ସରକାରଙ୍କ କଟକଣା ପାଇଁ ବିପଦ ଭିତରକୁ ଠେଲି ହୋଇଯାଉଛି ଜୀବିକା । ପଶ୍ଚିମବଙ୍ଗରେ ଦୁର୍ଗା ପୂଜା ପାଇଁ ବ୍ୟାପକ ଆୟୋଜନ, ଓଡ଼ିଶାରେ କାହିଁକି ନୁହେଁ ?

198

କନକ ବ୍ୟୁରୋ : ଆଜି ମହାଳୟା, ସପ୍ତାହକ ପରେ ଦୁର୍ଗା ପୂଜା । କିନ୍ତୁ ପୂଜା ପାଇଁ ସେମିତି ଉତ୍ସବର ପରିବେଶ ନାହିଁ । କାରଣ ଯେତେ ସମ୍ଭବ କଟକଣା, ସବୁ ଲାଗୁ କରିଦିଆଯାଇଛି । ଛୋଟ ବ୍ୟବସାୟଠୁ ଆରମ୍ଭ କରି ସବୁ ପ୍ରକାର ବ୍ୟବସାୟିକ କାର୍ଯ୍ୟକଳାପ ମାନ୍ଦା ପଡିବ । କିନ୍ତୁ ପଡୋଶୀ ପଶ୍ଚିମବଙ୍ଗରେ ପୁରା ଉତ୍ସବର ପରିବେଶ । ନିଜେ ମୁଖ୍ୟମନ୍ତ୍ରୀ ବୁଲି ବୁଲି ପେଣ୍ଡାଲରେ ପୂଜା ପ୍ରସ୍ତୁତିକୁ ତଦାରଖ କରୁଛନ୍ତି । ଏଥିସହ ଏକ ଗାଇଡଲାଇନ ଜାରି କରି କହିଛନ୍ତି, ପୂଜାମଣ୍ଡପ ଚାରି ଆଡୁ ଖୋଲା ରହିବ, ଏବଂ ଭକ୍ତ ସହଜରେ ଦର୍ଶନ କରିପାରିବେ । ଏପଟେ ଆଜି ମହାଳୟାରେ ବି ଅଜବ ସ୍ଥିତି ଦେଖିବାକୁ ମିଳିଥିଲା । ଭୁବନେଶ୍ୱର ବିନ୍ଦୁ ସାଗରକୁ ବନ୍ଦ କରାଯାଇଥିଲା, କିନ୍ତୁ ପୁରୀରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବାକୁ ଅନୁମତି ମିଳିଥିଲା ।

ଖାଁ ଖାଁ ବିନ୍ଦୁସାଗର, ପୁରୀରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ, ସେପଟେ କିନ୍ତୁ ପଶ୍ଚିମବଙ୍ଗରେ ଗହଳି । ମହାଳୟା ଅବସରରେ ଏମିତି ରହିଥିଲା ତିନୋଟି ସ୍ଥାନର ଚିତ୍ର । କେଉଁଠି ପ୍ରବଳ ଗହଳି ତ କେଉଁଠି ଲୋକଙ୍କୁ ଶ୍ରାଦ୍ଧ ପାଇଁ ମିଳିନଥିଲା ସୁଯୋଗ । ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବାକୁ ଉଦ୍ଦିଷ୍ଟ ମହାଳୟାରେ ଏଭଳି ଚିତ୍ର ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ରାଜଧାନୀ ପାଇଁ କଟକଣା ଲାଗିଲା, ହେଲେ ପୁରୀରେ ସବୁ କିଛି ସ୍ୱାଭାବିକ । ଏହି ମାତ୍ରାଧିକ କଟକଣା ବିରୋଧରେ ଅସନ୍ତୋଷ ବଢୁଛି । ପୁରୀରେ ଯଦି ଲୋକ ବାହାରକୁ ଆସି, ଶ୍ରାଦ୍ଧ ଦେବାକୁ ସୁଯୋଗ ପାଇଲେ, ତେବେ ଭୁବନେଶ୍ୱରରେ ପ୍ରତିବନ୍ଧକ କାହିଁକି ଲାଗିଲା ?

କରୋନା କଟକଣା ମାନିି ସମସ୍ତେ ଆଗକୁ ବଢିବାକୁ ଚେଷ୍ଟା କରୁଥିବା ବେଳେ ବିଏମସିର ଗୋଟିଏ ପରେ ଗୋଟିଏ ପଦକ୍ଷେପ ବିବାଦୀୟ ହେଉଛି । ଯଦି କଟକଣା ଲଗାଇବାର ଥିଲା, ସାରା ରାଜ୍ୟରେ ମହାଳୟା ଉପରେ କଟକଣା ଲଗାଇଥାନ୍ତେ ସରକାର, ମାତ୍ର ବିଏମସି କର୍ତ୍ତୃପକ୍ଷ ଏକପାଖିଆ ନିଷ୍ପତି ନେବା ପଛର କାରଣ କଣ ? ରେକର୍ଡ କରିବା ନିଶା ଘାରୁଛି କି ମହାନଗର ନିଗମ ଅଧିକାରୀଙ୍କୁ ?

ପୂଜା ପାଇଁ ପ୍ରସ୍ତୁତ ପଶ୍ଚିମବଙ୍ଗ, କିନ୍ତୁ ଓଡିଶାରେ କଟକଣା । ଓଡିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ କରୋନା ସଂଖ୍ୟାରେ ସେଭଳି ବେଶି ତାରତମ୍ୟ ନାହିଁ । ବରଂ ଓଡିଶା ସ୍ଥିତି ପଡୋଶୀ ରାଜ୍ୟ ଠାରୁ ଭଲ ଅଛି, ହେଲେ ମମତା ନିଜ ରାଜ୍ୟରେ ଦୂର୍ଗାପୂଜାକୁ ବଡ ଆକାରରେ ପାଳନ କରିବାକୁ ସୁଯୋଗ ଦେଇଥିବା ବେଳେ ଓଡିଶାରେ କିନ୍ତୁ ଏହାକୁ କଟକଣା ଭିତରେ ପାଳନ କରାଯିବ । ଲଗାତର ଦ୍ୱିତୀୟ ବର୍ଷ ପାଇଁ ବିନା ଜାକଜମକରେ ମା’ଙ୍କୁ ଆବାହନ କରାଯିବ, ୪ ଫୁଟର ମୁର୍ତି ସହ ପରଦା ଟାଣି ପୂଜା ହେବ ।

ପୂଜା ବଜାର ଉପରେ ଅନେକ ବ୍ୟବସାୟୀ ନିର୍ଭର କରିଥାନ୍ତି । କଳାକାରଙ୍କ ଠାରୁ ଆରମ୍ଭ କରି ଫେରିବାଲା ସମସ୍ତେ ଅପେକ୍ଷା କରିଥାନ୍ତି ଏହି ସମୟକୁ, କିଛି ଅର୍ଥ ଉପାର୍ଜନ କରିବାକୁ । ହେଲେ ଅଗଷ୍ଟ ମାସରୁ ଆଗୁଆ ନିଷ୍ପତ୍ତି ନେଇଥିବା ରାଜ୍ୟ ସରକାରଙ୍କୁ କିନ୍ତୁ ଉତ୍ତର ରଖିବାକୁ ପଡିବ, ଏହା ପରେ ବି ଯଦି ସଂଖ୍ୟା ବଢେ ତାର ଉତ୍ତରଦାୟିତ୍ୱ କିଏ ନେବ?

କରୋନା କଟକଣା ରହିବା ଦରକାର, ଏହାକୁ କେହି ଅସ୍ୱୀକାର କରୁନାହାନ୍ତି, ହେଲେ ଏକତରଫା ଭାବେ ନିଷ୍ପତ୍ତି ନେଉଥିବା ସରକାରୀ ଅଧିକାରୀ ସାଧାରଣ ଲୋକଙ୍କ କଥା ବୁଝିବା ଦରକାର । ଏହି ସବୁ ପ୍ରଶ୍ନର ଉତ୍ତର ମଧ୍ୟ ଓଡିଶା ଜାଣିବାକୁ ଚାହୁଁଛି
– ପଶ୍ଚିମବଙ୍ଗରେ ବ୍ୟାପକ ଆୟୋଜନ ପାଇଁ ଅନୁମତି, ଓଡିଶାରେ କାହିଁକି ନୁହେଁ ?
– ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ସଂଖ୍ୟାର ଅନ୍ତର ନାହିଁ, ତଥାପି କଟକଣା କଣ ପାଇଁ ?
– ସଂକ୍ରମଣ ସଂଖ୍ୟା କମ୍ ରଖିବା ଝୁଙ୍କ ପାଇଁ ଜୀବିକାକୁ ବିପଦ ଭିତରକୁ ଠେଲା ଯାଉଛି ?

ମାସ ଶେଷରେ ଦରମା ପାଉଥିବା ସରକାରୀ ଅଧିକାରୀଙ୍କ କରୋନା କଟକଣା ପାଇଁ ଅର୍ଥ କାଟ ହେଉନାହିଁ, ତେଣୁ ସେମାନେ ସାଧାରଣ ଲୋକଙ୍କ କଷ୍ଟ ଓ ବେଦନା ବୁଝିପାରୁନାହାନ୍ତି କି? ଏହାକୁ ନେଇ ସମସ୍ତେ ଉତ୍ତର ଜାଣିବାକୁ ଚାହୁଁଛନ୍ତି ।