ପୁରୀରେ ବିନା କଟକଣାରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଲେ ଶ୍ରଦ୍ଧାଳୁ । ହେଲେ ଭୁବନେଶ୍ୱରରେ କଟକଣା ପାଇଁ ବିନ୍ଦୁସାଗର ଖାଁ ଖାଁ ।

84

କନକ ବ୍ୟୁରୋ : ମହାଳୟାରେ କରୋନା ନିୟମ କେଉଁଠି କେମିତି । ରାଜଧାନୀ ଭୁବନେଶ୍ୱରରେ ଗୋଟିଏ ନିୟମ ଦେଖିବାକୁ ମିଳିଥିବା ବେଳେ ପୁରୀରେ ଆଉ ଏକ ନିୟମ ଦେଖିବାକୁ ମିଳିଛି । ପୁରୀରେ ବିନା କଟକଣାରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇଛନ୍ତି ଶ୍ରଦ୍ଧାଳୁ । ହେଲେ ଭୁବନେଶ୍ୱରରେ କଟକଣା ପାଇଁ ଖାଁ ଖାଁ ରହିଛି ବିନ୍ଦୁସାଗର । ବିଏମସି ଗାଇଡଲାଇନ ପରେ ଖାଁ ଖାଁ ବିନ୍ଦୁସାଗର କୂଳ । ଜଗିଛନ୍ତି ଏକ ପ୍ଲାଟୁନ ପୋଲିସ । ଯିବା ଆସିବା ଲୋକଙ୍କୁ ବିନ୍ଦୁ ସାଗର କୂଳରେ ଆଜି ଛିଡା ହେବାକୁ ବି ବାରଣ କରାଯାଉଛି ।

ବିନ୍ଦୁ ସାଗରରେ ମହାଳୟା ଶ୍ରାଦ୍ଧ ମନା ହୋଇଛି । ଶ୍ରାଦ୍ଧ ସାଙ୍ଗକୁ ବ୍ରାହ୍ମଣ ଭୋଜନ ଉପରେ କଟକଣା ଲଗାଯାଇଛି । ଗହଳି ଓ ଭିଡ ନକରିବାକୁ ବିଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ବିଏମସିର ଏଭଳି ନିଷ୍ପତ୍ତି ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । କୋଭିଡ ସଂକ୍ରମଣ ଓ ଲୋକଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ବିନ୍ଦୁସାଗରରେ ମହାଳୟା ପାଳନ ଓ ବ୍ରାହ୍ମଣ ଭୋଜନ ହୋଇପାରିବ ନାହିଁ ବୋଲି କୁହାଯାଇଛି । ପ୍ରତ୍ୟେକ ବର୍ଷ ମହାଳୟାରେ ବିନ୍ଦୁସାଗରରେ ପିତୃପୁରୁଷଙ୍କ ଶ୍ରାଦ୍ଧ ପାଇଁ ଲୋକଙ୍କ ଭିଡ ହୋଇଥାଏ । ତେବେ ଚଳିତବର୍ଷ ମହାଳୟା ହୋଇପାରିବ ନାହିଁ ବୋଲି ବିଏମସି କହିଛି ।

ଶ୍ରୀମନ୍ଦିର ନୂଆ ଗାଇଡଲାଇନ୍ ଅନୁସାରେ ଆଜି ମହାଳୟା ଯୋଗୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି । କିନ୍ତୁ ମହୋଦଧି, ନରେନ୍ଦ୍ର, ଶ୍ୱେତଗଙ୍ଗା, ମାର୍କଣ୍ଡେୟ ଆଦି ତୀର୍ଥ ପୁଷ୍କରିଣୀରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରାଯାଉଛି । ଶ୍ରୀମନ୍ଦିର ଉତ୍ତରଦ୍ୱାର ସମ୍ବୁଖରେ ପ୍ରଶାସନ ପକ୍ଷରୁ ଏକ ଅସ୍ଥାୟୀ ସେଡ୍ କରାଯାଇ ଗୋଲେଇ ଚିହ୍ନ ଦିଆଯାଇଛି । ଗୋଲେଇ ଚିହ୍ନରେ ବସି ପୁରୋହିତମାନେ ତିଳତର୍ପଣ କରୁଛନ୍ତି । ଶ୍ରୀମନ୍ଦିର ବାଇଶିପାହାଚରେ ତିଳତର୍ପଣ କଲେ ପିତୃପୁରୁଷ ତୃପ୍ତିଲାଭ କରିଥାନ୍ତି ବୋଲି ବିଶ୍ୱାସ ରହିଛି ।