ନିର୍ବାଚନ ବେଳେ ନେତାଙ୍କ ନୂଆ ନୂଆ ଷ୍ଟାଇଲ । ପ୍ରଚାର ବେଳେ ସାମ୍ନାକୁ ଆସିଲା ରୋଚକ ଦୃଶ୍ୟ, କିଏ ମୁଣ୍ଡିଆ ମାରୁଛି, ଆଉ କାହା ଆଖିରୁ ଝରୁଛି ଲୁହ । ସେପଟେ ହୋଣ୍ଡା ସିଟିରେ ବୁଲି ପ୍ରଚାର କଲେ ବେଣୁ ମଉସା

140
କନକ ବ୍ୟୁରୋ: ଉପନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ପ୍ରଚାର ମୈଦାନରୁ ରୋଚକ ଦୃଶ୍ୟ ଆସିବାରେ ଲାଗିଛି । ଭୋଟରଙ୍କୁ ମନେଇ ଭୋଟ ହାତେଇବା ପାଇଁ ବିଭିନ୍ନ କୌଶଳ ଆଣଉଛନ୍ତି ନେତା । କିଏ ହାତ ଯୋଡି ଭୋଟ ଦେବା ପାଇଁ ଅପିଲ କରିଛି, କିଏ ସିଧା ଲୋକଙ୍କ ପାଦ ଛୁଇଁ ଆଶିର୍ବାଦ ମାଗୁଛି । ଆଉ କେହି ନେତା ଭାବପ୍ରବଣତାର କାର୍ଡ ଖେଳୁଛନ୍ତି ।
କୁହାଯାଏ, ନେତାଙ୍କୁ ଦେଖିବ ତ’ ଭୋଟ୍ ସମୟରେ ଦେଖିବ । କଥାଟି ଯିଏ ବି କହୁ ନା କାହିଁ ଶତପ୍ରତିଶତ ଠିକ୍ କହିଛନ୍ତି । ଦେଖୁ ନାହିଁନ୍ତି, ଭୋଟ୍ ପାଇଁ ନେତା କେତେ କସରତ କରୁଛନ୍ତି । କିଏ ମୁଣ୍ଡିଆ ମାରୁଛି, ତ ଆଉ ଗୀତ ଗାଉଛି । ବାଲେଶ୍ୱର ଉପ-ନିର୍ବାଚନ ପ୍ରଚାର ସମୟରେ ଏମିତି କିଛି ରୋଚକ ଚିତ୍ର ଆସିଛି, ଯାହା ପ୍ରଚାର ମୈଦାନକୁ ସରଗରମ କରିଦେଇଛି ।
ହିନ୍ଦୀରେ ଗୋଟେ କଥା ଅଛି- ଜୋ ଦିଖ୍ତା ହେ, ବୋ ବିକ୍ତା ହେ । ଅର୍ଥାତ୍ ସାମ୍ନାରେ ରହୁଥିବା ଲୋକ ଶୀଘ୍ର ନଜରକୁ ଆସନ୍ତି ।ଆଉ ଭୋଟ୍ ସମୟରେ ଲୋକଙ୍କ ସାମ୍ନାରେ ରହିବାକୁ ଟିକେ ଅଧେ ତ’ ଭେକ ଦେଖାଇବାକୁ ହିଁ ପଡ଼ିବ । ନିର୍ବାଚନ ଜିତିଲେ ଯେଉଁ ନେତା ବିଧାୟକ ବନିବେ ଆଜି ସେ ବୁଲି ବୁଲି, ମୁଣ୍ଡିଆ ମାରି ଭୋଟ୍ ମାଗୁଛନ୍ତି । ପ୍ରଚାର ସମୟରେ ବିଜେଡି ପ୍ରାର୍ଥୀ ସ୍ୱରୁପ ଦାସ କିଛି ଏଭଳି ମୁଦ୍ରାରେ ଦେଖିବାକୁ ମିଳିଛି ।
ବାଲେଶ୍ୱରରୁ ବିଜେପି ପ୍ରାର୍ଥୀ ହୋଇଥିବା ମାନସ ଦତ ବି ଭାବପ୍ରବଣତାର ସ୍ରୋତ ବୁହେଇବାକୁ ଉଦ୍ୟମ କରୁଛନ୍ତି । ପ୍ରଚାର ବେଳେ ଦିଗଙ୍ଗତ ବିଧାୟକ ତଥା ତାଙ୍କ ବାପାଙ୍କ କଥା କହିଲା ବେଳେ ଆଖି ଛଳଛଳ ହୋଇଯାଇଛି । ଆଉ ସବୁଠୁ ଅଧିକ ଚର୍ଚ୍ଚାରେ ଥିବା ବେଣୁଧର ବାରିକ୍ଙ୍କୁ ନେଇ ତ ପ୍ରତିଦିନ ନୂଆ ନୂଆ ଚିତ୍ର ଆସୁଛି । ପୁୁରୁଣା ଜୋତା ପିନ୍ଧୁଥିବା ବେଣୁ ମଉସାଙ୍କ ପାଖକୁ ନୂଆ ଚପଲ ଆସିଯାଉଛି । ଲୋକ ଆସି ତାଙ୍କୁ ଜୋତା ପିନ୍ଧାଇ ବି ଦେଉଛନ୍ତି । କାଲି ଯାଏଁ ଚାଲି ଚାଲି ଓ ସାଇକେଲରେ ପ୍ରଚାର କରୁଥିବା ବେଣୁ ମଉସା ଆଜି ହୋଣ୍ଡା ସିଟି କାର୍ରେ ପ୍ରଚାର କରୁଛନ୍ତି ।
କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ବି କୌଣସି କ୍ଷେତ୍ରରେ ପଛରେ ନାହାଁନ୍ତି । ଘର ଘର ବୁଲି ପ୍ରଚାର କରୁଥିବା ମମତାଙ୍କ ପାଇଁ ପ୍ରଚାର କରିବା ପାଇଁ ପହଂଚିଛନ୍ତି ଜୟପୁର ବିଧାୟକ । କାର୍ ଉପରେ ଠିଆ ହୋଇ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ତାରା ବାହିନୀପତି । କଥା ଏତିକିରେ ସରିନି, ବିଜେପି ସାଂସଦ ଅଶ୍ୱିନୀ ବୈଷ୍ଣବ, ଜନତାଙ୍କ ସହ ସିଧାସଳଖ କଥା ହେଉଛନ୍ତି । ଆଉ ଏହି ଅବସରରେ ଫଳଦୋକାନୀଙ୍କ ସହ ଚର୍ଚ୍ଚା-ଆଲୋଚନା କରିବା ସହ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ।
ସେହିପରି ବିଜେଡି ପ୍ରାର୍ଥୀ, ସ୍ୱରୁପ ଦାସଙ୍କ ପାଇଁ ସାଇକେଲ ରାଲି କରିଛନ୍ତି ଅଭିନେତ୍ରୀ ତଥା ବିଜେଡି ନେତ୍ରୀ ଏଲିନା । ଗାଁ ରାସ୍ତାରେ ସାଇକେଲ ଚଢ଼ି ପ୍ରଚାର କରିଛନ୍ତି ଏଲିନା । ଆଉ ଏହାରି ଭିତରେ ଯାହାକୁ ଭେଟୁଛନ୍ତି ଭୋଟ୍ ଦେବାକୁ ଅନୁରୋଧ କରୁଛନ୍ତି । ଆଉ ଏହାରି ଭିତରେ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ପିଙ୍କୀ ପ୍ରଧାନ ଏକ ଭିନ୍ନ ଢ଼ଙ୍ଗରେ ନଜର ଆସିଛନ୍ତି । ପ୍ରଚାର ସଭାରେନଜସ୍ୱ ସ୍ୱର ସଂଯୋଜନାରେ ଗାଇଛନ୍ତି ବିଜେପି ଗୀତ ।