ପେଟ୍ରୋଲ କରିଛି ପକେଟକୁ ମାଡ,ଅସହ୍ୟ ହେଲାଣି ତେଲ ଦର । ରାଜଧାନୀରେ ଟପିଲା ୭୮ ଟଙ୍କା, ଡିଜେଲ ୭୬ ଟଙ୍କା ପାର

Advertisment
ଇତିହାସ ବଦଳାଇଲା ତୈଳଦର: ରାଜଧାନୀରେ ପେଟ୍ରୋଲ ଦରକୁ କାଟିଲା ଡିଜେଲ ଦର

କନକ ବ୍ୟୁରୋ: ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିଚାଲିଛି। ଭୁବନେଶ୍ୱରରେ ରବିବାର ପେଟ୍ରୋଲ ଦର ଲିଟର ପିଛା ୭୭ ଟଙ୍କା ୭୧ ପଇସା ଏବଂ ଡିଜେଲ ଦର ୭୫ ଟଙ୍କା ୯୧ ପଇସା ଥିବାବେଳେ ଆଜି ଆହୁରି ମହଙ୍ଗା ହୋଇଛି। ଆଜି ପେଟ୍ରୋଲ ଦର ୭୮ ଟଙ୍କା ୨ ପଇସା ଏବଂ ଡିଜେଲ ଦର ୭୬ ଟଙ୍କା ୩୪ ପଇସାରେ ପହଞ୍ଚିଛି। ଏଥିସହିତ ପ୍ରିମିୟମ ପେଟ୍ରୋଲ ଦର ମଧ୍ୟ ୮୦ ଟଙ୍କା ୯୪ ପଇସା ଛୁଇଁଛି।

ସୂଚନାଯୋଗ୍ୟ, ପେଟ୍ରୋଲ ଏବଂ ଡିଜେଲ ଦର ଲଗାତାର ୯ ଦିନ ହେଲା ବୃଦ୍ଧି ପାଉଛି। ଗତମାସ ୨୫ ତାରିଖରେ ଭୁବନେଶ୍ୱରରେ ଡିଜେଲର ଲିଟର ପିଛା ଦର ୭୪ ଟଙ୍କା ୨୧ ପଇସା ଥିବା ବେଳେ ସେପ୍ଟେମ୍ବର ୩ ତାରିଖ ସୁଦ୍ଧା ୨ ଟଙ୍କା ୧୩ ପଇସା ବଢ଼ିଗଲାଣି। ସେହିଭଳି ଭୁବନେଶ୍ୱରରେ ପେଟ୍ରୋଲର ଲିଟର ପିଛା ଦର ଉପରୋକ୍ତ ସମୟ ମଧ୍ୟରେ ୧ ଟଙ୍କା ୪୭ ପଇସା ବୃଦ୍ଧି ପାଇଛି।

ସେପଟେ, ତେଲଦର ବୃଦ୍ଧି ପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଧାସଳଖ ଆମେରିକାକୁ ଦାୟୀ କରିଛନ୍ତି । ଦେଶରେ ତେଲଦର ବଢିବା ଅନ୍ତର୍ଜାତୀୟ ବଜାରର ପ୍ରଭାବ ଯୋଗୁଁ ହେଉଛି ବୋଲି କହିଛନ୍ତି ତେଲ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଡଲାର ତୁଳନାରେ ଭାରତୀୟ ଟଙ୍କା ଦୂର୍ବଳ ହେବା ଏହାର ଏକ ମୁଖ କାରଣ । ଆହୁରି ମଧ୍ୟ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲଦର ମଧ୍ୟ ବଢିଚାଲିଛି । ବିଭିନ୍ନ ଦେଶ ସହିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାଇଥିବା ବାଣିଜ୍ୟ କଟକଣା ଫଳରେ କେବଳ ଟଙ୍କା ନୁହେଁ ବିଶ୍ୱର ପ୍ରମୁଖ ମୁଦ୍ରା ଗୁଡିକର ମୂଲ୍ୟ ହ୍ରାସ ପାଇଛି । ଏହା ଫଳରେ ଦେଶରେ ତେଲ ଦର ବଢାଇବା ଛଡା ଅନ୍ୟୋପାୟ ନାହିଁ ବୋଲି ସେ କହିଛନ୍ତି । ଅବଶ୍ୟ ଧର୍ମେନ୍ଦ୍ରଙ୍କ କଥାର ସତ୍ୟତା ମଧ୍ୟ ରହିଛି । ଆମେରିକାର ସୁରକ୍ଷାବାଦୀ ନୀତି ଯୋଗୁଁ କେବଳ ଭାରତୀୟ ଟଙ୍କା ନୁହେଁ, ଚୀନ ମୁଦ୍ରା ୟୁଆନ, ଜାପାନି ୟେନ, ୟୁରୋ ଆଦି ମୁଦ୍ରା ଦୂର୍ବଳ ହୋଇଛନ୍ତି ।

ସେପଟେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଟକରେ କଂଗ୍ରେସର ବିକ୍ଷୋଭ । କଟକ ଜିଲ୍ଲା କଂଗ୍ରେସ ଓ ନଗର କଂଗ୍ରେସ ପକ୍ଷରୁ ତେଲ ଦର ବୃଦ୍ଧି ପ୍ରତିବାଦରେ ବାଲିକୁଦା ଛକରେ ବିକ୍ଷୋଭ କରାଯାଇଛି । ଏକ ବାଇକ ରାଲିରେ କଂଗ୍ରେସ କର୍ମୀ କଟକ ସହର ପରିକ୍ରମା କରିବା ପରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ହାତରେ ପ୍ଲାକାର୍ଡ ବ୍ୟାନର ଧରି କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି କଂଗ୍ରେସ କର୍ମୀ । ଏଥିସହ କଟକ ବାଲିକୁଦା ଛକରେ ରାସ୍ତା ଉପରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି କଂଗ୍ରେସ କର୍ମୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe