ଅନ୍ୟ ବିଗ୍ରହଙ୍କ ପହଣ୍ଡିଠାରୁ କେନ୍ଦୁଝରର ପହଣ୍ଡି ପୂରା ଭିନ୍ନା । ବିନା ସେନାପଟାରେ କରାଯାଏ ପହଣ୍ଡି

ଜୟ ଜଗନ୍ନାଥ......ଧ୍ୱନିରେ ଗୁରୁବାର କମ୍ପିବ ବଡଦାଣ୍ଡ

133

କନକ ବ୍ୟୁରୋ : ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ……ଧ୍ୱନିରେ ଗୁରୁବାର କମ୍ପିବ ବଡଦାଣ୍ଡ । ପଡୁଥିବ ହୁଳହୁଳି, ବାଜୁଥିବା ବିଜେ କାହାଳୀ । ଡାକ ପଡୁଥିବ ମଣିମା ମଣିମା । ଅଁଳା ପତ୍ରରେ ଦିଆଯାଉଥିବ ପୁଷ୍ପାଞ୍ଜଳି, ସେବକ ଭିଡୁଥିବେ ବିଡିଆ ପାନ, ପଡୁଥିବା ଚାମର ବିଂଚାଯାଉଥିବ ଆଲଟ । ଆଉ ତାହାରି ମଧ୍ୟରେ ଧଳା ଓ କଳା ଛତା ତଳେ ସେନାପଟା ଲାଗିକରି ଝୁଲୁଝୁଲି ଭକ୍ତଙ୍କ ଗହଣକୁ ଚାଲିଆସିବେ ଶ୍ରୀଜିଉ । ଆକାଶରୁ ପଡୁଥିବ ବର୍ଷାର ବିନ୍ଦୁ । ହେଲେ ତାହାରି ମଧ୍ୟରେ ନାଚି ନାଚି ଭକ୍ତଙ୍କୁ ଆଖିରୁ ଅଶ୍ରୁ ବୁହାଇବା ଜଗା । ତେବେ ଏହି ଦୃଶ୍ୟ କେବଳ ପହଣ୍ଡି ସମୟରେ ହିଁ ଦେଖିବାକୁ ମିଳିଥାଏ । କାରଣ ପହଣ୍ଡି ସମୟରେ ଏହି ପ୍ରକାର ବ୍ୟବସ୍ଥା ଦଇତାଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବରେ କରାଯାଇଥାଏ ।

ବର୍ଷକୁ ମୋଟ ଉପରେ ୬ ଥର ମହାପ୍ରଭୁ ପହଣ୍ଡି ହୋଇଥାଆନ୍ତି । ପହଣ୍ଡି ପୁଣି ୨ ଭାଗରେ ବିଭକ୍ତ । ସରଳ ଭାଷାରେ କହିଲେ, ଗୋଟିଏ ହେଉଛି ଧାଡି ଓ ଅନ୍ୟଟି ହେଉଛି ଗୋଟି ପହଣ୍ଡି । ମନ୍ଦିର ମଧ୍ୟରୁ ବାହାରକୁ ବାହାରିଲା ବେଳେ ଯେଉଁ ପହଣ୍ଡି ହୁଏ ତାହାକୁ ଧାଡି ପହଣ୍ଡି କହନ୍ତି । ଆଉ ମନ୍ଦିର ମଧ୍ୟକୁ ଯିବା ବେଳେ ଯେଉଁ ପହଣ୍ଡି କରାଯାଏ ତାହାକୁ ଗୋଟି ପହଣ୍ଡି କହନ୍ତି । ଧାଡି ପହଣ୍ଡିରେ ଏକ ସଂଗରେ ଶ୍ରୀଜିଉମାନେ ପହଣ୍ଡି ହେବା ବେଳେ ଗୋଟି ପହଣ୍ଡିରେ ଜଣେ ଜଣେ ହିଁ ପହଣ୍ଡି ହୁଅନ୍ତି । ଏହାର ଅର୍ଥ ଗୋଟିଏ ବିଗ୍ରହ ସିଂହାସନରେ ପହଞ୍ଚିବା ପରେ ହିଁ ଅନ୍ୟ ବିଗ୍ରହଙ୍କ ପହଣ୍ଡି କରାଯାଏ । ପହଣ୍ଡିରେ ୨ ଭାଇଙ୍କୁ ସେନା ପଟା ସାହାଯ୍ୟରେ ପହଣ୍ଡି କରାଯାଉଥିବା ବେଳେ ମା’ ସୁଭଦ୍ରା ଓ ସୁଦର୍ଶନଙ୍କୁ ଶୂନ୍ୟରେ ଅର୍ଥାତ କାନ୍ଧରେ ପହଣ୍ଡି କରାଯାଏ ।

ତେବେ ଏ ତ ଗଲା ପୁରୀର କଥା । ହେଲେ କେନ୍ଦୁଝରର ରଥଯାତ୍ରାରେ ଏହାର ଅନେକ ବିପରୀତ କଥା ଦେଖାଯାଏ ।କହିବାକୁ ଗଲେ, ଏଠାରେ ପହଣ୍ଡି ସମୟରେ ସେନାପଟାର ଆବଶ୍ୟକ ହୋଇନଥାଏ । କାରଣ କେନ୍ଦୁଝରରେ ପହଣ୍ଡିଆ ସେବକମାନେ ପହଣ୍ଡି  କରନ୍ତି କାନ୍ଧରେ । ଦେବସ୍ନାନ ପରେ ଅଣସର ପିଣ୍ଡିରେ ଠାକୁରମାନଙ୍କୁ ସେବା ପରେ ଯାତ୍ରା ଲାଗି ପ୍ରସ୍ତୁତ ହୋଇଥାଆନ୍ତି ମହାବାହୁ । କଳସ ପୂଜା ପରେ ପୁଷ୍ପାଞ୍ଜଳି ଦିଆଯାଏ ଆଉ ଏହାପରେ ସୁନା ବାଡି ବାହାରିବା ପରେ ଆରମ୍ଭ ହୁଏ ବାଟ ପହଣ୍ଡି । ବାଟ ପହଣ୍ଡି ପରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଚକାଭିଡା କରାଯାଏ । ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।

କାରଣ ବିନା ସେନାପଟାରେ କେବଳ ସେହି ଚକାଭିଡା ସାହାଯ୍ୟରେ ଶ୍ରୀଜିଉମାନେ ହୁଅନ୍ତି ପହଣ୍ଡି । ପ୍ରଥମେ ସୁଦର୍ଶନ ପରେ ସୁଭଦ୍ରା ଓ ଶେଷରେ ଜଗନ୍ନାଥ ମହାପ୍ରଭୁ ହୁଅନ୍ତି ପହଣ୍ଡି । ସ୍ଥାନୀୟ ମନ୍ଦିରର ପରମ୍ପରା ଅନୁସାରେ, ରଥ ଚାରିପାଖରେ ଥରେ ଲେଖାଏଁ ଠାକୁରମାନେ ପରିକ୍ରମା କରନ୍ତି । ଆଉ ଏହାପରେ ରଥାରୂଢ ହୁଅନ୍ତି ଶ୍ରୀଜିଉ । ରଥାରୂଢ ହେବା ପରେ କଳସ ପୂଜା, ଛେରା ପହଁରା ଆଦି ହେବାପରେ ରାଜା ଛେରାପହଁରା ନୀତି ସମ୍ପାଦନ କରନ୍ତି । ଛେରାପହଁରା ପରେ ଚାରମାଳ ଫିଟା, ଘୋଡାଲାଗି ଆଦି କରାଯାଏ । ପରେ ଶ୍ରୀଜିଉଙ୍କୁ ଅଳଙ୍କାରରେ ଆଭୁଷିତ କରାଯାଏ । ଆଉ ଏହାପରେ ଆରମ୍ଭ ହୁଏ ରଥଟଣା । ରଥରୁ ପୁଣି ଥରେ ପହଣ୍ଡି ହୋଇ ଆଡପ ମଣ୍ଡପରେ ବିଜେ କରନ୍ତି ଶ୍ରୀଜିଉ । ତେବେ ଏହି ପହଣ୍ଡିରେ ଅନ୍ୟ ମନ୍ଦିରର ପହଣ୍ଡିଠାରୁ ଭିନ୍ନତା ପରିଲକ୍ଷିତ ହୋଇଥାଏ ।