ପଦାରେ ପଡିଲା ବିଜେଡି କଳି ! ବିଧାୟକଙ୍କ ନାଁରେ ସୁପ୍ରିମୋଙ୍କୁ ଫେରାଦ ହେଲେ ସାଂସଦ, ସମନ୍ୱୟ ରହୁନଥିବା ନେଇ କଲେ ଅଭିଯୋଗ, ତାଗିଦ କଲେ ନବୀନ ।

447

କନକ ବ୍ୟୁରୋ : ସଂସଦର ବଜେଟ୍ ଅଧିବେଶନ ପାଇଁ ଏକାଠି ହୋଇଥିବା ସାଂସଦଙ୍କ ପ୍ରତି ନବୀନ କଠୋର ଆଭିମୁଖ୍ୟ ରଖିଛନ୍ତି । କାରଣ, ନିର୍ବାଚନ ମଣ୍ଡଳୀରେ ରହୁନି ସାଂସଦ ଓ ବିଧାୟକଙ୍କ ମଧ୍ୟରେ ସମନ୍ୱୟ । ଉଭୟ ଅଲଗା ଅଲଗା ବୈଠକ କରୁଛନ୍ତି ଏବଂ କେହି କାହାକୁ ସହଯୋଗ କରୁନାହାନ୍ତି । ଗତକାଲି ବିଜେଡି ସୁପ୍ରିମୋଙ୍କ ସାମ୍ନାରେ ବିଧାୟକଙ୍କ କାର୍ଯ୍ୟକଳାପ ନେଇ ଅଭିଯୋଗ ବାଢିଥିଲେ କିଛି ସାଂସଦ ।

ଗତକାଲି ବସିଥିଲା ବିଜେଡି ସଂସଦୀୟ ଦଳ ବୈଠକ । ନବୀନ ନିବାସରେ ଏକାଠି ହୋଇଥିଲେ ବିଜୁ ଜନତା ଦଳର ସମସ୍ତ ସାଂସଦ ଓ ବିଧାୟକ । ସଂସଦର ବଜେଟ୍ ଅଧିବେଶନରେ କଣ ରହିବ ବିଜେଡିର ଆଭିମୁଖ୍ୟ, ସେନେଇ ରଣନୀତି ପ୍ରସ୍ତୁତି ଚାଲିଥିଲା । ଏହି ସମୟରେ ସାମ୍ନାକୁ ଆସିଥିଲା ନିଜ ନିର୍ବାଚନମଣ୍ଡଳୀରେ ସାଂସଦ ଓ ବିଧାୟକଙ୍କ ମଧ୍ୟରେ ରହିଥିବା ତିକ୍ତ ସମ୍ପର୍କର ଖବର ।

ସାଂସଦ ଓ ବିଧାୟକଙ୍କ ମଧ୍ୟରେ ରହୁନି ସମନ୍ୱୟ । ନିର୍ବାଚନ ମଣ୍ଡଳୀରେ ହେଉଛି ଅଲଗା ଅଲଗା କାର୍ଯ୍ୟକ୍ରମ । ବୈଠକରେ ଢେଙ୍କାନାଳ ସାଂସଦ ମହେଶ ସାହୁ ନିଜ ନିର୍ବାଚନ ମଣ୍ଡଳୀର ବିଧାୟକମାନଙ୍କ କାର୍ଯ୍ୟ ସମ୍ପର୍କରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କହିଥିଲେ, ବିଧାୟକ ସେମାନଙ୍କ କାର୍ଯ୍ୟକ୍ରମକୁ ସାଂସଦଙ୍କୁ ଡାକୁନାହାନ୍ତି । ବରଂ ପୃଥକ ଭାବେ ସଭା ସମିତି କରୁଛନ୍ତି ।

ଢେଙ୍କାନାଳ ସାଂସଦଙ୍କ କଥାରୁ ସ୍ପଷ୍ଟ ହେଉଛି ଯେ, ଜିଲ୍ଲାରେ ବିଧାୟକ ଓ ସାଂସଦଙ୍କ ମଧ୍ୟରେ ସବୁ କିଛି ଠିକ୍ ନାହିଁ । ତେବେ ନିଜ ନିର୍ବାଚନ ମଣ୍ଡଳୀରେ ସୁଧୀର ସାମଲ, ରଜନୀକାନ୍ତ ସିଂ, ପ୍ରଫୁଲ୍ଲ ମଲ୍ଲିକ, ନୃସିଂହ ଚରଣ ସାହୁ ଓ ବ୍ରଜକିଶୋର ପ୍ରଧାନଙ୍କ ଭଳି ବରିଷ୍ଠ ନେତା ବିଧାୟକ ରହିଥିବା ବେଳେ ମହେଶ ସାହୁ କାହା ଆଡକୁ ଇଙ୍ଗିତ କରିଥିଲେ ତାହା କିନ୍ତୁ ସ୍ପଷ୍ଟ ହୋଇନି ।

ଜଗତସିଂହପୁରରେ ଆଭ୍ୟନ୍ତରୀଣ କନ୍ଦଳ । ବିଧାୟକ-ସାଂସଦଙ୍କ ମଧ୍ୟରେ କଳି । ସଂସଦୀୟ ଦଳ ବୈଠକରେ ମହେଶ ସାହୁଙ୍କ ସହ ସ୍ୱର ମିଳାଇଥିଲେ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ । ନିଜ ନିର୍ବାଚନ ମଣ୍ଡଳୀରେ ବିଧାୟକଙ୍କ କାର୍ଯ୍ୟକଳାପ ସମ୍ପର୍କରେ ନବୀନଙ୍କୁ ଜଣାଇ ଦେଇଥିଲେ ସାଂସଦ । କହିଥିଲେ, ବିଧାୟକ ତାଙ୍କୁ ସହଯୋଗ କରୁନାହାନ୍ତି । ଅଲଗା ଅଲଗା ସଭା କରୁଛନ୍ତି । ଏମିତିରେ ନିର୍ବାଚନ ମଣ୍ଡଳୀର ବିକାଶ କେମିତି ହେବ ବୋଲି ପ୍ରଶ୍ନ କରିଥିଲେ ରାଜଶ୍ରୀ ମଲ୍ଲିକ ।

ମହେଶ ସାହୁଙ୍କ ଭଳି ରାଜଶ୍ରୀ ମଲ୍ଲିକ ମଧ୍ୟ ବିଧାୟକଙ୍କ ଅସହଯୋଗର କଥା ଉଠାଇଥିଲେ । ତେବେ କାହାକୁ ଟାର୍ଗେଟ୍ କରିଥିଲେ ସାଂସଦ । କେଉଁ ବିଧାୟକ, ସାଂସଦଙ୍କ ସହ ଏକମତ ନାହାନ୍ତି । ବିଷ୍ଣୁ ଦାସ, ପ୍ରଶାନ୍ତ ମୁଦୁଲି, ପ୍ରମୋଦ ମଲ୍ଲିକ ନା ସମୀର ଦାସ ଓ ରଘୁନନ୍ଦନ ଦାସ ।

ବିଧାୟକଙ୍କୁ ନେଇ ସାଂସଦଙ୍କ ଏଭଳି ଅସନ୍ତୋଷ ଶୁଣି ବିଜେଡି ସୁପ୍ରିମୋ ରୋକଠୋକ୍ ଶୁଣାଇ ଦେଇଥିଲେ ଯେ, ଏଣିକି ସାଂସଦ-ବିଧାୟକ ମିଳିମିଶି କାମ କରନ୍ତୁ । ଉଭୟଙ୍କ ମଧ୍ୟରେ ସମନ୍ୱୟ ରହିବା ଜରୁରୀ । ଉଭୟ ମିଶି ନିର୍ବାଚନ ମଣ୍ଡଳୀର ବିକାଶ କରିବେ । ଆଉ ଏଥିରେ ବ୍ୟକ୍ତିକ୍ରମ ହେଲେ ତାଙ୍କ ନଜରକୁ ଆଣିବାକୁ ସ୍ପଷ୍ଟ ଭାବେ ଜଣାଇ ଦେଇଛନ୍ତି ନବୀନ ।