁଚି ରହିଛି ଜଣେ ଆଦର୍ଶ ଶିକ୍ଷକଙ୍କ ଦୃଢ ଇଚ୍ଛାଶକ୍ତି । କୁତ୍ରା ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ବିଭୀଷଣ ବାରିକ । ପେଶା ଶିକ୍ଷକତା ହେଲେ ନିଶା ତାଙ୍କର ଗଛ ଲଗାଇବା, ଆଉ ଚାରିଆଡେ ସବୁଜ ବଳୟ ପ୍ରସ୍ତୁତ କରିବା । ୧୫ ବର୍ଷ ହେବ ଏହି ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି ବିଭିଷଣ । ସେ ଏହି ସ୍କୁଲ ଆସିବା ସମୟରେ କେବଳ ସ୍କୁଲ କୋଠାକୁ ଛାଡି ଦେଲେ ଆଉ କିଛି ନଥିଲା । ତେଣୁ ଏହି ବିଦ୍ୟାଳୟରେ ସବୁଜ ବନାନୀ ସୃଷ୍ଟି କରିବା ପାଇଁ ସଂକଳ୍ପ ନେଇଥିଲେ ବୀଭିଷଣ । କିଛି ଛାତ୍ରଙ୍କୁ ନେଇ ସବୁଜ ବାହିନୀ ଗଠନ କରିଥିଲେ । ପାଠପଢା ପରେ ବଳକା ସମୟରେ ବିଭିନ୍ନ ପ୍ରକାର ଗଛ ଲଗାଇ ସ୍କୁଲ ପରିସରରେ ଏକ ପ୍ରକାର ଇକୋ-ଗାର୍ଡେନର ଭ୍ରମ ସୃଷ୍ଟି କରିଛନ୍ତି ଏହି ଆଦର୍ଶ ଶିକ୍ଷକମାନେ ।

ଏହି ଉଦ୍ୟାନ ପାଇଁ ଏହି ବିଦ୍ୟାଳୟକୁ ଅନେକ ପୁରସ୍କାର ମିଳିଛି । ଜାତୀୟ ସବୁଜ ପୁରସ୍କାର, ପ୍ରକୃତି ମିତ୍ର, ପ୍ରକୃତି ବନ୍ଧୁ ଭଳି ଅନେକ ପୁରସ୍କାର ହାସଲ କରିସାରିଛନ୍ତି ଶିକ୍ଷକ । ଆଉ ବିଦ୍ୟାଳୟର ପୁରାତନ ଛାତ୍ରମାନେ ଉଦ୍ୟାନର ରକ୍ଷଣା ବେକ୍ଷଣା କରିଆସୁଛନ୍ତି । ଆଉ ଏହି ଶିକ୍ଷକ ବିଭୀଷଣଙ୍କ ଏହି ମହାନ କାର୍ଯ୍ୟ ନିଶ୍ଚୟ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଉତ୍ସ । ସରକାରୀ ବିଦ୍ୟାଳୟରେ ଦିନକୁ ଦିନ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମୁଥିବା ବେଳେ ସୁନ୍ଦରଗଡର ଏହି ବିଦ୍ୟାଳୟ ଅନ୍ୟମାନଙ୍କ ପାଇଁ ଉଦାହରଣଟିଏ ।