ପୁରୀରେ ଚକାନୟନ ହେଲେ କେନ୍ଦୁଝରରେ ଶ୍ରୀଜିଉଙ୍କ ମୀନ ନୟନ ! କଣ ରହିଛି ଭିନ୍ନତା ଏହା ପଛରେ?

ପାଖେଇ ଆସିଲାଣି ରଥଯାତ୍ରା

145

କନକ ବ୍ୟୁରୋ : ପାଖେଇ ଆସିଲାଣି ରଥଯାତ୍ରା । ରାତି ପାହିଲେ ନବଯୌବନ ରୂପରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ । ଦୀର୍ଘ ୧୫ ଦିନ ପରେ ପୁଣି ଥରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ । ସ୍ନାନମଣ୍ଡପରେ ୧୦୮ ଗରା ଜଳରେ ସ୍ନାନ କରିବା ପରେ ଜରରେ ପଡିଲେ  । ଏହାପରେ ସୁସ୍ଥ ହେବା ଲାଗି ଗୁପ୍ତ ଉପଚାର ମଧ୍ୟ କରାଗଲା । ଦଇତାଙ୍କ ସେବା ପାଇ ସୁସ୍ଥ ହେଲେ ଶ୍ରୀଜିଉ । ଦେହ ଖରାପ ପରେ ଭକ୍ତଙ୍କୁ ଦର୍ଶନ ଦେଉନଥିଲେ ଶ୍ରୀଜିଉ । ଆଉ ଏତେ ଦିନ ପରେ ପୁଣି ଖରେ ଭକ୍ତଙ୍କୁ ଦର୍ଶନ ଦେବେ ଭଗବାନ । ଆଉ ତାହା ପାଇଁ ଚାଲିଛି ପ୍ରସ୍ତୁତି । ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି ରହିଛି । ଦତ୍ତମହାପାତ୍ର ସେବାୟତମାନେ ଶ୍ରୀମୁଖ ସୁଙ୍ଗାର କରିବେ । ନୂଆ ରୂପରେ ପୁଣି ଥରେ ଝଲସି ଉଠିବ ଶ୍ରୀବିଗ୍ରହଙ୍କ ମୁହଁ ।

ତେବେ ଏହି ନୀତି ଅତ୍ୟନ୍ତ ଗୁପ୍ତ ଭାବରେ ହୋଇଥାଏ । ହେଲେ ଏଠାରେ ଜାଣିବାର ଗୋଟିଏ କଥା ହେଲା ଯେ, ତିନିଠାକୁରଙ୍କର ବନକଲାଗି ନୀତିରେ ଚକାନୟନ କରାଯାଏ । ହେଲେ ଏହାର ବ୍ୟତିକ୍ରମ ଦେଖାଯାଏ କେନ୍ଦୁଝରରେ । ଏଠାରେ ଶ୍ରୀମୁଖ ସୁଙ୍ଗାର ହୋଇଥାଏ । କିନ୍ତୁ ଚକାନୟନ ନୁହେଁ ମୀନ ନୟନରେ ହୁଏ ଶ୍ରୀମୁଖ ସୁଙ୍ଗାର । ହେଲେ ଏଠାରେ ଏପରି କାହିଁକି ହୁଏ ତାହାର ତଥ୍ୟ ସଠିକ ଭାବରେ ମିଳିନଥିଲେ ବି ମନ୍ଦିର ନିର୍ମାଣ ହେବା ଦିନଠାରୁ ହିଁ ଶ୍ରୀଜିଉଙ୍କ ଏପରି ସୁଙ୍ଗାର କରାଯାଏ ।

କେବଳ ଏତିକି ନୁହେଁ ବରଂ ସବୁ ସ୍ଥାନରେ ଦେବୀ ସୁଭଦ୍ରାଙ୍କର ମୁହଁ ହଳଦିଆ ରଙ୍ଗ ହୋଇଥିବା ବେଳେ କେନ୍ଦୁଝରରେ ଲାଲ ରଙ୍ଗର ହୋଇଥାଏ । କୁହାଯାଏ ଏଠାରେ ଦେବୀଙ୍କୁ ମନ୍ତ୍ର ନୁହେଁ ବରଂ ତନ୍ତ୍ରରେ ପୂଜା କରାଯାଏ । ତେଣୁ ଏଠାରେ ହଳଦିଆ ବଦଳରେ ଲାଲ ରଙ୍ଗରେ ଦେବୀଙ୍କ ସୁଙ୍ଗାର କରାଯାଏ । କେବଳ ଏତିକି ନୁହେଁ , ଦେବୀଙ୍କୁ ଶୂନ୍ୟ ପହଣ୍ଡି କରାଯାଉଥିବା ବେଳେ ଏଠାରେ ଠିଆକରି ପହଣ୍ଡି କରାଯାଏ । ପୁରୀ ପରି କେନ୍ଦୁଝରରେ ମଧ୍ୟ ଚତୁର୍ଦ୍ଧାମୂର୍ତୀ ପୂଜା ପାଆନ୍ତି । କିନ୍ତୁ ଯଦି ପୁରୀକୁ ଏହି ମନ୍ଦିର ସହ ତୁଳନା କରାଯାଏ ତେବେ ଅନେକ କ୍ଷେତ୍ରରେ ଏହା ଭିନ୍ନ ବୋଲି କୁହାଯାଇପାରେ ।